ମାଟ୍ରିକ୍ ପରୀକ୍ଷାର ଶେଷ ଦିନରେ ଅଭାବନୀୟ ଘଟଣା : ସ୍କ୍ଵାଡକୁ ଗୋଡ଼ାଇ ପିଟିଲେ ପରୀକ୍ଷାର୍ଥୀ

67

କନକ ବ୍ୟୁରୋ: ମାଟ୍ରିକ୍ ପରୀକ୍ଷାର ଶେଷ ଦିନରେ ଏକ ଅଭାବନୀୟ ଘଟଣା ଘଟିଛି । ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଇତିହାସରେ ଏଭଳି ଘଟଣା ପ୍ରଥମ ବୋଲି ଚର୍ଚ୍ଚା ହେଉଛି । ପରୀକ୍ଷାରେ କପି ରୋକିବାକୁ ତାଗିଦ୍ କରୁଥିବା ବୋର୍ଡ ସ୍କ୍ଵାଡଙ୍କୁ ପରୀକ୍ଷାର୍ଥୀମାନେ ମିଳିତ ଭାବେ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି । ଏପରିକି ପରୀକ୍ଷା କେନ୍ଦ୍ର ପରିସରରେ ସମସ୍ତ ପରୀକ୍ଷାର୍ଥୀ ହଲ୍ ଛାଡି ସ୍କ୍ଵାଡଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ । ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ କାଳିଆବୁଦା ଗାଦିବ୍ରହ୍ମ ହାଇସ୍କୁଲ, ଜପା ପରୀକ୍ଷା କେନ୍ଦ୍ରରେ । ଏରସମା ଥାନା ଆଇଆଇସି ଓ ଜଣେ ଏପିଆର୍ ଫୋର୍ସଙ୍କ ପାଇଁ ବୋର୍ଡ ସ୍କ୍ଵାଡଙ୍କ ଜୀବନ ବଞ୍ଚିଯାଇଥିବା ସୂଚନା ମିଳିଛି । ଏଭଳି ଘଟଣାରେ ବୋର୍ଡ ପକ୍ଷରୁ ବା ସଂପୃକ୍ତ କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇନଥିବା ସମସ୍ତଙ୍କୁ ଚକିତ କରିଛି ।

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଅନ୍ତର୍ଗତ କାଳିଆବୁଦା ଗାଦିବ୍ରହ୍ମ ହାଇସ୍କୁଲ, ଜପା ପରୀକ୍ଷା କେନ୍ଦ୍ରରେ ଗୁରୁବାର ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଚାଲିଥିବା ବେଳେ ବୋର୍ଡ କେନ୍ଦ୍ରୀୟ ସ୍କ୍ଵାର୍ଡର ଦୁଇ ସଦସ୍ୟ ପ୍ରହଲ୍ଲାଦ କୁମାର ମହାନ୍ତି ଓ ହରେକୃଷ୍ଣ ମାହୁନ୍ତ କେନ୍ଦ୍ରରେ ପହଞ୍ଚିଥିଲେ । ସକାଳ ୮ଟା ୪୫ରେ ପହଞ୍ଚିଥିବା ସ୍କ୍ଵାଡ୍ କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଅକ୍ଷୟ କୁମାର ଖୁଣ୍ଟିଆଙ୍କ ଭେଟି ଗେଟରେ କପି ଯାଞ୍ଚ ହୋଇଥିବା ସଂକ୍ରାନ୍ତରେ ପଚାରିଥିଲେ । ପରେ ସ୍କ୍ଵାଡ୍ର ଦୁଇ ସଭ୍ୟ ପରୀକ୍ଷା ହଲ୍କୁ ପ୍ରବେଶ କରି ପିଲାମାନଙ୍କ ପାଖରେ କ’ଣ ତାହା ଅଛି ଦେଇଦେଲେ କାହାକୁ ଏମପି କରାଯିବ ନାହିଁ ବୋଲି ପରାମର୍ଶ ଦେଇଥିଲେ । ଫଳରେ ଅନେକ ପରୀକ୍ଷାର୍ଥୀ ପାଖରେ ରଖିଥିବା ଟେଷ୍ଟ ପେପର ସବୁକୁ ସ୍କ୍ଵାଡଙ୍କୁ ହସ୍ତାନ୍ତର କରିଥିଲେ । ଟେଷ୍ଟ ପେପର ସବୁକୁ ସଂଗ୍ରହ କରି ସ୍କ୍ଵାଡ୍ ପ୍ରଧାନଶିକ୍ଷକଙ୍କ ପ୍ରକୋଷ୍ଠରେ ବସିଥିଲେ । ଏତିକି ବେଳେ ସଂପୃକ୍ତ କେନ୍ଦ୍ରରେ ପରୀକ୍ଷା ଦେଉଥିବା ୧୬୩ ଜଣ ଓପନ ସ୍କୁଲ୍ ପରୀକ୍ଷାର୍ଥୀ ହଲ୍ ଛାଡି ସ୍କ୍ଵାଡଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ୍ କରିବା ସହିତ ମାଡ ମାରିବା ଆରମ୍ଭ କରିଥିଲେ। ଏଥିରେ ସ୍କ୍ଵାଡ୍ ସଭ୍ୟ ପ୍ରହଲ୍ଲାଦ କୁମାର ମହାନ୍ତି କୌଶଳକ୍ରମେ ଖସି ବାହାରକୁ ଚାଲିଆସିଥିବା ବେଳେ ପରୀକ୍ଷାର୍ଥୀ ଅନ୍ୟ ସ୍କ୍ଵାଡ୍ ସଭ୍ୟ ହରେକୃଷ୍ଣ ମାହୁନ୍ତଙ୍କୁ ଆକ୍ରମଣ କରିଥିଲେ। ଶ୍ରୀ ମାହୁନ୍ତ ପ୍ରାଣ ବିକଳରେ କେନ୍ଦ୍ର ପରିସରରେ ଦୌଡ଼ୁଥିବା ବେଳେ ଉତ୍ତ୍ୟକ୍ତ ପରୀକ୍ଷାର୍ଥୀ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପଟିଥିଲେ ।

ଘଟଣାରେ ସଂପୃକ୍ତ କେନ୍ଦ୍ର ସୁପରିଟେଣ୍ଡଣ୍ଟ ଶ୍ରୀ ଖୁଣ୍ଟିଆଙ୍କ ସମେତ ଅନ୍ୟ ଇନଭିଜିଲେଟରମାନେ ନିରବଦ୍ରଷ୍ଟା ସାଜିଥିଲେ । ଏତିକି ବେଳେ କର୍ତ୍ତବ୍ୟରତ ଜଣେ ଏପିଆର୍ ଫୋର୍ସ ଆହତ ଶ୍ରୀ ମାହୁନ୍ତଙ୍କୁ ଉତ୍ତ୍ୟକ୍ତ ପରୀକ୍ଷାର୍ଥୀଙ୍କ କବଳରୁ ରକ୍ଷା କରିବା ସହିତ ତାଙ୍କୁ ଉଦ୍ଧାର କରି ସୁପରିଟେଣ୍ଡେଣ୍ଟଙ୍କ ପ୍ରକୋଷ୍ଠରେ ରଖି କବାଟ ବନ୍ଦ କରିଥିଲେ। ତଥାପି ପରୀକ୍ଷାର୍ଥୀମାନେ ଶାନ୍ତ ପଡ଼ିନଥିଲେ । ଏପରିକି ଗେଟ୍ ଭାଙ୍ଗି ବାହାର ଲୋକ କେନ୍ଦ୍ରକୁ ପ୍ରବେଶ କରି ସ୍କ୍ଵାଡଙ୍କୁ ମାଡ ମାରିବା ପାଇଁ ଉସ୍କାଇଥିଲେ । ଉତ୍ତ୍ୟକ୍ତ ପରୀକ୍ଷାର୍ଥୀଙ୍କ କବଳରୁ ଖସିଯାଇଥିବା ଅନ୍ୟ ସଦସ୍ୟ ଶ୍ରୀ ମହାନ୍ତି ଏରସମା ଥାନାଧିକାରୀଙ୍କୁ ଫୋନ୍ କରିଥିଲେ । ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରୀକ୍ଷାର୍ଥୀଙ୍କ ତାଗିଦ୍ କରିବା କରିଥିଲେ। ଥାନା ଅଧିକାରୀଙ୍କ ତାଗିଦ୍ ପରେ ପରୀକ୍ଷାର୍ଥୀମାନେ ହଲକୁ ଯାଇଥିଲେ । ବୋର୍ଡ ସ୍କ୍ଵାଡ୍ ଶ୍ରୀ ମହାନ୍ତି ଓ ଶ୍ରୀ ମାହୁନ୍ତ ଏସଂକ୍ରାନ୍ତରେ ବୋର୍ଡ ସଭାପତି, ସଂପାଦକ, ପରୀକ୍ଷା ନିୟନ୍ତ୍ରଣଙ୍କ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ କେନ୍ଦ୍ର ସୁପରିଟେଣ୍ଡେଣ୍ଟ କି ବୋର୍ଡ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏସଂକ୍ରାନ୍ତରେ କୌଣସି ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି । ଏଠାରେ ସୂଚନା ଯୋଗ୍ୟ, ଏହି କେନ୍ଦ୍ରରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷାରେ ବ୍ୟାପକ କପି ହେଉଥିବା ବେଳେ ସ୍କ୍ଵାଡ୍ ୩ଜଣଙ୍କୁ ଏମ୍ପିରେ ବୁକ୍ କରିଥିଲେ ।

ଗତକାଲି ମାଟ୍ରିକ ପରୀକ୍ଷା ସରିଥିବା ବେଳେ ଶେଷ ଦିନ ପରୀକ୍ଷା ସାମାଜିକ ବିଜ୍ଞାନରେ କପି କରିବା ଅଭିଯୋଗରେ ବୋର୍ଡ ସ୍କ୍ଵାଡ୍ ହାତରେ ଧରା ପଡ଼ି ୩୧୮ଜଣ ଏମ୍ପି ହୋଇଛନ୍ତି । ଗତକାଲି ପରୀକ୍ଷା ସରିଥିବା ବେଳେ ଆସନ୍ତା ୨୦ତାରିଖରୁ ଖାତା ଦେଖା ଆରମ୍ଭ ହେଉଛି । ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ୫୭ଟି କେନ୍ଦ୍ର ସ୍ଥିର ହୋଇଥିବା ବେଳେ ମୂଲ୍ୟାୟନରେ ୧୩,୨୮୦ଜଣ ପରୀକ୍ଷକ ନିୟୋଜିତ ହେବେ । ଏହା ମଧ୍ୟରେ ପ୍ରଥମେ ପରୀକ୍ଷା ହୋଇଥିବା ତିନିଟି ଭାଷା ପେପର ମୂଲ୍ୟାୟନ କେନ୍ଦ୍ରରେ ପଞ୍ଚଚିଥିବା ବେଳେ ଅବଶିଷ୍ଟ ଖାତା ଆଜିଠାରୁ ମୂଲ୍ୟାୟନ କେନ୍ଦ୍ରକୁ ପଠାଯିବ । ସେହିପରି ଓଏମଆର୍ ସିଟଗୁଡ଼ିକ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରୁ ଏକକାଳୀନ ଏକ ନିର୍ଦ୍ଦିଷ୍ଟ ମୂଲ୍ୟାୟନ କମ୍ପ୍ୟୁଟର ଫାର୍ମକୁ ପଠାଯିବ । ମାଟ୍ରିକ୍ ଖାତାକୁ ୧୨ଦିନ, ମୁକ୍ତ ବିଦ୍ୟାଳୟ ଖାତାକୁ ୭ଦିନ ଓ ମଧ୍ୟମା ଖାତାକୁ ୧୦ଦିନ ମଧ୍ୟରେ ଶେଷ କରିବାକୁ ବୋର୍ଡ ପକ୍ଷରୁ ଧାର୍ଯ୍ୟ କରାଯାଇଛି । ପୂର୍ବ ବର୍ଷ ଭଳି ଏଥର ମଧ୍ୟ ମେ’ ମାସ ଭିତରେ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।