ଟ୍ରାଫିକ୍ ପାଠ ପଢ଼ିବେ ମାଟ୍ରିିକ ଛାତ୍ରଛାତ୍ରୀ : ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସାମିଲ ହେଲ ସଡକ ସୁରକ୍ଷା ବିଷୟବସ୍ତୁ

249

କନକ ବ୍ୟୁରୋ : ଟ୍ରାଫିକ୍ ପାଠ ପଢ଼ିବେ ମାଟ୍ରିିକ ଛାତ୍ରଛାତ୍ରୀ । ଆଗାମୀ ଶିକ୍ଷାବର୍ଷରୁ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ବିଷୟବସ୍ତୁ ସାମିଲ ରହିବ । ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ, କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଅବଗତ ହେବେ ଛାତ୍ରଛାତ୍ରୀ । ବିଷୟବସ୍ତୁର ରୂପରେଖ କିପରି ହେବ, ତାହା ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ । ସଡ଼କ ସୁରକ୍ଷା ସମୀକ୍ଷା ବୈଠକ ପରେ ସୂଚନା ଦେଲେ ପରିବହନ କମିସନର ସଞ୍ଜୀବ ପଣ୍ଡା ।

ଗଣଶିକ୍ଷା ବିଭାଗ ଏସମ୍ପର୍କରେ ପୂର୍ବରୁ ସମସ୍ତ ସ୍କୁଲ ଗୁଡ଼ିକୁ ଏ ବିଷୟରେ ଅବଗତ କରାଇ ସାରିଛନ୍ତି । ତେବେ ଏହି ନିଷ୍ପତ୍ତି ଦ୍ୱାରା ପିଲାମାନେ ସଚେତନ ହୋଇପାରିବେ ବୋଲି ଆଶାକରାଯାଉଛି । କାରଣ ବିଭିନ୍ନ ସମୟରେ ଛୋଟ ଛୋଟ ପିଲାମାନେ ଗାଡ଼ି ଚଳାଉଥିବାର ଦେଖିବାକୁ ମିଳିଛି ।

ନୂତନ ମୋଟରଯାନ ଆଇନ ଆସିବା ପରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ । ସ୍କୁଲ ଛାତ୍ରଛାତ୍ରୀଙ୍କୁ ବାଇକ ଚଢିବା ନେଇ ବାରଣ କରାଯାଇଥିଲା । କୌଣସି ବି ପରିସ୍ଥିତିରେ ୧୮ ବର୍ଷରୁ କମ୍ ତଥା ଯୁକ୍ତ୨ ପର୍ୟ୍ୟନ୍ତ ଶିକ୍ଷା ଲାଭ କରୁଥିବା ପିଲାମାନେ ଗାଡ଼ି ଚଲାଇବେ ନାହିଁ ବୋଲି ସରକାର ନିଷ୍ପତ୍ତି ଶୁଣାଇଥିଲେ। ଛାତ୍ରଛାତ୍ରୀ ଗାଡ଼ି ଚଲାଇବା ସମୟରେ ଧରାପଡ଼ି ତଣ୍ଡ ମଧ୍ୟ ଗଣୁଥିବାର ଦେଖିବାକୁ ମିଳୁଛି । ଆଉ ଯଦି ଛାତ୍ର/ଛାତ୍ରୀ ବିଦ୍ୟାଳୟକୁ ବାଇକ୍ ଆଣି ଆସୁଥିବେ ତେବେ ସ୍କୁଲ କର୍ତୃପକ୍ଷ ତାଙ୍କୁ ବାରଣ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । ଆଉ ଆଜି ବୈଠକରେ ଆଉ ପାଦେ ଆଗକୁ ଯାଇ ମାଟ୍ରିକ ଛାତ୍ରଛାତ୍ରୀ ସୁରକ୍ଷା ସୁରକ୍ଷା ବିଷୟରେ ପାଠ ପଢ଼ିବେ ବୋଲି ନିଷ୍ପତ୍ତି ହୋଇଛି ।