ଆଦିବାସୀଙ୍କ ପରିବାର ପୋଷୁଛି ଆମ୍ବଚାଷ : ଦିଲ୍ଲୀ, ଉତ୍ତରପ୍ରଦେଶ ଓ ପଞ୍ଜାବ ସହରରେ ବିକ୍ରି ହେଉଛି ବାଙ୍ଗିରିପୋଷି ଆମ୍ବ

40

କନକ ବ୍ୟୁରୋ : ଆଦିବାସୀଙ୍କ ପରିବାର ପୋଷୁଛି ଆମ୍ବ । ବଗିଚାରେ ଫଳିଥିବା ଆମ୍ବ ରାଜ୍ୟ ବାହାରେ ବିକ୍ରି କରି ପରିବାର ପୋଷିବା ସହ ୨ ପଇସା ସଂଚୟ କରୁଛି ମୟୂରଭଂଜର ଚାଷୀ । ଜିଲ୍ଲାରେ ଅନେକ ଆମ୍ବ ଚାଷୀ ଥିବା ବେଳେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଏବେ ବଦଳି ଯାଇଛି ଚାଷିଙ୍କ ଭାଗ୍ୟ ।

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକର ବାସ୍କେତୋଳା ଗାଁ । ଗାଁର ୪୩ ଜଣ ଆଦିବାସୀ ଚାଷିଙ୍କ ବଗିଚାରେ ପ୍ରାୟ ୧୮ଶହରୁ ଅଧିକ ଆମ୍ବଗଛ ରହିଛି । ଆଉ ଏବେ ଅମଳ ସମୟରେ ଗଛରେ ଲଦି ହୋଇଛି ସୁନ୍ଦରୀ, ଆଲଫାନସୋ, ଦଶେରୀ, ମଲ୍ଲିକା, ଲାଙ୍ଗ୍ରା ପରି ସୁସ୍ୱାଦୁ ଆମ୍ବ । ଅନ୍ୟରାଜ୍ୟ ଅପେକ୍ଷା ଏଠାରେ ଆଗୁଆ ଆମ୍ବ ଫଳୁଥିବାରୁ ରାଜ୍ୟ ବାହାରେ ମୟୁରଭଂଜ ଆମ୍ବର ବେଶ ଚାହିଦା ରହିଛି । ତେଣୁ ଆମ୍ବକୁ ରାଜ୍ୟ ବାହାରେ ବିକ୍ରି କରିବା ପାଇଁ ଉଦ୍ୟମ କରିଛି ଜିଲ୍ଲା ପ୍ରଶାସନ । ଅମଳ ଆମ୍ବକୁ ବିକ୍ରି କରିବା ପାଇଁ ଅନ୍ତଃରାଜ୍ୟ କମ୍ପାନୀ ସହ ଯୋଗାଯୋଗ କରାଯାଇଛି । ସମସ୍ତ ଚାଷୀଙ୍କୁ ସଂଗଠିତ କରି ମୟୂରଭଞ୍ଜ ଫୁଡସ ଆଣ୍ଡ ଭେଜିଟେବୁଲସ୍ ପ୍ରଡ୍ୟୁସର୍ସ ନାମକ ଏକ କମ୍ପାନୀ ଗଠନ କରାଯାଇଛି । କମ୍ପାନୀ ଅଧିନରେ ଆମ୍ବକୁ ଉଚ୍ଚ ମାନର ପ୍ୟାକିଂ କରି ରାଜ୍ୟ ବାହାରକୁ ରପ୍ତାନି କରାଯାଉଛି । ଫଳରେ ଚାଷୀ ବେଶ ଦୁଇ ପଇସା ରୋଜଗାର କରୁଛି ।

ଦିଲ୍ଲୀ, ଉତ୍ତରପ୍ରଦେଶ ଓ ପଞ୍ଜାବରେ ମୟୂରଭଂଜର ଆଲଫାନସୋ ଓ ଦଶେରୀ ଆମ୍ବର ବେଶ ଚାହିଦା ରହିଛି । ଏହାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ସହାୟତାରେ ମଦର୍ସ ଡାଏରୀ ଓ ନାଫେଡ୍ ପରି ସଂସ୍ଥା ଚଳିତବର୍ଷ ପାଖାପାଖି ୨୦୦ ମେଟ୍ରିକ ଟନ୍ ଆମ୍ବ ମୟୂରଭଞ୍ଜରୁ କିଣିଛି । ସେହିଭଳି ଜିଲ୍ଲାରୁ ଆଜି ସୁଦ୍ଧା ପ୍ରାୟ ଅଢେଇ କୋଟି ଟଙ୍କାର ଆମ୍ବ ବିକ୍ରି କରାଯାଇଛି । ଦିନେ ଯେଉଁ ଆମ୍ବ ଚାଷୀ ନାମକୁ ମାତ୍ର କେଇଟଙ୍କା ପାଉଥିଲା ପ୍ରଶାସନର ହସ୍ତକ୍ଷେପ ପରେ ସିଧାସଳଖ ତାଙ୍କ ଆକାଉଣ୍ଟରେ ଲକ୍ଷାଧିକ ଡିପୋଜିଟ୍ ହେଉଛି । ସମଗ୍ର ଜିଲ୍ଲାରେ ୧୫ହଜାର ୮ଶହ ହେକ୍ଟର ଆମ୍ବ ବଗିଚାରେ ଆମ୍ବ ଚାଷ ଫଳୁଥିବା ବେଳେ ୩ଶହରୁ ଅଧିକ ଆମ୍ବ ଚାଷୀ ଜିଲ୍ଲା ପ୍ରଶାସନ ଅଧିନରେ ପଞ୍ଜିକୃତ ହୋଇଛନ୍ତି ।

ଆମ୍ବଚାଷୀଙ୍କ ସଫଳତାକୁ ଦେଖି ଅନେକ ନୂତନ ଚାଷୀ ଆମ୍ବଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ବେଳେ ଚାଷୀଙ୍କୁ ପ୍ରତ୍ସାହନ ଯୋଗଇବା ଏବଂ ଚାଷୀଙ୍କ ଅମଳ ଫଳକୁ ଅନ୍ତଃରାଜ୍ୟ ବଜାରରେ ବିକ୍ରି କରାଇବାରେ ସଫଳ ହୋଇ ପୁରସ୍କୃତ ହୋଇଛି ମୟୂରଭଞ୍ଜ ଜିଲ୍ଲା ।