ମାଟ୍ରିକରେ ମାତ୍ ଦେଲେ ଝିଅ ! ପୁଅଙ୍କୁ ପଛରେ ପକାଇ ମାରିଲେ ବାଜି

22

କନକ ବ୍ୟୁରୋ : ପୁଣି ପୁଅଙ୍କୁ ପଛରେ ପକାଇଲେ ଝିଅ । ଆଜି ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ଫଳରେ କିଛି ଏଭଳି ଧାରା ଲକ୍ଷ୍ୟ କରାଯାଇଛି । ୨ ଲକ୍ଷ ୪୭ ହଜାର ୯୪୮ ଜଣ ଛାତ୍ର ପାସ କରିଥିବା ବେଳେ ୨ ଲକ୍ଷ ୫୫ ହଜାର ୫୧ ଜଣ ଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି । କିନ୍ତୁ ୬ ଲକ୍ଷ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମାତ୍ର ୨ହଜାର ୪ଶହ ପରୀକ୍ଷାର୍ଥୀ ୯୦ ପ୍ରତିଶତ ଉପରେ ମାର୍କ ରଖିପାରିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଓଡିଶାର ପଛୁଆ ଜିଲ୍ଲା କୁହାଯାଉଥିବା ଦେବଗଡରେ ଏଥର ଛାତ୍ରଛାତ୍ରୀ ସାରା ରାଜ୍ୟକୁ ପଛରେ ପକାଇ ଦେଇଛନ୍ତି ।

ଦେଶର ସବୁଠୁ ପଛୁଆ ଜିଲ୍ଳା ଭିତରେ ଅନ୍ୟତମ ଏହି ଜିଲ୍ଳା ଦେଓଗଡ ଆଜି ପ୍ରମାଣିତ କରିଛି ଯେ ଜିଲ୍ଳା ପଛୁଆ ହେଲେ ବି ଏଠାକାର ଛାତ୍ରଛାତ୍ରୀମାନେ ସବୁଠାରୁ ଆଗୁଆ । ଆଜି ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ଫଳରେ ଏହି ଜିଲ୍ଳାରୁ ସବୁଠାରୁ ଅଧିକ ସଂଖ୍ୟାରେ ୯୬ ଦଶମିକ ୪୯ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ସଫଳ ହୋଇଛନ୍ତି । ଆଉ ଏହା ପଛକୁ ରହିଛି ବାଲେଶ୍ୱର , ଯେଉଁଠି ୯୩ ଦଶମିକ ୩୨ ପ୍ରତିଶତ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇଛନ୍ତି ।

ଚଳିତବର୍ଷ ମୋଟ ୬ ଲକ୍ଷ ୮ ହଜାର ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ପାସ କରିଛନ୍ତି ୪ ଲକ୍ଷ ୮୫ ହଜାର ୯୮୯ ଜଣ । ଏମାନଙ୍କ ମଧ୍ୟରୁ ଏ ୱାନ ଗ୍ରେଡରେ ଅର୍ଥାତ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ୨୪୧୬ ଜଣ ଛାତ୍ରଛାତ୍ରୀ । ସେହିପରି ଏ ଟୁ ଗ୍ରେଡ ଅର୍ଥାତ ୮୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ୨୩, ୪୯୦ ଜଣ ଛାତ୍ରଛାତ୍ରୀ, ବି ୱାନ ଅର୍ଥାତ ୭୦ ପତିଶତରୁ ଅଧିକ ମାର୍କ ରଖିଛନ୍ତି ୬୨, ୧୯୩ ଜଣ ଓ ବି ଟୁ ଅର୍ଥାତ ୬୦ ପ୍ରତିଶତରୁ ଅଧିକ ୬୧ ଲକ୍ଷ ୨ ହଜାର ୩୯୫ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି ।

ରାଜ୍ୟର ମାଓ ପ୍ରବଣ ଜିଲ୍ଳା ମାଲକାନଗିରିରେ ସବୁଠାରୁ କମ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ପ୍ରାୟ ପ୍ରତି ସପ୍ତାହରେ କିଛି ନା କିଛି ମାଓ ହିଂସାର ଖବର ଆସୁଥିବା ଏଇ ଜିଲ୍ଳାରେ ସ୍କୁଲ ପାଠପଢା ବି ବ୍ୟାଘାତ ହୋଇଥିବାର ସଂକେତ ମିଳୁଛି ।

କିନ୍ତୁ ମାଓପ୍ରବଣ ଜିଲ୍ଲା କୋରାପୁଟ ଓ ନୂଆପଡାରେ ଛାତ୍ରଛାତ୍ରୀ ବେଶ ଭଲ ରେଜଲ୍ଟ କରିଛନ୍ତି । କୋରାପୁଟରେ ପାସହାର ୯୨.୫୦ ପ୍ରତିଶତ ଓ ନୂଆପଡାରେ ୯୧.୪୪ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି ।ଏପରିକି ଖୋର୍ଦ୍ଧା ଏବଂ ବଲାଙ୍ଗୀରର ପାସହାରଠାରୁ ଏଠାରେ ଅଧିକ ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିଛନ୍ତି ।

ମାଟ୍ରିକ ପରୀକ୍ଷା ଜଣେ ଛାତ୍ର କିମ୍ବା ଛାତ୍ରୀଙ୍କ କ୍ୟାରିୟର ଏକ ମହତ୍ୱପୂର୍ଣ୍ଣ ମୋଡ ବୋଲି ବିଚାର କରାଯାଏ । କାରଣ ଏହିଠାରୁ ହିଁ ଆରମ୍ଭ ହୁଏ ଉଚ୍ଚ ଶିକ୍ଷାର ଅଭିଯାନ । କିନ୍ତୁ ଏହା ବି ସତ ଯେ ଏଥିରେ ବିଫଳତା ଜଣକର ଇଛା ଶକ୍ତିକୁ ଦୁର୍ବଳ କରିପାରିବ ନାହିଁ । କାରଣ ଆଗକୁ ଆହୁରୀ ଅନେକ ସମ୍ଭାବନା ରହିଛି ।