ଆସନ୍ତାକାଲିଠାରୁ ମାଟ୍ରିକ୍ ପରୀକ୍ଷା ! ପ୍ରଶ୍ନପତ୍ର ଲିକ୍ ରୋକିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା, ପରୀକ୍ଷା ଦେବେ ୫ଲକ୍ଷ ୮୭ ହଜାର ୭୨୦ ଜଣ ପରୀକ୍ଷାର୍ଥୀ ।

122

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ମାଟ୍ରିକ ପରୀକ୍ଷା ଛାତ୍ର ଜୀବନର ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା । ରାଜ୍ୟର ୨ ହଜାର ୯୫୩ଟି ସେଂଟରରେ ପରୀକ୍ଷା କେନ୍ଦ୍ରରେ ବସିବେ ୫ଲକ୍ଷ ୮୭ ହଜାର ୭୨୦ ଜଣ ପରୀକ୍ଷାର୍ଥୀ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରି ସାରିଛି ମାଧ୍ୟମିକ ଶିକ୍ଷା ପରିଷଦ । ପ୍ରଶ୍ନପତ୍ର ଲିକ୍ ରୋକିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ରଖିବା ପାଇଁ ରାଜ୍ୟରେ ୭ ଶହ ନୋଡାଲ ସେଂଟର କରାଯାଇଛି । ଗତକାଲି ଠାରୁ ନୋଡାଲ ସେଂଟରରେ ପ୍ରଶ୍ନପତ୍ର ପହଂଚି ସାରିଛି ।

ବାରମ୍ବାର ପ୍ରଶ୍ନପତ୍ର ଲିକ୍ ଘଟଣା ବୋର୍ଡକୁ ହରଡଘଣାରେ ପକାଉଥିବାରୁ ଚଳିତ ବର୍ଷ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଂଚାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଂଚାଇବା ପାଇଁ ବୋର୍ଡ ପକ୍ଷରୁ ୭୦୧ଟି ଟିମ୍ ଗଠନ କରାଯାଇଛି । ଏହି ଟିମରେ ଜଣେ ଲେଖାଏଁ ପୋଲିସ ରହିବେ । ପ୍ରଶ୍ନପତ୍ର ସକାଳ ୬ଟାରୁ ୮ ଟା ଭିତରେ ପରୀକ୍ଷା କେନ୍ଦ୍ରରେ ପହଂଚିବ । ପ୍ରଶ୍ନପତ୍ରକୁ ତ୍ରିସ୍ତରୀର କଭର ବ୍ୟବସ୍ଥା ଅଣାଯିବ । ସକାଳ ୯ଟାରୁ ୯ଟା ୩୦ ଭିତରେ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ । ୯ଟା ୪୫ରେ ପ୍ରଶ୍ନପତ୍ର ଖୋଲାଯିବ । ପ୍ରଶ୍ନପତ୍ର ଖୋଲିବା ସମୟରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀ ଉପସ୍ଥିତି ରହିବେ । ମାଟ୍ରିକ ପରୀକ୍ଷାର ସୁରକ୍ଷା ନେଇ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ।