ଆସନ୍ତା ୧୮ରୁ ଆରମ୍ଭ ହେବ ମାଟ୍ରିକ୍ ଖାତା ଦେଖା । ୬୧ଟି କେନ୍ଦ୍ରରେ ୧୧ ହଜାରରୁ ଅଧିକ ଶିକ୍ଷକ-ଶିକ୍ଷୟିତ୍ରୀ କରିବେ ମୂଲ୍ୟାୟନ ।

221

କନକ ବ୍ୟୁରୋ : ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ର ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଜ୍ୟର ୬୧ଟି କେନ୍ଦ୍ରରେ ପରୀକ୍ଷା ଖାତା ମୂଲ୍ୟାୟନ ହେବ । କଡ଼ା ସୁରକ୍ଷା ବ୍ୟବସ୍ଥା ସହ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟାରେ ୧୧ ହଜାରରୁ ଅଧିକ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗଦେବେ ।

ସୂଚନାଯୋଗ୍ୟ, ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫେବ୍ରୁଆରି ୧୯ରେ ଆରମ୍ଭ ହୋଇ ମାର୍ଚ୍ଚ ୨ରେ ଶେଷ ହୋଇଥିଲା । ମୋଟ ୫ ଲକ୍ଷ ୬୨ ହଜାର ୧୩୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ନୂତନ ଢାଞ୍ଚାରେ ପରୀକ୍ଷାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ଚାରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରାଯିବା ସହ ହଜାରେ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଥିଲା । ପରୀକ୍ଷାର୍ଥୀମାନଙ୍କୁ ପ୍ରଶ୍ନପତ୍ର ବୁକଲେଟକୁ ଘରକୁ ଆଣିବାକୁ ବାରଣ କରାଯାଇଥିଲା ।

ବୋର୍ଡ ପକ୍ଷରୁ ଯଥା ସମ୍ଭବ ସତର୍କତା ଅବଲମ୍ବନ ପାଇଁ ନକ୍ସା ତିଆରି ହୋଇଥିଲା । ପ୍ରଥମ ଥର ଲାଗି ଏଥର ମାଟ୍ରିକ ପରୀକ୍ଷାକୁ କପି ମୁକ୍ତ କରିବାକୁ ପ୍ରଶ୍ନପତ୍ରରେ ଏକ ଡିଜିଟାଲ କୋଡ ଖଞ୍ଜାଯାଇଥିଲା । କିନ୍ତୁ ଶତାଧିକ ଛାତ୍ରଛାତ୍ରୀ କପି କରି ଧରାପଡ଼ିଥିଲେ । ସାଧାରଣ ବିଜ୍ଞାନ ବିଷୟରେ କପି କରି ୨୩୧ ଜଣ ଛାତ୍ରଛାତ୍ରୀ ଧରାପଡ଼ିଥିଲେ । ସେହିପରି ଇଂରାଜୀ ବିଷୟରେ ୧୧୦ ଜଣ ଛାତ୍ରଛାତ୍ରୀ କପି କରି ଧରାପଡ଼ିଥିଲେ ।

ନୟାଗଡ଼ରେ ୨ ଜଣ ନକଲି ମାଟ୍ରିକ୍‌ ପରୀକ୍ଷାର୍ଥୀ ଧରାପଡ଼ିଥିଲେ । ସେହିପରି ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଥାନା ଅନ୍ତର୍ଗତ ଗେଡିଆପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ପରୀକ୍ଷା ଦେବାକୁ ସୁଯୋଗ ମିଳି ନଥିଲା । କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ବିରିବୋଲେଇ ପରୀକ୍ଷା କେନ୍ଦ୍ରରେ କପି କରିବାକୁ ନେଇ ଅଭିଭାବକ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ସେହିପରି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ମନେଇପାଦ ପରୀକ୍ଷା କେନ୍ଦ୍ରରେ ମଧ୍ୟ ଉତ୍ତେଜନା ଦେଖାଯାଇଥିଲା ।