କୁମ୍ଭମେଳାରେ ମରିସସ୍ ପ୍ରଧାନମନ୍ତ୍ରୀ ! ପ୍ରୟାଗରାଜରେ ପକାଇଲେ ବୁଡ୍ ।

92

ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥ ଗତକାଲି ପ୍ରୟାଗରାଜ କୁମ୍ଭ ସଙ୍ଗମରେ ପବିତ୍ର ସ୍ନାନ କରି ଭଗବାନ ହନୁମାନଙ୍କର ପୂଜାର୍ଚ୍ଚନା କରିଥିଲେ  । କୁମ୍ଭରେ ନବନିର୍ମିତ ସମନ୍ୱିତ ନିୟନ୍ତ୍ରଣ କେନ୍ଦ୍ର ପରିଦର୍ଶନ କରିବା ପରେ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିଲେ । ପ୍ରଧାନମନ୍ତ୍ରୀ ମିଷ୍ଟର ପ୍ରବିନ୍ଦ ବାରଣାସୀଠାରେ ଆୟୋଜିତ ୧୫ ତମ ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେଇ କୁମ୍ଭ ମେଳାକୁ ଆସିଥିଲେ  ।

ପ୍ରବାସୀ ଭାରତୀୟ ଦିବସ ଅତିଥିମାନଙ୍କର ପ୍ରୟାଗରାଜ କୁମ୍ଭକୁ ଆଗମନ  ହେଲାଣି  । କୁମ୍ଭ ପାଇଁ ପ୍ରସ୍ତୁତ ହୋଇଥିବା ଟେଣ୍ଟ ସହରରେ ଅତିଥିମାନଙ୍କର ବହୁ ଆଡମ୍ବର ସହକାରେ ସ୍ୱାଗତ କରାଯାଉଛି  । ପ୍ରବାସୀ ଭାରତୀୟମାନଙ୍କ ପାଇଁ ସେକ୍ଟର-୨୦, ଟେଣ୍ଟ ସହରରେ ଚାରୋଟି ସ୍ଥାନ – ଇନ୍ଦ୍ରପ୍ରସ୍ଥମ, ବେଦିକା, କୁମ୍ଭମ ଏବଂ ଅଗାମନଠାରେ ରହିବାର ବ୍ୟବସ୍ଥା କରାଯାଇଛି  । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି  । ଭାରତୀୟ ସଂସ୍କୃତି ଏବଂ ହସ୍ତକଳାକୁ ଦେଖିବା ପାଇଁ ସେମାନେ ସଂସ୍କୃତି ଗ୍ରାମ ଏବଂ କଳା ଗ୍ରାମ ପରିଦର୍ଶନ କରିବେ  । ପ୍ରବାସୀ ଭାରତୀୟ ଅତିଥିମାନେ ସଙ୍ଗମ, ଅକ୍ଷୟବଟ, ସମୁଦ୍ରକୂପ, ସରସ୍ୱତୀ କୂପ ଏବଂ ହନୁମାନ ମନ୍ଦିର ପରିଦର୍ଶନ କରିବେ  । ପ୍ରବାସୀ ଭାରତୀୟମାନେ ସେମାନଙ୍କ ପାଇଁ କରାଯାଇଥିବା ରହିବା ଏବଂ ସୁରକ୍ଷା ବ୍ୟବସ୍ଥାର ଖୁବ ପ୍ରଶଂସା କରିଥିଲେ  । ପ୍ରବାସୀ ଭାରତୀୟ ଦିବସକୁ କୁମ୍ଭ ଏବଂ ଗଣତନ୍ତ୍ର ଦିବସ ସମାରୋହ ସହିତ ସଂଯୋଗ କରିବାର ସରକାରଙ୍କ ନିଷ୍ପତ୍ତି କୁ ଭୂରି ଭୂରି ପ୍ରଶଂସା କରିଛନ୍ତି  ।