ଉତ୍ତର ଭାରତୀୟଙ୍କ ଉପରେ ଆକ୍ରମଣ ଘଟଣାରେ ମୋଦିଙ୍କୁ ଟାର୍ଗେଟ୍ କଲେ ମାୟାବତୀ : କହିଲେ ଭୋଟ୍ ଦେଇ ଜିତାଇଥିବା ଲୋକଙ୍କ ଉପରେ ହେଉଛି ଆକ୍ରମଣ

37

କନକ ବ୍ୟୁରୋ : ଗୁଜୁରାଟରେ ଉତ୍ତର ଭାରତୀୟଙ୍କ ଉପରେ ବଢୁଥିବା ଆକ୍ରମଣ ଘଟଣାକୁ ନେଇ ଜାତୀୟ ରାଜନୀତି ସରଗରମ ହେବାରେ ଲାଗିଛି । ଏହାକୁ ନେଇ ବିଏସପି ସୁପ୍ରିମୋ ମାୟାବତୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ମାୟାବତୀ କହିଛନ୍ତି ଯେଉଁମାନେ ମୋଦିଙ୍କୁ ଭୋଟ ଦେଇ ପ୍ରଧାନମନ୍ତ୍ରୀ କଲେ ସେହି ଲୋକମାନଙ୍କୁ ଗୁଜୁରାଟରେ ଆକ୍ରମଣ କରାଯାଉଛି । ଗୁଜୁରାଟରେ ବିଜେପି ସରକାର ଲୋକଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ଉଚିତ ବୋଲି ମାୟାବତୀ କହିଛନ୍ତି । ଯେଉଁଭଳି ଭାବେ ନୀରିିହ ଲୋକଙ୍କ ଉପରେ ଆକ୍ରମଣ କରାଯାଉଛି, ଏଥିରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବା ଉଚିତ ବୋଲି ମାୟାବତୀ କହିଛନ୍ତି ।

ସେପଟେ ଗୁଜରାଟରେ ଉତ୍ତର ଭାରତୀୟଙ୍କ ଉପରେ ଆକ୍ରମଣକୁ ୟୁପି, ବିହାର ଏକତା ମଂଚର ବିରୋଧ । ଏନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାରାଣାସୀ ଛାଡ଼ିବାକୁ ଏକତା ମଂଚ ପକ୍ଷରୁ ଦାବି କରାଯାଇଛି । ବାରଣାସୀର ଅନେକ ଭାଗରେ ମୋଦିଙ୍କୁ ଟାର୍ଗେଟ୍ କରି ପୋଷ୍ଟର ଲଗାଯାଇଥିବା ବେଳେ ପ୍ରବଳ ନାରାବାଜି ଓ ବିକ୍ଷୋଭ କରାଯାଇଛି । ଗୁଜରାଟରେ ୟୁପି ଓ ବିହାର ଶ୍ରମିକଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ମୋଦି ବାରଣାସୀ ଛାଡ଼ିବା ଉଚିତ ବୋଲି ମଂଚ କର୍ମକର୍ତ୍ତା ଦାବି କରିଛନ୍ତି । ସେପଟେ ଏହି ଘଟଣାରେ ସଂପୃକ୍ତିର ଅଭିଯୋଗ ଆସିବା ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ଅଳ୍ପେଶ ଠାକୁର ।

ଏହାବ୍ୟତୀତ  ଗୁଜରାଟ ଉତ୍ତର ଭାରତୀୟଙ୍କ ଉପରେ ଆକ୍ରମଣ ମାମଲାରେ ନୂଆ ମୋଡ଼ । ୟୁପି ବିହାର ଓ ମଧ୍ୟପ୍ରଦେଶର ଶ୍ରମିକଙ୍କ ଉପରେ ହେଉଥିବା ଆକ୍ରମଣ ପଛରେ କଂଗ୍ରେସର ହାତ ଥିବା ଅଭିଯୋଗ ହୋଇଛି । କଂଗ୍ରେସ ବିଧାୟକ ଅଲପେଶ ଠାକୁର୍ ଦଙ୍ଗା ପାଇଁ ଲୋକଙ୍କୁ ଉସୁକାଉଥିବା ଭିଡ଼ିଓ ଭାଇରାଲ୍ ହେବାପରେ ଏପରି ଚର୍ଚ୍ଚା ଜୋର ଧରିଛି ।