ପୁଣି ବିବାଦରେ ମୟୂରଭଞ୍ଜ ସେଂଟ୍ରାଲ୍ କୋ-ଅପରେଟିଭ୍ ବ୍ୟାଙ୍କ ! ଓ.ଟି.ଏସ୍. ଆଳରେ ଲୋନୀଙ୍କୁ ମାତ୍ରାଧିକ ଅନୁକମ୍ପା ଦିଆଯାଇଥିବା ଦର୍ଶାଇଲା ବ୍ୟାଙ୍କ ଅଡିଟ୍ ରିପୋର୍ଟ

35

କନକ ବ୍ୟୁରୋ : ପୁଣି ବିବାଦରେ ମୟୂରଭଞ୍ଜ ସେଣ୍ଟ୍ରାଲ୍ କୋ-ଅପରେଟିଭ୍ ବ୍ୟାଙ୍କ । ଓ.ଟି.ଏସ୍. ଆଳରେ ଲୋନୀଙ୍କୁ ମାତ୍ରାଧିକ ଅନୁକମ୍ପା ଦେଖାଯାଇଥିବା ବ୍ୟାଙ୍କର ଅଡିଟ୍ ରିପୋର୍ଟରେ ଦର୍ଶାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ୟାଙ୍କ ସଭାପତିଙ୍କୁ କ୍ଷମତାଚ୍ୟୁତ କରିବାକୁ ଅଡିଟ୍ ରିପୋର୍ଟରେ ନିର୍ଦ୍ଦେଶ ଦିଆଯାଇଛି । ମୟୂରଭଞ୍ଜ ସେଣ୍ଟ୍ରାଲ୍ କୋ-ଅପରେଟିଭ୍ ବ୍ୟାଙ୍କର ବାରିପଦା ଶାଖାରେ ୮ଜଣ ଲୋନୀଙ୍କୁ ଅନୁକମ୍ପା କରି ୪୫ଲକ୍ଷ ୫୦ହଜାର ଟଙ୍କା ଦିଆଯାଇଥିବା ଗତ ୧୧ତାରିଖରେ ଆସିଥିବା ଚିଠିରେ ଦର୍ଶାଯାଇଛି । ଓ.ଟି.ଏସ୍. ମାଧ୍ୟମରେ ଲୋନୀଙ୍କୁ ଏହି ଟଙ୍କା ଅନୁକମ୍ପାମୂଳକ ଭାବେ ଛଡାଯାଇଥିବା ବେଳେ ଅଡିଟ୍ ରିପୋର୍ଟରେ ଭୁଲ୍ ଦର୍ଶାଯାଇଥିବା ନେଇ ଜଣାପଡିଛି ।

ଏହି ଦୁର୍ନୀତି ଘଟଣାରେ ବ୍ୟାଙ୍କର ବର୍ତ୍ତମାନର ସଭାପତି ରାଜକିଶୋର ଆଚାର୍ଯ୍ୟା, ତତ୍କାଳୀନ ଚିଫ୍ ଏକଜିକ୍ୟୁଟିଭ ଅଫିସର ହରିଶଚନ୍ଦ୍ର ଦାସ ଏବଂ ବ୍ରାଂଚ ମ୍ୟାନେଜର ପ୍ରଶାନ୍ତ କୁମାର ସିଂବାବୁଙ୍କୁ ସର୍ଚାର୍ଜ ପ୍ରସିଡିଙ୍ଗ ପାଇଁ ଏହି ରିପୋର୍ଟରେ ଦର୍ଶାଯାଇଛି । ଏହା ସହ ଏମାନଙ୍କ ଠାରୁ ୪୫ଲକ୍ଷ ୫୦ହଜାର ୨୨୦ ଟଙ୍କା ସହ ୧୨ ପ୍ରତିଶତ ସୁଧ ଆଦାୟ କରିବା ପାଇଁ ନିର୍ଦେଶ ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ୟାଙ୍କ ସେକ୍ସନ୍ ୨୮(୩), ଓ.ସି.ଏ. ଆକ୍ଟ ୧୯୬୨ ଅନୁଯାଇ ବ୍ୟାଙ୍କର ସଭାପତିଙ୍କୁ କ୍ଷମତାଚ୍ୟୁତ କରିବାକୁ ମଧ୍ୟ ଚିଠିରେ ଉଲ୍ଲେଖ ରହିଛି । ବ୍ୟାଙ୍କର ବର୍ତମାନ କାର୍ଯ୍ୟନିର୍ବାହୀ ଅଧିକାରୀ ଏସବୁ କଥାକୁ କ୍ୟାମେର ସାମ୍ନାରେ ମାନିଥିବା ବେଳେ ଏନେଇ କାର୍ଯ୍ୟାନୁଷ୍ଠାନ ପାଇଁ ଅଡିଟର୍ ଜେନେରାଲ୍ କୋ-ଅପୋରେଟିଭ୍ ସୋସାଇଟିକୁ କ୍ଲିୟାରେନ୍ସ ମାଗିଥିବାର କହିଛନ୍ତି ।