କଲେଜ୍ ୧ ଦାବିଦାର୍ ୩ ! କୋରାପୁଟ ମେଡିକାଲ କଲେଜର ଶ୍ରେୟ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଟଣାଓଟରା

36

କନକ ବ୍ୟୁରୋ : ଗୋଟିଏ ମେଡ଼ିକାଲ୍ କଲେଜ, କିନ୍ତୁ ଦାବିଦାର ୩ଟି ରାଜନୈତିକ ଦଳ । ଆଜି କୋରାପୁଟ ମେଡ଼ିକାଲ ଲୋକାର୍ପିତ ହେବା ପରେ ଶ୍ରେୟ ନେବାକୁ ଆଗକୁ ଆସିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ । ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଶ୍ରେୟ ନେବା ପାଇଁ ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା । ଆଉ ଏସବୁ ଭିତରେ ଆଜିଠାରୁ ବିଧିବଦ୍ଧ ଭାବରେ କୋରାପୁଟ୍ ମେଡ଼ିକାଲ କଲେଜରେ ଆରମ୍ଭ ହୋଇଛି ପାଠପଢ଼ା ।

ରାଜ୍ୟରେ ମେଡ଼ିକାଲ କଲେଜ୍ ସଂଖ୍ୟା ୩ରୁ ୫ ହେବା ପାଇଁ ଓଡ଼ିଶାକୁ ଲାଗିଗଲା ପ୍ରାୟ ୫୦ ବର୍ଷ । ଆଉ ଆଜି ଯେତେବେଳେ କୋରାପୁଟ୍ ମେଡ଼ିକାଲ ଲୋକାର୍ପିତ ହେଉଛି, ଶ୍ରେୟ ନେବା ପାଇଁ ଆଗେଇ ଆସୁଛନ୍ତି ରାଜ୍ୟର ୩ ପ୍ରମୁଖ ଦଳ । ମୁଖ୍ୟମନ୍ତ୍ରୀ ମେଡ଼ିକାଲ କଲେଜକୁ ଲୋକଙ୍କ ଉର୍ଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିବା କହିବା ସହ ସିଧାସଳଖ ବିଜେଡି ହାତକୁ ଟେକି ଦେଇଛନ୍ତି ଶ୍ରେୟ ।

ଏହି ଶ୍ରେୟ ନେବାର ଲଢ଼େଇରେ କଂଗ୍ରେସ କହୁଛି-ୟୁପିଏ ସରକାର ଅମଳରେ ଆରମ୍ଭ ହୋଇଥିବା ମେଡ଼ିକାଲ କଲେଜ୍ । ଆଉ ବିଜେପି ସମ୍ମାଦିକ ସମ୍ମିଳନୀରେ କରି ଡିଣ୍ଡିମ୍ ପିଟୁଛି-୬୦ ପ୍ରତିଶତ କେନ୍ଦ୍ରୀୟ ଅନୁଦାନର ଫଳ ।

ମେଡ଼ିକାଲ ପରିସରରେ ସହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତୀ ଉନ୍ମୋଚନ ଏବଂ ମେଡ଼ିକାଲ ଛାତ୍ରଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ଭିତରେ ସାମ୍ନାକୁ ଆସିଛି ଆଉ ଏକ ତଥ୍ୟ । କେମିତି ସରକାରୀ କାର୍ଯ୍ୟକ୍ରମ ପାଲଟି ଯାଇଛି ଦଳୀୟ ପ୍ରଚାରର ମଧ୍ୟମ । ବିଜେଡି ନେତା ଓ କର୍ମୀଙ୍କୁ ସାମିଲ ହେବା ପାଇଁ ସରକାରୀ ସ୍ତରରେ ଫତୱା ଜାରି ହୋଇଥିବା ବେଳେ ବିରୋଧୀ ଦଳର ନେତା ଓ ବିଧାୟକଙ୍କୁ ଭୁଲିଯାଇଛନ୍ତି ରାଜ୍ୟ ସରକାର । ଯାହାର ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିଛି କଂଗ୍ରେସ୍ ।

ଏଠି ପ୍ରଶ୍ନ ଉଠୁଛି

-ଗୋଟିଏ ମେଡ଼ିକାଲ କଲେଜ୍ ପ୍ରତିଷ୍ଠା ପାଇଁ ଯଦି ପ୍ରାୟ ୫୦ ବର୍ଷର ସମୟ ଲାଗୁଛି, ତାକୁ ନେଇ ରାଜନୈତିକ ଦଳ ଭିତରେ ଶ୍ରେୟ ନେବା ପାଇଁ ଲଢ଼େଇ କାହିଁକି ?

-ରାଜନୈତିକ ଦଳ ଗୁଡ଼ିକର ଇଚ୍ଛାଶକ୍ତିର ଏହା କି ପ୍ରକାର ପ୍ରମାଣ ଦେଉଛି ?

-ଶ୍ରେୟ ନେବା ପାଇଁ କୋରାପୁଟ ଯାହା ହେଲା ବାରିପଦାରେ ତାହା ପୁର୍ନରାବୃତି ହେବନି କି