ଆଉ ‘ସାଇକେଲ୍’ ଚଢିବନି ‘ହାତୀ’ ! ବବୁଆଙ୍କ ହାତ ଛାଡି ଏକାକୀ ସମସ୍ତ ନିର୍ବାଚନ ଲଢିବେ ବୁଆ ।

217

କନକ ବ୍ୟୁରୋ : ଜୋର ଧରିଲା ଉତ୍ତରପ୍ରଦେଶ ରାଜନୀତି । ବୁଆ-ବବୁଆ ମହାମେଣ୍ଟରେ ସୃଷ୍ଟି ହେଲା ବଡ ଫାଟ । ୨୦୧୯ ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜପାର୍ଟି ମଧ୍ୟରେ ସପା-ବସପା ମେଣ୍ଟ ନିଅଁ ପଡିଥିଲା । ଆଉ ନିର୍ବାଚନରେ ବଡ ପରାଜୟ ପରେ ଭୁଷୁଡି ପଡିଛି ମେଣ୍ଟ । କ’ଣ ହେବ ଦୁଇଟି ଦଳର ଆଗାମୀ ଆଭିମୁଖ୍ୟ ସେନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଥିବା ବେଳେ, ଆଜି ବଡ ଘୋଷଣା କରିଛନ୍ତି ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ।

ଗତ ଜୁନ୍ ମାସ ୪ ତାରିଖରେ, ଉତ୍ତରପ୍ରଦେଶର ୧୧ଟି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନରେ ବହୁଜନ ସମାଜ ପାର୍ଟି ଏକାକୀ ନିର୍ବାଚନ ଲଢିବ ବୋଲି ଘୋଷଣା କରିଥିଲେ ମାୟାବତୀ । ଆଉ ଜୁନ୍ ୫ ତାରିଖରେ ସମାଜବାଦୀ ପାର୍ଟି ମଝ୍ୟ ଏକାକୀ ସବୁ ଆସନରେ ନିର୍ବାଚନ ଲଢିବ ବୋଲି ଅଖିଲେଶ ଘୋଷଣା କରିବା ପରେ ମହାମେଣ୍ଟର ଭବିଷ୍ୟତ ସମ୍ପୂର୍ଣ୍ଣ ଅନିଶ୍ଚିତତା ଘେରକୁ ଚାଲିଯାଇଥିଲା । ଆଉ ଆଜି ମେଣ୍ଟ ଭାଙ୍ଗିବା ନେଇ ପରୋକ୍ଷରେ ସୂଚନା ଦେଇଛନ୍ତି ବିଏସପି ସୁପ୍ରିମୋ । ଆଜି ମାୟାବତୀ କହିଛନ୍ତି, ଆଗକୁ ହେବାକୁ ଥିବା ଛୋଟ ବଡ ସମସ୍ତ ନିର୍ବାଚନରେ ରାଜନୀତି ମଇଦାନକୁ ଏକାକୀ ଓହ୍ଲାଇବ ବହୁଜନ ସମାଜ ପାର୍ଟି ।

ଟୁଇଟ୍ କରି ବସପା ମୁଖ୍ୟ ମାୟାବତୀ ଏହି ସୂଚନା ଦେଇ ଲେଖିଛନ୍ତି ପାର୍ଟିର ହିତ ପାଇଁ ଆଗକୁ ହେବାକୁ ଥିବା ସମସ୍ତ ଛୋଟବଡ ନିର୍ବାଚନ ତାଙ୍କ ଦଳ ନିଜ ଦମରେ ଏକା ଲଢ଼ିବ । ମେଂଟ ଭାଙ୍ଗିବା ନେଇ ସୂଚନା ଦେଇ ମାୟାବତୀ ଲେଖିଛନ୍ତି, ଲୋକସଭା ସାଧାରଣ ନିର୍ବାଚନ ପରେ ସପାର ବ୍ୟବହାର, ବିଏସପିକୁ ଚିନ୍ତା କରିବାକୁ ବାଧ୍ୟ କରିଛି । ଏହିଭଳି ନିର୍ବାଚନ ଲଢ଼ିଲେ ଆଗାମି ଦିନରେ ବିଜେପିକୁ ପରାସ୍ତ କରାଯାଇ ପାରିବ କି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି? ଏହା ସମ୍ଭବ ହୋଇ ନଥିବାରୁ ବୋଲି କହି ଆଗାମି ଦିନରେ ସମସ୍ତ ନିର୍ବାଚନ ଏକା ଲଢ଼ିବା ପାଇଁ ସେ ଘୋଷଣା କରିଛନ୍ତି । ସବୁ ବାଦ ବିବାଦକୁ ପଛରେ ପକାଇ ୨୦୧୯ ସାଧାରଣ ନିର୍ବାଚନରେ ମେଂଟ କରି ବିଜେପି ବିରୋଧରେ ଲଢ଼ିଥିଲେ ଉତ୍ତରପ୍ରଦେଶର ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦି ଦଳ । କିନ୍ତୁ ଭଲ ପ୍ରଦର୍ଶନ କରି ପାରିନଥିଲା ମେଂଟ । ଏଥିପାଇଁ ମାୟାବତୀ ସପା କର୍ମୀଙ୍କୁ ଦାୟୀ କରି ମେଂଟ ଭାଙ୍ଗିବାକୁ ସଂକେତ ଦେଇଥିଲେ ।