ମାତୃହନ୍ତା ପୁଅର ବର୍ବର କାଣ୍ଡ ! ମା’କୁ ମାରିବା ପରେ ନିଆଁ ଲଗାଇ ଜାଳିଦେଲା

50

କନକ ବ୍ୟୁରୋ : ମାଆକୁ ତଂଟି ଚିପି ହତ୍ୟା କଲା ପୁଅ । ଆଉ ମାଆର ମୃତ୍ୟୁ ପରେ ନିଆଁ ଲଗାଇ ଜାଳିଦେଲା । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାରେ । ରୋରୁଆଁ ଥାନା ଅନ୍ତର୍ଗତ ପୁରାଣସାହି ଗାଁରେ ଜଣେ ମାଆକୁ ପୁଅ ମାରି ଜାଳି ଦେବା ଘଟଣାକୁ ନେଇ ଚାଂଚଲ୍ୟ ଖେଳିଯାଇଛି । ପଡୋଶୀଙ୍କ କହିବା ଅନୁଯାୟୀ ପ୍ରଥମେ ମଫଲର ଗୁଡାଇ ମାଆର ତଂଟି ଚିପି ହତ୍ୟା କରିଥିଲା ପୁଅ ।

ଆଉ ଘର ଭିତରେ ହିଁ ନିଆଁ ଲଗାଇ ଜାଳିଦେଇଥିଲା । ପୁଅର ସାମାନ୍ୟ ମସ୍ତିଷ୍କ ବିକୃତି ଥିବା ବେଳେ ଅନେକ ସମୟରେ ସେ ମଦ୍ୟପାନ ମଧ୍ୟ କରିଥାଏ । ମାଆ ମୂଲ ମଜୁରୀ ଲାଗି ପରିବାର ଚଳାଉଥିବା ବେଳେ ପଇସା ନେବା ପାଇଁ ମାଆ ସହ ଝଗଡା କରିଥାଏ । ଗତ ରାତିରେ ମଧ୍ୟ ମାଆ-ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ତେବେ ମାତୃହନ୍ତା ପୁଅକୁ ଗିରଫ କରିବା ସହ ଅଧିକ ତଦନ୍ତ କରୁଛି ପୋଲିସ ।