ମୟୁରଭଞ୍ଜ : ବଡଡାଳିମା ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ

39

କନକ ବ୍ୟୁରୋ : ମୟୁରଭଞ୍ଜ ଜିଲ୍ଲା ତିରିଙ୍ଗ ଥାନା ବଡଡାଳିମାର ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି  । ନବମ ଶ୍ରେଣୀର ଆଦିବାସୀ ଛାତ୍ର ଗୋପାଳ ମାର୍ଣ୍ଣି ଗତକାଲି ରାତିରେ ହଷ୍ଟେଲ ପିଲାଙ୍କ ସହ ରାତ୍ରିଭୋଜନ କରି ଶୋଇବାକୁ ଯାଇଥିଲେ । ହେଲେ ସକାଳେ ହଷ୍ଟେଲର ସମସ୍ତ ଛାତ୍ର ନିର୍ଧାରିତ ସମୟରେ ଉଠିପଡିଥିଲେ ସୁଦ୍ଧା ଗୋପାଳ ଶୋଇ ରହିଥିଲେ । ତେବେ ବିଳମ୍ବିତ ସମୟ ଯାଏଁ ଗୋପାଳ ନଉଠିବାରୁ ଅନ୍ୟ ପିଲାମାନେ ପ୍ରଧାନ ଶିକ୍ଷକ ଓ ଛାତ୍ରାବାସ ନିରୀକ୍ଷକଙ୍କୁ ଖବର ଦେଇଥିଲେ ।

ପରେ ଗୋପାଳଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଗୋପାଳଙ୍କ ରହସ୍ୟ ଜନକ ମୃତ୍ୟୁର ଉପଯୁକ୍ତ ତଦନ୍ତ ଦାବୀ କରିଛନ୍ତି ତାଙ୍କ ମା’ । ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିଲେ ମୃତକଙ୍କ ପରିବାରକୁ ଉପଯୁକ୍ତ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ରାଇରଙ୍ଗପୁର ସହକାରୀ ଉପଜିଲ୍ଲାପାଳ ଭୋଳାନାଥ ସେଠୀ ।