କୋକେଇରେ ପୁଅକୁ ଅପେକ୍ଷା କରିଥିଲା ମୃତ ମା’ ! ମୁଖାଗ୍ନି ଦେବାପାଇଁ ଆସିପାରିଲାନିି ପୁଅ, ଶେଷରେ ଗାଁ ଲୋକେ କଲେ ଶବସତ୍କାର

30

କନକ ବ୍ୟୁରୋ : କୋକେଇ ଉପରେ ମୃତ ମା’ ଅପେକ୍ଷା କରିଥିଲା ପୁଅକୁ । ହେଲେ ପୁଅ ଆସିପାରିଲାନି ମୁଖାଗ୍ନି ଦେବାକୁ । ଏପରି ଅଭାବନୀୟ ଘଟଣା ଘଟିଛି ମୟୁରଭଂଜ ଜିଲ୍ଲା ବରିପଦା ସଦର ଥାନା ଅନ୍ତର୍ଗତ ଶିକାରଘାଟି ଗାଁରେ । ଦେଶୀମଦ ରଖିବା ଅଭିଯୋଗରେ ପୁଅ ଗିରଫ ହୋଇଥିବାରୁ ଆସିପାରିନଥିଲା । ଶେଷରେ ଗାଁ ଲୋକେ ଶବସକ୍ରାର କରିଛନ୍ତି ।

ମୟୂରଭଂଜ ଜିଲ୍ଲା ଶିକାରଘାଟି ଗାଁର ଏପରି ଏକ ଦୁଃଖଦ ଘଟଣା ଘଟିି । ଗତକାଲି ତାଙ୍କର ଅକାଳ ମୃତ୍ୟୁ ପରେ କିଛି ଘଂଟା ପାଇଁ ପୁଅର ଆସିବା ବାଟକୁ ଅପେକ୍ଷା କରିବସିଥିଲା ମାର ଶବ । ହେଲେ ଆସିପାରିନଥିଲା ପୁଅ । କାହିଁକି ନା ପୁଅ ସଂଜୟ ସୋରେନ ଗତ ୯ତାରିଖ ଦିନ ଦେଶୀମଦ ରଖିଥିବା ଅଭିଯୋଗରେ ଗିରଫ ପରେ କୋର୍ଟ ଚାଲାଣ ହୋଇଥିଲା । ଗତକାଲି ଜାମିନରେ ଆଣିବା ପାଇଁ ପରିବାରଲୋକେ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଓକିଲମାନଙ୍କ ଆନ୍ଦୋଳନ ଯୋଗୁଁ କେହି ସେମାନଙ୍କୁ ସହାୟତା କରିନଥିଲେ । ଫଳରେ ସଂଜୟକୁ ଜାମିନ ମିଳିନଥିଲା ।

ପୁଅକୁ ଆଣିବା ପାଇଁ ସବୁ ପ୍ରୟାସ ଫେଲ ମାରିବା ପରେ ଶେଷରେ ଗାଁ ଲୋକେ ଶବକୁ ଉଠାଇ ଶ୍ମଶାନକୁ ନେଇଥିଲେ । ଗାଁରେ ବୈଠକ ବସି ନିଷ୍ପତି ହୋଇଥିଲା ଯେ ସଂଜୟ ସୋରେନ ଆସିପାରିନଥିବାରୁ ତାର ସ୍ତ୍ରୀ ଏବଂ ସାନ ଭାଇ ପରମ୍ପରା ଅନୁସାରେ ଶବସକ୍ରାର କରିବେ । ଶେଷରେ ଗାଁ ଲୋକଙ୍କ ଉପସ୍ଥିତିରେ ନିଷ୍ପତି ମୁତାବକ ସେୟା ହିଁ କରାଗଲ । ଗତ ୯ତାରିଖ ଦିନ ଦେଶିମଦ ରଖିବା ଅଭିଯୋଗରେ ଗିରଫ ୪ଜଣଙ୍କ ମଧ୍ୟରୁ ଅନ୍ୟ ଜଣେ ଅଭିଯୁକ୍ତଙ୍କ ବାପା ଆଜି ପ୍ରାଣ ହରାଇଛନ୍ତି । ଏହି ଘଟଣା ସ୍ଥାନିୟ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।