ଛୋଟ ନିର୍ବାଚନ ବଡ଼ ପ୍ରଭାବ । ବିଜାତଳାରୁ ବାଜିବ କି ୨୦୧୯ ବିଗୁଲ ?

ଗୋଟିଏ ଆସନ ପାଇଁ ଚାଲିଛି ଲଢ଼େଇ  । କାଲି ଜଣାପଡ଼ିବ କାହା ହାତକୁ ଯିବ ଜିଲ୍ଲାପରିଷଦ ଆସନ ।

417

କନକ ବ୍ୟୁରୋ: ମୟୁରଭଞ୍ଜରେ ଚାଲିଛି ମହାଲଢ଼େଇ । ଗୋଟିଏ ଜିଲ୍ଲା ପରିଷଦ ଆସନ ପାଇଁ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଚାଲିଛି କଡ଼ା ଟକ୍କର । ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ୩୨ ନମ୍ବର ଜୋନର ଜିଲ୍ଲାପରିଷଦ ଉପ-ନିର୍ବାଚନ ପାଇଁ ଶେଷ ହୋଇଛି ଭୋଟ୍ ଗ୍ରହଣ ପ୍ରକ୍ରିୟା । ଗତ ଜିଲ୍ଲାପରିଷଦ ନିର୍ବାଚନରେ ବିଜୟୀ ହୋଇଥିବା ବିଜେପି ସଦସ୍ୟ ଛୋଟରାୟ ମାରାଣ୍ଡିଙ୍କ ଦେହାନ୍ତ ପରେ ଏଠାରେ ଉପନିର୍ବାଚନ ହେଉଛି । ଆଉ ଏହି ଉପନିର୍ବାଚନ ପାଇଁ ଜିତିବା ପାଇଁ ଜାନ୍ ଲଗାଇ ଦେଇଛନ୍ତି ଶାସକ ଓ ବିରୋଧୀ ଦଳ ।

ଆଗାମୀ ନିର୍ବାଚନ ପୂର୍ବରୁ ମୟୁରଭଞ୍ଜରେ ଉଭୟ ଶାସକ ଓ ବିରୋଧୀ ହେଭିୱେଟ୍ ନେତାଙ୍କ ପାରିବା ପଣିଆ ଉପରେ ମଧ୍ୟ ଏହି ନିର୍ବାଚନ ଫଳାଫଳ ଉ ଦେଖିବାକୁ ମିଳିବ । ଏହି ଆସନରେ ୫ଟି ପଂଚାୟତର ୨୩ହଜାର ଭୋଟର ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏହି ଜିଲ୍ଲାପରିଷଦ ଜୋନରେ ୨୦୧୭ ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ । ଗତ ୨୦୧୭ ଜିଲ୍ଲା ପରିଷଦ  ନିର୍ବାଚନରେ ଏହି ଜୋନରେ ବିଜେପି ପ୍ରାର୍ଥୀ ଛୋଟରାୟ ମାରାଣ୍ଡିଙ୍କୁ ୬୯୨୦ ଖଣ୍ଡ ,ଜେଏମଏମ ପ୍ରାର୍ଥୀଙ୍କୁ ୫୧୭୪ ଖଣ୍ଡ ,ବିଜେଡି ପ୍ରାର୍ଥିକୁ ୩୨୨୧ ଖଣ୍ଡ ଭୋଟ ଓ କଂଗ୍ରେସ ପ୍ରାର୍ଥୀଙ୍କୁ ୩୨୧ ଖଣ୍ଡ ଭୋଟ ମିଳିଥିଲା  । ତେବେ ଏଠାରେ ଏହି ଉପନିର୍ବାଚନ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି ।

ମୟୁରଭଞ୍ଜର ଏହି ଗୋଟିଏ ଜିଲ୍ଲାପରିଷଦ ଆସନ ଉପରେ ଯଦି ଅନୁଧ୍ୟାନ କରାଯାଏ ତେବେ ବିଜାତଳା ବ୍ଲକର ୩୨ନଂ ଜୋନରେ ୫ଟି ଗ୍ରାମ ପଞ୍ଚାୟତର ୮୨ଟି ବୁଥରେ ପାଖାପାଖି ୨୩ ହଜାର ଭୋଟର ଅଛନ୍ତି  । ଗତ ପଞ୍ଚାୟତ ନିର୍ବାଚନରେ ଉଭୟ ବିଜେଡ଼ି ଓ କଂଗ୍ରେସକୁ ଚିତପଟାଙ୍ଗ କରି ବିଜୟ ହାସଲ କରିଥିଲେ ବିଜେପି ପ୍ରାର୍ଥୀ ଛୋଟରାୟ ମାରାଣ୍ଡି । ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ହେବାକୁ ଥିବା ଏହି ଉପନିର୍ବାଚନର ଫଳାଫଳ ସାରା ଜିଲ୍ଲାର ରାଜନୈତିକ ମାହୋଲ ଉପରେ ପ୍ରଭାବ ପକାଇବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଧରିଛି । ସେଥିପାଇଁ ରାଜନୈତିକ ଦଳମାନେ ନିଜ ନିଜର ରଣକୌଶଳ ସହ ନିର୍ବାଚନୀ ମଇଦାନକୁ ନିଜର ଅଭିଜ୍ଞ ନେତାମାନଙ୍କୁ ଓହ୍ଲାଇ ଲୋକଙ୍କ ମନ ଜିଣିବାକୁ ପ୍ରୟାସ କରିଥିଲେ ।

ସେପଟେ ଗତ ଜିଲ୍ଲାପରିଷଦ ନିର୍ବାଚନରେ ପରାଜିତ ହୋଇଥିବର ବିଜେଡ଼ି ଏହି ନିର୍ବାଚନକୁ ଗୁରୁତ୍ୱର ସହ ନେଇଛି ।  କାରଣ ଗତ ଜିଲ୍ଲାପରିଷଦ ନିର୍ବାଚନରେ ପରାଜୟର ଦ୍ୱାର ଦେଖିଥିବା ଶାସକ ବିଜେଡ଼ି ଦଳ ଏହି ନିର୍ବାଚନ ଫଳାଫଳକୁ ବେଶ୍ ଗୁରୁତ୍ୱର ସହ ନେଉଛନ୍ତି । ସେହିପରି ନିଜ ଭୋଟରଙ୍କ ବିଶ୍ୱାସ ବଜାୟ ରଖିବା ବିଜେପି ପାଇଁ ବି ସମ୍ମାନର ପ୍ରଶ୍ନ । ସେହିପରି ଜେଏମଏମର ବି ସଙ୍ଗଠନ ସୁଦୃଢ ଥିବାରୁ ଛୋଟ ନିର୍ବାଚନରେ ବି ବଡ ଧରଣର କସରତ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ଗତ ନିର୍ବାଚନରେ ଜେଏମଏମ ଦ୍ୱିତୀୟ ସ୍ଥାନରେ ରହିଥିଲା । ଏହି ନିର୍ବାଚନର ଫଳାଫଳ ଲୋକଙ୍କ ମିଜାଜ ଓ ରାଜନୈତିକ ଦଳର ବିଶ୍ୱସନୀୟତାକୁ ଜାହିର କରିବ ବୋଲି କୁହାଯାଉଛି ।