ମୟୂରଭଞ୍ଜ : ଦୁଆରଶୁଣି ଘାଟିରେ କାର ଉପରେ ଓଲଟି ପଡିଲା ଟ୍ରକ୍

244

କନକ ବ୍ୟୁରୋ : କାର ଉପରେ ଓଲଟି ପଡିଲା ଟ୍ରକ । ମୟୂରଭଞ୍ଜ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣି ଘାଟିରେ  କାର ଉପରେ ଓଲଟି ପଡିଛି ଏହି ଟ୍ରକ । କାରଟି ଟ୍ରକ ତଳେ ଚାପି ହୋଇ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି । ସୂଚନା ଅନୁଯାୟୀ ନାସିକରୁ ପିଆଜ ନେଇ କୋଲକାତା ଯାଉଥିବା ଟ୍ରକ ଅଚାନକ ଭାରସାମ୍ୟ ହରାଇ ରାସ୍ତାରେ ଛିଡା ହୋଇଥିବା କାର ଉପରେ ଓଲଟି ପଡିଥିଲା । ତେବେ କାର ଚାଳକ ଅଳ୍ପକେ ବର୍ତିଯାଇଥିଲେ । କାର ମାଲିକ ଅଳ୍ପ ସମୟ ପୂର୍ବରୁ ଗାଡିରୁ ଓହ୍ଲାଇ ରାସ୍ତା କଡରେ ଥିବା ଏକ ଗ୍ୟାରେଜକୁ ଯାଇଥିଲେ । ସେଠାରେ ସେ ତାଙ୍କ ଟ୍ରକର ମରାମତି କାମ ତଦାରଖ କରିବାକୁ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି ।

ସୂଚାଯୋଗ୍ୟ ଦୁଆରଶୁଣି ଘାଟିରେ ଗତକାଲି ରାତିରେ ଏକ ଟ୍ରକ୍ ବ୍ରେକ୍ ଡାଉନ୍ ହୋଇଥିଲା । ତେଣୁ ତାକୁ ସଜାଡ଼ିବା ପାଇଁ ଟ୍ରକ୍ ମାଲିକ ନିଜ ଏମଏଚ୍ ୧୨ କେ ଏନ୍ ୯୦୪୪ ନମ୍ବର ବିଶିଷ୍ଟ କାର ଯୋଗେ ଘଟଣାସ୍ଥଳକୁ ଆସିଥିଲେ । ତେବେ କାର ମାଲିକ ରାସ୍ତା କଡ଼ରେ କାର ରଖି ବ୍ରେକ୍ ଡାଉନ୍ ହୋଇଥିବା ଟ୍ରକ୍ ପାଖକୁ ଯାଇଥିବା ବେଳେ ସେହି ବାଟ ଦେଇ ଯାଉଥିବା ଏକ ପିଆଜ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ସେହି କାର ଉପରେ ଓଲଟି ପଡ଼ିଥିଲା। ଫଳରେ କାରଟି ସମ୍ପୂର୍ଣ୍ଣ ଚେପା ହୋଇ ଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ବେଳେ ଦୁର୍ଘଟଣା ଘଟିଲା ବେଳେ କାର ଭିତରେ କିଏ ଥିଲେ କିମ୍ବା ନାହିଁ ତାହା ଜଣାପଡ଼ି ନାହିଁ।