ମାଲକାନଗିରିରେ ଜମୁଛି ମାଉଳି ମା’ ଯାତ୍ରା : ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ଶରୀରକୁ ଆଘାତ ଦେଉଛନ୍ତି ଦିଶାରୀ

84

କନକ ବ୍ୟୁରୋ : ମାଲକାନଗିରି କୋରୁକୋଣ୍ଡାରେ ଜମୁଛି ମାଉଳି ମା’ ଯାତ୍ରା । ଏକ ବାଉଁଶ ପଟୁଆର କୋରୁକୋଣ୍ଡା ନଗର ପରିକ୍ରମା କରି ମାଉଳି ମା’ଙ୍କ ପୀଠରେ ପହଁଚିବା ପରେ ହଜାର ହଜାର ଆଦିବାସୀ, ଗୁଣି ଦିଶାରୀଙ୍କ ଭିଡ ଜମିଛି । ଦେବୀଙ୍କୁ ପ୍ରସନ୍ନ କରିବା ଲାଗି ଦିଶାରୀମାନେ ନିଜ ଶରୀରକୁ ଆଘାତ କରୁଥିବା ଦେଖିବାକୁ ମିଳିଛି । କିଏ ଚାବୁକରେ ନିଜ ଦେହକୁ ଆଘାତ କରୁଛି ତ ଆଉ କିଏ କଂଟା ଦୌଡିରେ ଝୁଲି ମାଉଳି ମା’ଙ୍କୁ ପୁଜାର୍ଚ୍ଚନା କରୁଛନ୍ତି ।

ନିଜ ଦେହରେ ଚାବୁକ୍ ମାଡ କରୁଛନ୍ତି ପୂଜକ । କେହି କେହି କଂଟା ଦୋଳିରେ ଝୁଲୁଛନ୍ତି । ଉଦ୍ଦେଶ୍ୟ ଦେବୀ ମାଉଳିଙ୍କୁ ପ୍ରସନ୍ନ କରାଇବା । କାହିଁ କେଉଁ କାଳରୁ ପରମ୍ପରା ନାଁ ରେ ଏପରି ଶାରିରୀକ ଦଣ୍ଡ ଦେବାର ପ୍ରଥା ଚାଲି ଆସିଛି । ପ୍ରତି ଦୁଇ ବର୍ଷରେ ଥରେ ଏହି ଯାତ୍ରା କୋରୁକୋଣ୍ଡାରେ ଅନୁଷ୍ଠିତ ହୋଇଥାଏ । ଯାତ୍ରାର ବିଧି ଅନୁସାରେ ସ୍ଥାନୀୟ ସୁବଳଗିରି ପହାଡରୁ ଏକ ବିରାଟ ବାଉଁଶ ଶୋଭାଯାତ୍ରା ଦେବୀ ମାଉଳିଙ୍କ ପୀଠକୁ ଅଣା ଯାଇଥାଏ । ଏହି ସମୟରେ ଆଦିବାସୀଙ୍କ ପାରମ୍ପରିକ ବାଦ୍ୟର ତାଳେ ତାଳେ ଝୁମି ଉଠନ୍ତି ଆଦିବାସୀ ଶ୍ରଦ୍ଧାଳୁ । ପୁରାଣ ଅନୁସାରେ, ରାମଚନ୍ଦ୍ର ବନବାସ ଆସି ଥିବା ବେଳେ କୋରୁକୋଣ୍ଡା ସୁବଳଗିରି ପାହାଡରେ ଆଶ୍ରୟ ନେଇଥିଲେ । ତେଣୁ ସେଠାରୁ ବାଉଁଶ ଅଣାଯାଇ କୋରୁକୋଣ୍ଡା ମାଉଳି ମା’ଙ୍କ ପୀଠରେ ସ୍ଥାପନ କରାଯାଇଥାଏ । ତିନି ଦିନ ଧରି କୋରୁକୋଣ୍ଡାରେ ମାଉଳି ମା’ଙ୍କ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଏଠାରେ ମିନା ବଜାର, ଫୁଡଷ୍ଟଲର ମଜା ନିଅନ୍ତି ମାଲକାନଗିରି ସମେତ ପଡ଼ୋଶୀ ଆନ୍ଧ୍ର ଓ ଛତିଶଗଡର ହଜାର ହଜାର ଲୋକ ।