ନୂଆ ଷ୍ଟାଇଲରେ ଭୋଟ, ଭୋଟର ବାଛିବେ ମେୟର କିଏ ?

32

କନକ ବ୍ୟୁରୋ : ଏଣିକି ଭୋଟର ବାଛିବେ ମେୟର । ପୌରାଧ୍ୟକ୍ଷ ଓ ଏନଏସି ଅଧ୍ୟକ୍ଷ ପାଇଁ ବି ପ୍ରତ୍ୟକ୍ଷ ନିର୍ବାଚନ ହେବ । ପୂର୍ବରୁ ନିର୍ବାଚନ ଜିତିଥିବା କର୍ପୋରେଟର ଓ କାଉନସିଲରଙ୍କ ମଧ୍ୟରେ ଜଣଙ୍କୁ ଏହି ପଦବୀ ମିଳୁଥିଲା । ହେଲେ ଏଣିକି ଏହି ପଦବୀ ଗୁଡିକ ପାଇଁ ସିଧାସଳଖ ନିର୍ବାଚନ ହେବ । ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତି ହୋଇଥିବା ବେଳେ, ପ୍ରତ୍ୟକ୍ଷ ନିର୍ବାଚନ, ମେୟର ଓ ଅଧ୍ୟକ୍ଷ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଚୟନରେ ସ୍ୱଚ୍ଛତା ଆଣିବ ।

ମହାନଗର ନିଗମର ମେୟର, ପୌରାଧ୍ୟକ୍ଷ ଓ ଏନଏସି ଅଧ୍ୟକ୍ଷ ହେବା ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ଲଢିବାକୁ ପଡିବ । ଲୋକେ ଯାହାକୁ ଭୋଟ୍ ଦେଇ ଜିତାଇବେ, ସେ ଏହି ଆସନରେ ବସିବେ । କାଉନସିଲର ଓ କର୍ପୋରେଟର ଭଳି ପ୍ରାର୍ଥୀ ଲଢିବେ ସିଧାସଳଖ ନିର୍ବାଚନ । ରାଜ୍ୟ କ୍ୟାବିନେଟରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ହୋଇଥିବା ଜଣାପଡିଛି । ତେବେ ବର୍ତମାନ ବିଧାନସଭା ଅଧିବେଶନ ଚାଲିଥିବାରୁ କ୍ୟାବିନେଟର ଏହି ନିଷ୍ପତି ପ୍ରକାଶ କରାଯାଇନାହିଁ । ସଂଶୋଧନ ପାଇଁ ଖୁବଶୀଘ୍ର ଏସଂକ୍ରାନ୍ତ ଆଇନ୍ ବିଧାନସଭାକୁ ଆସିବ ।

ପ୍ରତ୍ୟକ୍ଷ ନିର୍ବାଚନ ହେଲେ , ଅଧ୍ୟକ୍ଷ ନିର୍ବାଚନକୁ ନେଇ ଯେଉଁ ଘୋଡା ବେପାର ହେଉଥିଲା, ତାହା ରୋକାଯାଇପାରିବ । ମେୟର ଓ ଅଧ୍ୟକ୍ଷ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଚୟନରେ ସ୍ୱଚ୍ଛତା ଆସିିବ । ସେହିପରି ମେୟର ଓ ଅଧ୍ୟକ୍ଷ ପଦବୀରେ କମ୍ ଯୋଗ୍ୟ ବ୍ୟକ୍ତି ଯେଭଳି ନେତୃତ୍ୱକୁ ପ୍ରଭାବିତ କରି ଆସୁଥିଲେ, ସେଥିରେ ରୋକ୍ ଲାଗିବ । ଆଗକୁ ମହାନଗର ନିଗମ, ପୌର ଓ ଏନଏସି ନିର୍ବାଚନ ଥିବା ବେଳେ ସରକାରଙ୍କ ଏଭଳି ନିଷ୍ପତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।