ଭାରତରେ ମହଙ୍ଗା ହେବ ଚିିକତ୍ସା । ଜାଣନ୍ତୁ କଣ ରହିଛି ଏହା ପଛର କାରଣ

35

ଡଲାର ତୁଳନାରେ ଲଗାତାର ଭାବେ ଟଙ୍କାର ମୂଲ୍ୟ ହ୍ରାସ ପାଇଚାଲିଛି । ଏପରିକି ଏବେ ୧ ଡଲାରର ମୂଲ୍ୟ ୭୨ ଟଙ୍କାରେ ପହଞ୍ଚିଛି । ତେବେ ବାରମ୍ବାର ଡଲାରର ମୂଲ୍ୟ ବୃଦ୍ଧି ଫଳରେ ଭାରତରେ ମେଡିକାଲ ଚିକିତ୍ସା ମହଙ୍ଗା ହେବାକୁ ଯାଉଛି । କାରଣ ଟଙ୍କାର ମୂଲ୍ୟ ହ୍ରାସ ଫଳରେ ବିଭିନ୍ନ ଚିକିତ୍ସା ସରଞ୍ଜାମର ଦର ଅହେତୁକ ଭାବେ ବୃଦ୍ଧି ପାଇବ । ଯାହାର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ଉପରେ ପଡିବ ।

ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୦.୭ ପ୍ରତିଶତ ହ୍ରାସ ପାଇଛି । ସେହିଭଳି ୟୁରୋ ତୁଳନାରେ ୭.୬ ପ୍ରତିଶତ ହ୍ରାସ ପାଇଛି । ଯାହାପାଇଁ ମେଡିକାଲ ସରଞ୍ଜାମ ଗୁଡିକର ଦରରେ ବୃଦ୍ଧି ପାଇବ ଓ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ । ତେବେ ମେଡିକାଲ ଇଣ୍ଡଷ୍ଟ୍ରୀର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଏବେ ଏହି ଚିକିତ୍ସା ସରଞ୍ଜାମର ଦର ବୃଦ୍ଧି ହୋଇଛି ସତ କିନ୍ତୁ ଏବେ ଏହାର ଭରଣା କମ୍ପାନୀ ପକ୍ଷରୁ କରାଯାଉଛି ।

ସାଧାରଣତଃ ଭାରତର ୮୦ ପ୍ରତିଶତ ଚିକିତ୍ସା ସରଞ୍ଜାମ ଆମେରିକାରୁ କିଣାଯାଇଥାଏ । ତେଣୁ ଟଙ୍କାର ମୂଲ୍ୟ ବୃଦ୍ଧି ଫଳରେ ଚିକିତ୍ସା ସରଞ୍ଜାମର ଦର ବୃଦ୍ଧି ପାଇବା ସ୍ୱାଭାବିକ । ତେବେ ଏସବୁ ଭିତରେ କାର୍ଡିଏକ ସେଣ୍ଟସ ଓ ଅନ୍ୟ ଉପକରଣର ଦର ସରକାରଙ୍କ ପକ୍ଷରୁ ନିର୍ଦ୍ଧାରଣ କରାଯାଇଛି । ଯାହାର ଦରକୁ ବୃଦ୍ଧି କରିବା ପାଇଁ କମ୍ପାନି ଗୁଡିକୁ ସରକାରଙ୍କ ନିକଟରୁ ଅନୁମତି ନେବାକୁ ପଡିବ । ଏବେ ଏହିସବୁ ଉପକରଣର ଦର ବୃଦ୍ଧି କରିବା ସପକ୍ଷରେ ସରକାର ନାହାନ୍ତି । ତେବେ ମେଡିକାଲ ଆସୋସିଏସନର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଏହିସବୁ ଉପକରଣ ଉପରୁ କଷ୍ଟମ ଡ୍ୟୁଟି କମାଇବାକୁ ସ୍ୱାସ୍ଥ୍ୟ ଓ ଅର୍ଥ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛି । ଏବେ ଏହିସବୁ ଉପକରଣ ଉପରେ ୮ରୁ ୨୮ ପ୍ରତିଶତ ପର୍ଯ୍ୟନ୍ତ କଷ୍ଟମ ଡ୍ୟୁଟି ନିଆଯାଉଛି ।