ଆଜିଠାରୁ ମାଟ୍ରିକ୍ ପରୀକ୍ଷା : ପ୍ରଥମ ଦିନରେ ମାତୃଭାଷା ବିଷୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

25

କନକ ବ୍ୟୁରୋ : ଆଜି ଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ଏଥର ରେକର୍ଡ ସଂଖ୍ୟକ ୬ଲକ୍ଷ ୮ ହଜାର ୫୩ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଯାଉଛନ୍ତି । ପ୍ରଥମ ଦିନରେ ଛାତ୍ରଛାତ୍ରୀ ମାତୃଭାଷା ବିଷୟରେ ପରୀକ୍ଷା ଦେବେ । ରାଜ୍ୟର ୨୮୧୮ କେନ୍ଦ୍ରରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏହି ପରୀକ୍ଷା ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ଉପଲକ୍ଷେ ବୋର୍ଡ ପକ୍ଷରୁ ଗତକାଲି ଚୂଡାନ୍ତ ପର୍ଯ୍ୟାୟ ସ୍କ୍ଵାଡ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଥିଲା । ମାଟ୍ରିକ ପରୀକ୍ଷାରେ କପି ରୋକିବା ପାଇଁ ଏହି ସ୍କ୍ଵାଡରେ ୯୫ ଅଧ୍ୟାପକଙ୍କୁ ସାମିଲ କରାଯାଇଛି । ତେବେ ସେମାନଙ୍କ ମଧ୍ୟରୁ ଆଜି ୪୬ ଜଣ ଅଧ୍ୟାପକ ପ୍ରଶିକ୍ଷଣ ନେଇଥିଲେ । ଯେଉଁମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇନାହାନ୍ତି, ସେମାନଙ୍କୁ ବୋର୍ଡ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ କୁହାଯାଇଛି । ଯଦି ରିପୋର୍ଟ ପ୍ରଦାନରେ ବିଳମ୍ବ ହୁଏ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।

ଅନ୍ୟପକ୍ଷରେ ପରୀକ୍ଷା ପରିଚାଳନା ପାଇଁ ବୋର୍ଡ ପକ୍ଷରୁ ବିଭିନ୍ନ ଜୋନରେ ୩୭ଟି ସ୍କ୍ଵାଡ ଗଠନ କରାଯାଇଛି । ଏହାବ୍ୟତୀତ ଜୋନାଲ୍ ସ୍କ୍ଵାଡ୍ ମଧ୍ୟ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଯାଞ୍ଚ କରିବେ । ବିଭିନ୍ନ ସ୍କ୍ଵାଡ ମଧ୍ୟରେ ସମନ୍ଵୟ ରକ୍ଷା କରିବାକୁ ବୋର୍ଡ ମୁଖ୍ୟ କାର୍ୟ୍ୟାଳୟରେ ଏକ ସ୍ୱତନ୍ତ୍ର ନିୟନ୍ତ୍ରଣ ପ୍ରକୋଷ୍ଠ ରହିବ । ପରୀକ୍ଷା କେନ୍ଦ୍ରରେ ତଥା ସବୁ ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଶିକ୍ଷକମାନେ କୌଣସି ଅନିୟମିତତା କିମ୍ବା ଅସଦ୍ ଉପାୟ ଅବଲମ୍ବନ ନେଇ ସୂଚନା ପାଇଲେ ସେମାନେ ତୁରନ୍ତ କଣ୍ଟ୍ରୋଲ ରୁମକୁ ଅବଗତ କରାଇବାକୁ କୁହାଯାଇଛି । ଏ ସମ୍ପର୍କରେ ସୂଚନା ପାଇବା ମାତ୍ରେ ବୋର୍ଡ ସ୍କ୍ଵାଡ ଘଟଣା ସ୍ଥଳରେ ପହଞ୍ଚ ଆବଶ୍ୟକୀୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ । ତେଣୁ ପରୀକ୍ଷାର ସ୍ୱଭାବିକ୍ ପରିଚାଳନା ପାଇଁ ସମସ୍ତ ଅଭିଭାବକ ଓ ଶିକ୍ଷକମାନଙ୍କର ସହଯୋଗ ଲୋଡିଛନ୍ତି ପରୀକ୍ଷା ନିୟନ୍ତ୍ରକ ନିହାର ରଂଜନ ମହାନ୍ତି ।

matric exam

ସୂଚନା ଅନୁଯାୟୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୬ଲକ୍ଷ ୮ ହଜାର ୫୩ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେଥିମଧ୍ୟରୁ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ୫ ଲକ୍ଷ ୯୦ ହଜାର ୩୬୦ ପରୀକ୍ଷାର୍ଥୀ, ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ୧୩ ହଜାର ୯୭୮ ଏବଂ ମଧ୍ୟମା ପାଇଁ ୩୭୧୫ ଜଣ ପରୀକ୍ଷାର୍ଥୀ ନାମ ପଞ୍ଜିକରଣ କରିଛନ୍ତି । ସେହିପରି ହାଇସ୍କୁଲ ପାଇଁ ୨୮୧୮ଟି ସେଣ୍ଟର କରାଯାଇଥିବା ବେଳେ ରାଜ୍ୟ ମୁକ୍ତ ସ୍କୁଲ ପରୀକ୍ଷା ପାଇଁ ୧୦୧ ଏବଂ ମଧ୍ୟମା ପାଇଁ ୪୭ ସେଣ୍ଟର କରାଯାଇଛି । ସେହିପର ଜେଲରେ ରହୁଥିବା ୧୩ ଜଣ କଏଦୀ ମାନଙ୍କ ପାଇଁ ୨ଟି ସବ୍ ସେଣ୍ଟର ଖୋଲାଯାଇଛି । ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ୫୭ଟି କେନ୍ଦ୍ର ସ୍ଥିର କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷା ସମ୍ପର୍କୀତ କୌଣସି ସମସ୍ୟା ଥିଲେ ୦୬୭୧-୨୪୧୨୦୫୯/୨୪୧୨୦୬୦ ନମ୍ବରରେ ଯୋଗାଯୋଗ କରିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି ।