ସିଏଏ ପାଇଁ ଦିଲ୍ଲୀରେ ଉତ୍ତେଜନାପୂର୍ଣ୍ଣ ବାତାବରଣ : ପେଟ୍ରୋଲ ପମ୍ପରେ ନିଆଁ ଲଗାଇବା ସହ ଅନେକ ଘର ପୋଡ଼ି ଛାରଖାର କରିଦେଲେ ଆନ୍ଦୋଳନକାରୀ

479

କନକ ବ୍ୟୁରୋ : ସିଏଏ ପାଇଁ ଅଶାନ୍ତ ଦିଲ୍ଲୀ । ଉତ୍ତରପୂର୍ବ ଦିଲ୍ଲୀର ମୌଜପୁର ଓ ଭଜନପୁରାର ଅନେକ ଅଞ୍ଚଳରେ ପରିସ୍ଥିତି ଅଣାୟତ ରହିଛି । ନାଗରିକ ସଂଶୋଧନ ଆଇନ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକ ଓ ସମର୍ଥକ ସାମ୍ନାସାମ୍ନି ହୋଇଛନ୍ତି । ବିରୋଧ ପ୍ରଦର୍ଶନ ସମୟରେ ଜଣେ ହେଡ଼୍ କନେଷ୍ଟବଳ ପ୍ରାଣ ହରାଇଛନ୍ତି ।  ବିକ୍ଷୋଭ ପ୍ରଦର୍ଶନକାରୀମାନେ ପେଟ୍ରୋଲ ପମ୍ପରେ ନିଆଁ ଲଗାଇ ଦେଇଛନ୍ତି । ଏହି ହିଂସାକାଣ୍ଡରେ ସ୍ଥାନୀୟ ଅଞ୍ଚଳରେ ଅନେକ ଘରେ ନିଆଁ ଲଗାଇ ଦେଇଛନ୍ତି ଉତ୍ୟକ୍ତ ଜନତା ।

ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତ ପରିପ୍ରେକ୍ଷୀରେ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ଟ୍ରମ୍ପ ସପତ୍ନୀକ ତାଜମହଲ ବୁଲୁ ସାରିଥିବାବେଳେ ଦିଲ୍ଲୀର ଉତ୍ତେଜନାପୂର୍ଣ୍ଣ ବାତାବରଣ ଲାଗିରହିଛି । ନାଗରିକତା ସଂଶୋଧନ ଆଇନ୍ (ସିଏଏ) ବିରୋଧୀ ଆନ୍ଦୋଳନକାରୀ ଓ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟିବା ଫଳରେ ଜନୈକ ପୁଲସ୍ ହେଡ୍ କନେଷ୍ଟବଲ ମୃତ୍ୟୁବରଣ କରିଛନ୍ତି । ସେ ଦିଲ୍ଲୀର ଗୋକାଲପୁରୀ ଏସିପିଙ୍କ କାର୍ଯ୍ୟାଳୟରେ ମୁତୟନ ଥିଲେ । ଏହି ଘଟଣାପରେ ସମଗ୍ର ମୌଜପୁର ଥାନା ଅଞ୍ଚଳରେ ୧୪୪ ଧାରା ଲଗାଇ ଦିଆଯାଇଛି।

ଆଜି ସକାଳେ ଦିଲ୍ଲୀର ଦିଲ୍ଲୀର ମୌଜପୁର ଅଞ୍ଚଳରେ ନାଗରିକତା ସଂଶୋଧନ ଆଇନ୍ (ସିଏଏ) ବିରୋଧୀ ଆନ୍ଦୋଳନକାରୀ ଓ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା। ପରସ୍ପର ପରସ୍ପର ଉପରକୁ ଟେକା ପଥର ମାଡ଼ କରିବା ପରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହୋଇ ପଡ଼ିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲସ୍ ହେଡ୍ କନେଷ୍ଟବଲ ରତନ ଲାଲ ଫୋର୍ସ ସହ ଘଟଣାସ୍ଥଳକୁ ଯାଇଥିବା ବେଳେ ବିକ୍ଷୋଭକାରୀମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ପୁଲସ୍ ହେଡ୍ କନେଷ୍ଟବଲ ରତନ ଲାଲ ଗୁରୁତର ଭାବେ ଆହତ ହେବା ପରେ ମୃତ୍ୟୁବରଣ କରିଥିଲେ।