ଏଣିକି ଏଟିଏମରୁ ମିଳିବ ଔଷଧ ! ଖୁବ ଶିଘ୍ର ସାରା ଦେଶରେ ଲାଗିବ ମେଡିସିନ୍ ଏଟିଏମ୍ ।

251

ଏଟିଏମରୁ ଆପଣ ସବୁବେଳେ ଟଙ୍କା ନିଶ୍ଚିତ ଭାବେ ଉଠାଉଥିବେ । କିନ୍ତୁ ଏଣିକି ଏଟିଏମରୁ ମେଡିସିନ୍ ମଧ୍ୟ ବାହାରିବ । ଦେଶର ପ୍ରତିଟି ଜିଲ୍ଲାରେ ଏଭଳି ଏଟିଏମ୍ ମେସିନ୍ ଲଗାଇବା ନେଇ ସରକାର ବିଚାର କରୁଛନ୍ତି । ଯେଉଁଥିରୁ ଆପଣ ମେଡିସିନ୍ ବାହାର କରିପାରିବେ । ଆନ୍ଧ୍ରପ୍ରଦେଶରେ ପରୀକ୍ଷାମୂଳକ ଭାବେ ଏହି ଏଟିଏମ୍ ମେସିନର ପ୍ରୟୋଗ କରାଯାଇଥିବା ବେଳେ ଏବେ ସାରା ଦେଶରେ ଏହି ଏଟିଏମ୍ ମେସିନ୍ ଲଗାଇବା ପାଇଁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ତେବେ ଏହି ଏଟିଏମର ପୁରା ନାଁ ହେଉଛି ଏନି ଟାଇମ୍ ମେଡିସିନ୍ । ଯେଉଁଥିରେ ବ୍ରାଣ୍ଡଡେଡ୍ ଏବଂ ସାଧାରଣ ଔଷଧ ମଧ୍ୟ ଉପଲବ୍ଧ ହେବ । ଆଉ ଏହି ଏଟିଏମରେ ଟାବଲେଟ୍ ସମେତ ସିରପ ମଧ୍ୟ ମିଳିବ ।

ନ୍ୟାସନାଲ ଲିଷ୍ଟ ଅଫ ଏସେନସିଆଲ ମେଡିସିନ୍ ଲିଷ୍ଟରେ ଉପଲବ୍ଧ ଥିବା ଅଧିକରୁ ଅଧିକ ମେଡିସିନ୍ ଏହି ଏଟିଏମରେ ମିଳିବ । ତେବେ ଆପଣଙ୍କୁ କହିରଖୁଛୁ, ସାଧାରଣ ରୋଗ ପାଇଁ ଆବଶ୍ୟକୀୟ ଔଷଧ ନ୍ୟାସନାଲ ଲିଷ୍ଟ ଅଫ ଏସେନସିଆଲ ମେଡିସିନ୍ ଲିଷ୍ଟରେ ଉପଲବ୍ଧ ଅଟେ । ଏଥିରେ ୩ ଶହରୁ ଅଧିକ ଅତ୍ୟାବଶ୍ୟକୀୟ ଔଷଧ ରହିଛି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶରେ ଏହି ଏଟିଏମର ସଫଳତା ପରେ ଏବେ ସାରା ଦେଶରେ ଏହି ଏଟିଏମ୍ ସ୍ଥାପନ କରିବାକୁ ଯୋଜନା କରାଯାଉଛି । ଆନ୍ଧ୍ରପ୍ରଦେଶରେ ୧୫ଟି ସ୍ଥାନରେ ଏଭଳି ମେଡିସିନ୍ ଏଟିଏମ୍ ଲାଗିଛି । ତେବେ ଆସନ୍ତୁ ଜାଣିବା କେମିତି କାମ କରୁଛି ଏହି ଏଟିଏମ୍ ।

ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଆପଣ ଚାହୁଁଥିବା ମେଡିସିନ୍ କିପରି ଆପଣ ଏହି ଏଟିଏମରୁ ପାଇପାରିବେ । ତେବେ ଏହି ଏଟିଏମ୍ ଆପଣଙ୍କ ପ୍ରେସକ୍ରିପସନକୁ ସ୍କାନ୍ କରିବା ପରେ ହିଁ ସେଥିରେ ଉଲ୍ଲେଖ ଥିବା ମେଡିସିନ୍ ଆପଣଙ୍କୁ ପ୍ରଦାନ କରିବ । ଆଉ ସବୁଠାରୁ ବଡ କଥା ହେଉଛି, ଫୋନରେ କଲ କରି ମଧ୍ୟ ଆପଣ ଏଟିଏମରୁ ଔଷଧ ପାଇପାରିବେ । ଆଉ ଏଥି ପାଇଁ ରୋଗୀ ଦୂରରେ ଥିଲେ ମଧ୍ୟ ଡାକ୍ତରଙ୍କୁ ଫୋନ ଯୋଗେ ନିଜ ରୋଗ ବିଷୟରେ କହିବାକୁ ହେବ । ଏବଂ ଡାକ୍ତର ସେହି ରୋଗ ପାଇଁ ମେଡିସିନ୍ ଲେଖିବା ପରେ ଏଟିଏମ୍ କିଓସ୍କକୁ କମାଣ୍ଡ ଦେବାକୁ ହେବ । ଆଉ କମାଣ୍ଡ ପାଇବା କ୍ଷଣି ଏଟିଏମ୍ ମେସିନରୁ ଔଷଧ ବାହାରିବ ।

ତେବେ ଆସନ୍ତୁ ଜାଣିବା କେଉଁ ସବୁ ସ୍ଥାନରେ ଏହି ମେଡିସିନ୍ ଏଟିଏମ୍ ଉପଲବ୍ଧ ହେବ । ଏହି ଏଟିଏମ୍ ଗୁଡିକୁ କିଣିବା ପାଇଁ ନ୍ୟାସନାଲ ରୁରାଲ ହେଲ୍ଥ ମିଶନର ଟଙ୍କା ବ୍ୟବହାର କରାଯିବ । ପ୍ରଥମ ପର୍ଯ୍ୟାୟରେ ଏହି ଏଟିଏମକୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଗ୍ରାମୀଣ କ୍ଷେତ୍ରରେ ଲଗାଯିବ ବୋଲି ଜଣାପଡିଛି ।

ଔଷଧ ଏମିତି ଏକ ଜିନିଷ ଯାହା ପ୍ରାଣୀର ଜୀବନ ବଞ୍ଚାଇଥାଏ । ତେବେ ଅନେକ ସମୟରେ ବିଭିନ୍ନ କାରଣ ଯୋଗୁଁ ଏପରି ମଧ୍ୟ ହୋଇଥାଏ ଆପଣଙ୍କ ଜରୁରୀ ସମୟରେ ଆପଣ ଚାହୁଁଥିବା ମେଡିସିନ୍ ଆପଣ ପାଇନଥାନ୍ତି । କିମ୍ବା ବିଳମ୍ବିତ ରାତିରେ ଯଦି ଆପଣଙ୍କୁ ଔଷଧର ଆବଶ୍ୟକତା ପଡେ, ତେବେ ତାହା ମଧ୍ୟ ଆପଣଙ୍କୁ ମିଳିନଥାଏ । ତେବେ ଏବେ ହୁଏତ ଆପଣଙ୍କୁ ଆଉ ଏସବୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ । କାରଣ ଖୁବ ଶୀଘ୍ର ଆପଣଙ୍କୁ ପାଖକୁ ଆସିବ ମେଡିସିନ୍ ଏଟିଏମ୍ ।