ରାଉରକେଲା ଏନଆଇଟିରେ ହେବ ମେଡିକାଲ କଲେଜ ଓ ଆଡଭାନ୍ସ ରିସର୍ଚ ସେଂଟର ! ପ୍ରସ୍ତାବ ଉପରେ ମୋହର ମାରିଲା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ

29

କନକ ବ୍ୟୁରୋ : ରାଉରକେଲା ଏନଆଇଟିରେ ହେବ ମେଡିକାଲ କଲେଜ ଓ ଆଡଭାନ୍ସ ରିସର୍ଚ ସେଂଟର । ଏନଆଇଟି କର୍ତ୍ତୃପକ୍ଷଙ୍କ ପ୍ରସ୍ତାବ ଉପରେ ମୋହର ମାରିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ । ବିଭାଗୀୟ ସଚିବ ଚିଠି ଲେଖି ଏସଂକ୍ରାନ୍ତରେ ଆବଶ୍ୟକ ମଂଜୁରୀ ପାଇଁ ମେଡିକାଲ କାଉନସିଲ ଅଫ ଇଣ୍ଡିଆକୁ ଆବେଦନ କରିବା ଲାଗି ଏନଆଇଟି ନିର୍ଦେଶକଙ୍କୁ ପରାମର୍ଶ ଦେଇଛନ୍ତି । ରାଉରକେଲା ଏନଆଇଟିରେ ଏମସିଆଇ କର୍ତ୍ତୃପକ୍ଷ ସରଜମିନ ଯାଂଚ କରିବା ପରେ ବିଧିବଦ୍ଧ ଅନୁମତି ପ୍ରଦାନ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଚିଠିରେ ଉଲ୍ଲେଖ ରହିଛି ।

ଏନଆଇଟି ପ୍ରସ୍ତାବକୁ ପ୍ରାଥମିକ ପର୍ଯ୍ୟାୟରେ ଅନୁମତି ମିଳିଛି । ହେଲେ ଆଇଜିଏଚକୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ କରିବା ନେଇ କେନ୍ଦ୍ର ସରକାର କରିଥିବା ଘୋଷଣା ଆଜି ଯାଏଁ କାର୍ଯ୍ୟକାରୀ ହୋଇନାହିଁ । ଯାହାକୁ ନେଇ ରାଉରକେଲା ବାସୀଙ୍କ ମଧ୍ୟରେ ଦ୍ୱନ୍ଦ ସୃଷ୍ଟି କରିଛି । ସେପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । କହିଛନ୍ତି, ଆଇଜିଏଚ ଘୋଷଣା ସହ ଏନଆଇଟି ମେଡିକାଲ କଲେଜ ପ୍ରସ୍ତାବର କୌଣସି ସମ୍ପର୍କ ନାହିଁ । ପ୍ରଧାନମନ୍ତ୍ରୀ ଘୋଷଣା ରାଉରକେଲାରେ ଖୁବ୍ଶୀଘ୍ର କାର୍ଯ୍ୟକାରୀ ହେବ । ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣରେ ବିଳମ୍ବ ଯୋଗୁଁ ଅନେକ ସମୟରେ ରାଉରକେଲା ରାଜନୀତି ସରଗରମ ହୋଇଥିବା ବେଳେ କେନ୍ଦ୍ର ସରକାର, ଏନଆଇଟି ମେଡିକାଲ କଲେଜ ପ୍ରସ୍ତାବ ଉପରେ ମୋହର ମାରିବା ଅନ୍ୟ କିଛି ରାଜନୈତିକ ଦିଗକୁ ଇଂଗିତ କରୁଛି ।