ଭୂତକୋଠି ପରି ଘରେ ଚାଲିଛି ସରକାରୀ ହୋମିଓପାଥି ଚିକିତ୍ସାଳୟ : ଜୀବନକୁ ପାଣି ଛଡାଇ ରୋଗୀ ଦେଖୁଛନ୍ତି ଡାକ୍ତର

35

କନକ ବ୍ୟୁରୋ : ଭଙ୍ଗା ଦଦରା ଘରେ ଚାଲିଛି ସରକାରୀ ହୋମିଓପାଥି ଚିକିତ୍ସାଳୟ । ବିପଦପୂର୍ଣ୍ଣ ଅବସ୍ଥାରେ ଜୀବନକୁ ପାଣି ଛଡାଇ ରୋଗୀ ଦେଖୁଛନ୍ତି ଡାକ୍ତର । ଚିକିତ୍ସାଳୟର ନଜସ୍ୱ ଗୃହ ନଥିବା ବେଳେ ଜମି ପଟ୍ଟା ନମିଳିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି । କେନ୍ଦ୍ରାପଡା ମାର୍ଶାଘାଇରେ ରହିଛି ଏମିତି ଏକ ରୁଗଣ୍ ଡାକ୍ତରଖାନା ।

ଭୂତକୋଠି ପରି ଦେଖାଯାଉଥିବା ଘରେ ଚାଲିଛି ରୋଗୀ ସେବା । ଛାତରୁ କଂକ୍ରିଟ ସ୍ଲାବ୍ ଖସି ଲୁହା ରଡ୍ ଦେଖାଗଲାଣି । ଭଙ୍ଗା ଘରେ ବିପଦ ସଂକୁଳ ଅବସ୍ଥାରେ ରୋଗୀ ଦେଖୁଛନ୍ତି ଡାକ୍ତର । କେନ୍ଦ୍ରାପଡା ମାର୍ଶାଘାଈ ବ୍ଲକ ଜମପଡାରେ ୨୦୦୩ ମସିହାରୁ ପ୍ରତିଷ୍ଠା ହୋଇଛି ସରକାରୀ ହୋମିଓପାଥି ଡାକ୍ତରଖାନା । ଚିକିତ୍ସାଳୟ ପ୍ରତିଷ୍ଠା ହେବାର ୧୬ ବର୍ଷ ପରେ ବି ନିଜସ୍ୱ ଗୃହ ନଥିବାରୁ ଭଙ୍ଗା ଦଦରା ଘରେ ଚାଲିଛି ସେବା ।

ନିଜସ୍ୱ ଗୃହ ନଥିବାରୁ ସମବାୟ ସମିତିର ଏକ ପୁରୁଣା ଘରେ ୧୬ ବର୍ଷ ହେବ ଚାଲି ଆସୁଛି ଜମପଡା ସରକାରୀ ହୋମିଓପାଥି ଚିକିତ୍ସାଳୟ । ଏବାବଦରେ ଚିକିତ୍ସାଳୟର ଚିକିତ୍ସା ଅଧିକାରୀ କହିଛନ୍ତି ୨୦୦୩ରୁ ଡାକ୍ତରଖାନା ପ୍ରତିଷ୍ଠା ହୋଇଥିବା ବେଳେ ନିଜସ୍ୱ ଗୃହ ପାଇଁ ୨୦୦୯ ମସିହାରୁ ଜାଗା ଚିହ୍ନଟ ସରିଛି । ନୂଆ କୋଠା ନିର୍ମାଣ ପାଇଁ ୨୦ ଲକ୍ଷ ଟଙ୍କାର ଅନୁଦାନ ମିଳିଛି ହେଲେ ଜମିର ପଟ୍ଟା ମିଳୁପାରୁନଥିବାରୁ ନିର୍ମାଣ କାମ ଆରମ୍ଭ ହୋଇପାରୁନାହିଁ । ଜିଲ୍ଲା ପ୍ରଶାସନ ଖୁବଶୀଘ୍ର ଜମପଡା ସରକରୀ ହୋମିଓପାଥି ସିକିତ୍ସାଳୟକୁ ଜମି ପଟ୍ଟା ଯୋଗାଇ ଦେବାକୁ ଦାବି ହେଉଛି ।