ମେଧାବୀଙ୍କୁ ଠକିଲେ ସରକାର ! ନକଲି ଛାତ୍ରଙ୍କୁ ଦିଆଯାଇଛି କୋଟି କୋଟି ଟଙ୍କାର ବୃତ୍ତିରାଶି

83

କନକ ବ୍ୟୁରୋ : ୫ ମାସ ତଳେ କନକ ନ୍ୟୁଜରେ ମେଧାବୃତି ଘୋଟାଲା ସଂପର୍କରେ ପ୍ରକାଶ ପାଇଥିବା ରିପୋର୍ଟ ଏବେ ସତ୍ୟ ପ୍ରମାଣିତ ହୋଇଛି । ଉଚ୍ଚ ଶିକ୍ଷା ବିଭାଗର ଅଡିଟରୁ ବର୍ଷେ ତଳୁ ଏ ମହାଦୁର୍ନୀତି ଧରାପଡ଼ିଥିଲେ ସୁଦ୍ଧା ସରକାର ନିରବଦ୍ରଷ୍ଟା ହୋଇ ବସିଛନ୍ତି । ଓକେସିଏଲ୍ ଓ ଉଚ୍ଚଶିକ୍ଷା ବିଭାଗର ମଧୁଚନ୍ଦ୍ରିକା ଭିତରେ ହଜାର ହଜାର ଛାତ୍ରଙ୍କ ମେଧାବୃତି ଟଙ୍କାକୁ ନକଲି ଛାତ୍ରଙ୍କ ଦ୍ୱାରା ହଡ଼ପ କରାଯାଇଥିଲେ ସୁଦ୍ଧା କୌଣସି ଉଚ୍ଚପଦସ୍ଥ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏକ ବିଲରେ ୩୦୨ଜଣ କଲେଜ ଛାତ୍ରଛାତ୍ରୀଙ୍କୁ ଦୁଇ ବର୍ଷରେ ୨୦ ହଜାର ଟଙ୍କା ଲେଖାଏଁ ବୃତିରାଶି ଦିଆଯାଇଥିବା ଦର୍ଶାଯାଇଛି । ଅଭିଯୋଗ ପରେ ଅଡିଟରୁ ଜଣାପଡ଼ିଛି- ୧୯୮ ଜଣ ଛାତ୍ରଛାତ୍ରୀଙ୍କ ଆକାଉଂଟ୍ ରିନ୍ୟୁଆଲ୍ ହୋଇନଥିଲେ ସୁଦ୍ଧା ବେଆଇନ ଭାବେ ବୃତିରାଶି ଦିଆଯାଇଛି ଓ ସେ ଫାଇଲକୁ ହଜାଇ ଦିଆଯାଇଛି । ଏଭଳି ଭାବେ ୩୯ ଲକ୍ଷ ୬୦ ହଜାର ଟଙ୍କା ତୋଷରପାତ କରାଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ୨୩ଜଣ ଛାତ୍ରଛାତ୍ରୀଙ୍କ ଆକାଉଂଟକୁ ଟଙ୍କା ଦିଆଯାଇଥିବା ଦର୍ଶାଯାଇଥିଲେ ସୁଦ୍ଧା ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଠପଢ଼ୁନଥିବା ୧୭ଜଣ ଅଯୋଗ୍ୟ-ଅଣଛାତ୍ରଙ୍କୁ ବୃତ୍ତିରାଶି ମିଳିଛି ।

ମୋଟ ଉପରେ ଅନେକ କ୍ଷେତ୍ରରେ କଲେଜ ମୁଖ୍ୟଙ୍କ ଅନୁମୋଦନ ନଥାଇ ବା ଜାଲ୍ କରାଯାଇ ବୃତି ଟଙ୍କା ଉଠାଯାଇଛି । ଏମତି ଭାବରେ ଗୋଟିଏ ବିଲରେ ୬୦ ଲକ୍ଷ ଟଙ୍କା ଲୁଟ୍ କରାଯାଇଛି । କେବଳ ୨୦୧୪ ମସିହାରେ ଏଭଳି ଭାବେ ୪୩୬ଟି ବିଲ୍ ପ୍ରସ୍ତୁତ ହୋଇଛି । ଏହାଦ୍ୱାରା ଯୋଗ୍ୟ ମେଧାବୀ ଛାତ୍ରଛାତ୍ରୀଙ୍କ ପାଖରେ ବୃତି ରାଶି ନପହଂଚି କୋଟି କୋଟି ଟଙ୍କା ହଡପ କରାଯାଇଥିବା ସ୍ପଷ୍ଟ ହୋଇଛି ।

ଉଚ୍ଚ ଶିକ୍ଷା ବିଭାଗ ଯୁକ୍ତ ଦୁଇ, ଯୁକ୍ତ ତିନି, ପିଜି ଓ ବୈଷୟିକ କଲେଜରେ ପଢ଼ୁଥିବା ପ୍ରାୟ ୨୫ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତି ବର୍ଷ ମେଧାବୃତି ଦେଇଥାଏ । ୭୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ର ଓ ୬୦ ପ୍ରତିଶତରୁ ଅଧିକ ମାର୍କ ରଖୁଥିବା ଛାତ୍ରୀମାନେ ଏହି ମେଧାବୃତି ପାଇଥାନ୍ତି । ଓଡ଼ିଶା ସରକାର ଓଡ଼ିଶା ନଲେଜ୍ କର୍ପୋରେସନ୍ ବା ଓକେସିଏଲକୁ ଟଙ୍କା ବାଂଟିବାକୁ ଦାୟିତ୍ୱ ଦେଇ ଦୁର୍ନୀତି ଓ ଠକେଇକୁ ବଢ଼ାଇଦେଇଥିଲେ । ଓକେସିଏଲ୍, ଉଚ୍ଚ ଶିକ୍ଷା ବିଭାଗର କିଛି ଅଧିକାରୀ ଓ ବ୍ୟାଙ୍କ୍ ଅଧିକାରୀଙ୍କ ଅସାଧୁ ମେଂଟ ଯୋଗୁଁ ପ୍ରାୟ ୫୦ କୋଟି ଟଙ୍କାର ଘୋଟାଲା ହୋଇଛି ବୋଲି ସେତେବେଳେ ସୂଚନା ଅଧିକାର କର୍ମୀମାନେ ଅଭିଯୋଗ କରିଥିଲେ ।