ମର୍ଡର, ମିଷ୍ଟ୍ରି ଓ ମେୟର ! ଅନନ୍ତଙ୍କ ବିରୋଧରେ ଭିଡିଓର ମାଷ୍ଟର ମାଇଣ୍ଡ ଋିଷିଙ୍କୁ ହତ୍ୟା ଅଭିଯୋଗ

52

କନକ ବ୍ୟୁରୋ : ମୃତ୍ୟୁ, ଷଡଯନ୍ତ୍ର ଏବଂ ମେୟର । କଣ ରହିଛି ଏହି ତିନୋଟି ଘଟଣାର ସଂପର୍କ । ଭାଇରାଲ ହୋଇଥିବା ସେକ୍ସ ସିଡି ସହ କଣ ରହିଛି ମୃତ ଇଂଜିନିୟରିଂ ଛାତ୍ର ଋଷିଙ୍କ ସଂପର୍କ । କାହିଁକି ଛାତ୍ର ମୃତ୍ୟୁ ଘଟଣାକୁ ମେୟରଙ୍କ ସହ ଯୋଡ଼ି ଦେଇଛି ବିରୋଧୀ । ସେକ୍ସ ସିଡି ଭାଇରାଲ ହେବା ପରେ ଏମିତି ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି ।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା । କୁହାଯାଉଛି ଏହି ଭିଡିଓଟି ଥିଲା ମୃତ ଛାତ୍ର ଆଶୁତୋଷ ମହାନ୍ତି ଓରଫ୍ ଋଷି ପାଖରେ । ଯାହାକୁ ନେଇ ସେ ବେଶ ଚାପରେ ଥିଲେ । ଆଉ ଗତ ମେ’ ମାସରେ ସନ୍ଦେହ ଜନକ ଭାବରେ ଋଷିଙ୍କ ମୃତ୍ୟୁ ହୋଇଥିଲା ।

ସେତେବେଳେ କୁହାଯାଇଥିଲା ଋଷି ବ୍ରାଉନସୁଗର ଭଳି ନିଷାଦ୍ରବ୍ୟ ସେବନ କରୁଥିଲେ । ଏବଂ ଅତ୍ୟଧିକ ନିଷା ସେବନ ଯୋଗୁଁ ହିଁ ତାଙ୍କର ମୃତ୍ୟୁ ହୋଇଛି । ପୋଷ୍ଟ ମର୍ଟମ୍ ରିପୋର୍ଟ ଆଧାରାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା କମିଶନରେଟ୍ ପୁଲିସ ।

ଏବେ ଭାଇରାଲ ହୋଇଥିବା ଭିଡିଓ ଏବଂ ଋଷି ପାଖରେ ଥିବା ସିଡି କଣ ସମାନ । ଯଦି ସମାନ, ତାହେଲେ କଣ ଥିଲା ଏହି ସିଡିରେ । ଏହି ସିଡିରେ ଦେଖା ଯାଉଥିବା ବ୍ୟକ୍ତି ଜଣକ କିଏ । ଏମିତି ଅନେକ ପ୍ରଶ୍ନ ଆସୁଛି । ଆଉ ଏହାରି ଭିତରେ ଛାତ୍ର କଂଗ୍ରେସ ଅଭିଯୋଗ କରିଛି । ଋଷି ମୃତ୍ୟୁ ଘଟଣା ଏକ ସୁଚିନ୍ତିତ ହତ୍ୟାକାଣ୍ଡ । ଯୌନ କେଳେଙ୍କାରୀ ପଦାରେ ପଡ଼ିଯିବା ଭୟରେ ଋଷିକୁ ହତ୍ୟା କରାଯାଇଛି ବୋଲି ଛାତ୍ର କଂଗ୍ରେସର ଅଭିଯୋଗ ।

ବର୍ତ୍ତମାନ ସୁଦ୍ଧା ଏହି ତିନୋଟି ଘଟଣାର ଖିଅ ଯୋଡ଼ି ହୋଇଥିବା ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳୁନଥିଲେ ବି ଏହାକୁ ନେଇ ଜୋରଧରିଛି ରାଜନୀତି ।