ପହଣ୍ଡି ବିଜେ ସମୟରେ ହୁଏ ସେନାପଟ୍ଟା ଲାଗି କରାଯିବାର ବିଧି ! ଜାଣନ୍ତୁ, କାହିଁକି ଏ ବିଧି କରାଯାଏ ?

131

ରତ୍ନ ସିଂହାସନରୁ ଯେତେବେଳେ ମହାପ୍ରଭୁ ପହଣ୍ଡି ବିଜେ କରନ୍ତି, ସେତେବେଳେ ଠାକୁରଙ୍କ ଦେହରେ ସେନାପଟ୍ଟା ଲାଗି କରାଯିବାର ବିଧି ରହିଛି । ତେବେ ଏହା କାହିଁକି ଲଗାଯାଏ ? ସମସ୍ତ ଭକ୍ତ ମାନଙ୍କ ମନରେ ଏକ ଧାରଣା ଆସିବା ସ୍ୱାଭାବିକ କଥା । ଏହି ସେନାପଟ୍ଟାର ଅର୍ଥ କଣ ? ପ୍ରକୃତରେ ଆମେ ଯଦି ଦେଖିବା ତେବେ ମହାପ୍ରଭୁଙ୍କର ଯେତେବେଳେ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହୋଇଥାଏ । କେବଳ ସେତିକି ବେଳେ ହିଁ ଏହା ଲାଗି କରାଯିବାର ବିଧି ରହିଛି । କାରଣ ଠାକୁର ପହଣ୍ଡି ହେବା ସମୟରେ ଅନେକ ଟଣା ଓ ଘୋଷରା ହୋଇଥାଆନ୍ତି । ତେଣୁ ପ୍ରଭୁଙ୍କର ଶ୍ରାଅଙ୍ଗରେ କୈାଣସି ବାଧା ନହେବା ପାଇଁ ଏହାକୁ ଲାଗି କରାଯାଇଥାଏ । ପହଣ୍ଡି ହେବା ପୂର୍ବଦିନ ରାତିରୁ ହିଁ ଏହା ଠାକୁରଙ୍କ ପିଠି ପାଖରେ ଲାଗି କରାଯାଇ ଥାଏ ।

ଜଗନ୍ନାଥ ଓ ବଳଭଦ୍ରଙ୍କ ମହାପ୍ରଭୁଙ୍କର ଏହା ଲାଗି କରାଯାଏ । କାରଣ ଏହି ଦୁଇ ଭାଇ ପାଟ ଡୋରିରେ ଝୁଲି ଝୁଲି ପହଣ୍ଡି ବିଜେ କରନ୍ତି । ତେଣୁ ତାଙ୍କର ଶରୀରକୁ ଆଘାତ ନହେବାପାଇଁ ଏହା ଲାଗି କରାଯାଏ । ଏହା ଦ୍ୱାରା ଠାକୁରମାନଙ୍କ ପହଣ୍ଡି ବିଜେ କରିବାରେ ସୁବିଧା ହୋଇଥାଏ । ପହଣ୍ଡି ସରିଲାପରେ ଅଣସର ପିଣ୍ଡିରେ ଏହା ଖୋଲାଯାଇଥାଏ । ପରେ ଶ୍ରୀଗୁଣ୍ଡିଚା ଯାତ୍ରା ସରିଲା ପରେ ମାଉସୀ ମା’ଘରେ ଏହାକୁ ଖୋଲାଯାଇଥାଏ । ପରେ ପୁଣି ବାହୁଡା ଯାତ୍ରା ସମୟରେ ଏହା ଲାଗି କରାଯିବା ସହ ନୀଳାଦ୍ରୀ ବିଜେ ସରିବା ପରେ ରତ୍ନ ସିଂହାସନ ଉପରେ ଏହା ଖୋଲାଯାଇଥାଏ । ଏହାସହ ଠାକୁରଙ୍କ ଅଧରକୁ ସୁରକ୍ଷିତ ଦେବାପାଇଁ ଅଧର ଗଣ୍ଠି, ପରେ ରଥ ଉପରେ ବସିବାବେଳେ ପେଟଚୁଲି ଆଦି ଦିଆଯିବାର ବିଧି ରହିଛି । ତେବେ ଏହି ସେନାପଟ୍ଟା ଉପରେ ହିଁ ଅନେକ ପାଟଶାଢୀ ଲାଗି କରାଯାଇଥାଏ । ଯାହା ଲାଗି ଏହାର କେବଳ ଉପର ଭାଗ ହିଁ ବାହାରକୁ ଦେଖାଯାଇଥାଏ ।