ଏକଜିଟ୍ ପୋଲ୍ ରିପୋର୍ଟ ପରେ ବଢୁଛି ରାଜନୀତି । ସୋନିଆଙ୍କୁ ଭେଟିବାକୁ ମନା କଲେ ମାୟାବତୀ, ସଙ୍କଟରେ କମଲନାଥ ସରକାର ।

585

କନକ ବ୍ୟୁରୋ : ୧୯ ଯୁଦ୍ଧର ଲଢେଇ ଶେଷ ହୋଇଛି ଆଉ ଏକଜିଟ୍ ପୋଲ ରିପୋର୍ଟ ମଧ୍ୟ ଆସିସାରିଛି । ଆସନ୍ତା ୨୩ ତାରିଖରେ ୨୦୧୯ ନିର୍ବାଚନର ଫଳାଫଳ ବାହାରିବାକୁ ଥିବା ବେଳେ ଏକଜିଟ୍ ପୋଲର ଆକଳନ ଦେଶରେ ବଢାଇଛି ରାଜନୀତି । ଆଉ ଏକଜିଟ୍ ପୋଲର ପ୍ରଭାବ ସବୁଠୁ ଅଧିକ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ । ତେବେ ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶରେ କଂଗ୍ରେସ ଯେଉଁ କମାଲ୍ କରିଥିଲା, ଲୋକସଭାରେ ତାହା ଫିକା ପଡିଥିବା ଏକଜିଟ୍ ପୋଲ୍ ଆକଳନ କହୁଛି । କଂଗ୍ରେସ ପାଖରେ ମୋଟ୍ ୧୧୪ ବିଧାୟକ ଥିବା ବେଳେ ବହୁମତ ପାଇଁ ୧୧୬ ଅଙ୍କ ଆବଶ୍ୟକ । ଯାହାକୁ ପୁରା କରିବା ପାଇଁ କଂଗ୍ରେସ ୨ ଜଣ ବହୁଜନ ସମାଜ ପାର୍ଟି ବିଧାୟକଙ୍କ ସମର୍ଥନ ଲୋଡିଥିଲା ।

ତେବେ କଂଗ୍ରେସର ଚିନ୍ତା ଏବେ ବଢାଇଦେଇଛନ୍ତି ବସପା ସୁପ୍ରିମୋ ମାୟାବତୀ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ସାକ୍ଷାତ କରିବାକୁ ମନା କରିଦେଇଛନ୍ତି ମାୟାବତୀ । ତେବେ ପୂର୍ବରୁ ଯାହା କୁହାଯାଉଥିଲା, ଏକଜିଟ୍ ପୋଲ୍ ରିପୋର୍ଟ ପରେ ସୋନିଆଙ୍କ ସହ ସାକ୍ଷାତ କରି ଆଗାମୀ ରଣନୀତି ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିପାରନ୍ତି ବିଏସପି ସୁପ୍ରିମୋ ।

ନିର୍ବାଚନ ଫଳାଫଳ ପୂର୍ବରୁ ରାଜନୀତିକୁ ଆହୁରି ସରଗରମ କରିଦେଇଛି ଏକଜିଟ୍ ପୋଲ୍ ରିପୋର୍ଟ । ତେବେ ଚର୍ଚ୍ଚା ହେଉଛି, କଂଗ୍ରେସ ଉପରେ ମାୟାବତୀ ନାରାଜ ହେବାର କାରଣ ହେଉଛି, ଗୁନା ଲୋକସଭା ଆସନରୁ ବସପା ଟିକେଟରେ ଲଢୁଥିବା ପ୍ରାର୍ଥୀଙ୍କୁ କଂଗ୍ରେସ ନିଜ ଦଳରେ ସାମିଲ କରିନେଇଛି । ତେବେ ରାଜନୀତି ମୈଦାନରେ କଂଗ୍ରେସ କିମ୍ବା ଗାନ୍ଧି ପରିବାରକୁ କେବେ ହେଲେ ସିଧାସଳଖ ଟାର୍ଗେଟ୍ କରିନାହାନ୍ତି ମାୟାବତୀ । ଆଉ ୨୦୧୯ ନିର୍ବାଚନ ଫଳାଫଳା ପ୍ରକାଶ ପାଇବା ପରେ କ’ଣ ରହିବ ବସପା ସୁପ୍ରିମୋଙ୍କ ଆଭିମୁଖ୍ୟ, ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଅନ୍ୟପଟେ ସରଗରମ ହୋଇଛି ମଧ୍ୟପ୍ରଦେଶ ରାଜନୀତି । ସଙ୍କଟରେ ପଡିଛି କମଳନାଥ ସରକାର । ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପରେ ସପା ଏବଂ ବସପା ସମର୍ଥନରେ ସରକାର ଗଢିଥିଲା କଂଗ୍ରେସ । ତେବେ ସରକାର ଗଢିବା ପରେ ସପ-ବସପା କିମ୍ବା କୌଣସି ନିର୍ଦ୍ଦଳୀୟ ବିଧାୟକଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇନଥିଲା । ତେବେ କୁହାଯାଉଛି, ଏହି ଘଟଣା ପରେ କମଲନାଥ ସରକାରଙ୍କ ଉପରେ ବାରମ୍ବାର ସମର୍ଥନ ଫେରାଇ ନେବାର ଚିନ୍ତା ମଧ୍ୟ ରହିଛି । ଆଉ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ କଂଗ୍ରେସ ବିଧୟକଙ୍କ ସହ ଆଲୋଚନା ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରିବାକୁ କମଲନାଥ ଯୋଜନା କରୁଥିବା ଶୁଣିବାକୁ ମିଳୁଛି ।