ଶେଷ ହେଲା ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନ : ଏପ୍ରିଲ ଶେଷ ସପ୍ତାହରେ ବାହାରିବ ପରୀକ୍ଷାଫଳ

222

କନକ ବ୍ୟୁରୋ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମାର୍ଚ୍ଚ ୨୪ ତାରିଖରୁ ଆରମ୍ଭ ହୋଇଥିବା ହାଇସ୍କୁଲ ସାର୍ଟିଫି‌େକଟ୍ ପରୀକ୍ଷା(ମାଟ୍ରିକ୍), ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଖାତା ମୂଲ୍ୟାୟନ  ସମାପ୍ତ ହୋଇଛି । ଏବେ ମାର୍କ ପୋଷ୍ଟିଂ ସମେତ ମାର୍କ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୧୫ଦିନ ମଧ୍ୟରେ ଏହା ଶେଷ ହେବାକୁ ଥିବା ବେଳେ ଚଳିତ ମାସ ଶେଷ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । କିନ୍ତୁ ସମୂହ କପି ପାଇଁ ଇଂରାଜୀ ପରୀକ୍ଷା ବାତିଲ ହୋଇଥିବା କେନ୍ଦ୍ର ଓ ଗଣିତ ଓଏମ୍‌ଆର୍‌ ହଜିଥିବା ପରୀକ୍ଷା କେନ୍ଦ୍ରର ପରୀକ୍ଷାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ଏବେ ଚୂଡାନ୍ତ ହୋଇନାହିଁ । ପରୀକ୍ଷା ଫଳ ଅନ୍ତିମ ପର୍ଯ୍ୟାୟରେ ବୋର୍ଡ ପରୀକ୍ଷା କମିଟି ଦ୍ବାରା ଏହି ପରୀକ୍ଷାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରାଯିବାକୁ ସ୍ଥିର ହୋଇଛି ।

ବୋର୍ଡ ପକ୍ଷରୁ ମାର୍ଚ୍ଚ ୨୫ରୁ ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିବା ବେଳେ ଏଥିରେ ମୋଟ ୧୬ହଜାର ୩୦ଜଣ ପରୀକ୍ଷକ ନିୟୋଜିତ ହୋଇଥିଲେ । ମୂଲ୍ୟାୟନ କାର୍ଯ୍ୟ ରାଜ୍ୟର ୬୦ଟି କେନ୍ଦ୍ର ଚାଲିଥିଲା । ଅନ୍ୟପକ୍ଷରେ ମାଟ୍ରିକ୍‌ର ଇଂରାଜୀ ପରୀକ୍ଷାରେ ମାସ୍‌ କପି ପାଇଁ ବଲାଙ୍ଗୀର ଜିଲ୍ଲା ଘୁଣସର ସରକାରୀ ନୋଡାଲ ହାଇସ୍କୁଲ, ଢ଼େଙ୍କାନାଳ ଜିଲ୍ଲାର ପି.ଆର.ହାଇସ୍କୁଲ ଓ କଟକ ଜିଲ୍ଲା ବଡ଼ମ୍ବା କ୍ଲବ୍ ଗୋପୀନାଥପୁର କୃପାସିନ୍ଧୁ ନୋଡାଲ ହାଇସ୍କୁଲ ମୋଟ ୬୭୫ଜଣ ପରୀକ୍ଷାର୍ଥୀ ସମେତ ମାଲକାନାଗିରିର ଏସ୍‌ଏସ୍‌ଡି ହାଇସ୍କୁଲ କେନ୍ଦ୍ରରେ ଗଣିତ ଓଏମଆର୍ ହଜିଥିବା ୧୦୮ଜଣ ପରୀକ୍ଷାର୍ଥୀଙ୍କ ବିଷୟରେ ଏଯାଏ ଆଲୋଚନା ହୋଇନାହିଁ ।

ବୋର୍ଡ ପକ୍ଷରୁ ମାର୍ଚ୍ଚରେ ପରୀକ୍ଷା କମିଟି ବୈଠକ ବସିଥିଲେ ହେଁ, ୮୮୩ଜଣ ପରୀକ୍ଷାର୍ଥୀ ବିଷୟରେ କିଛି ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ । ଏବିଷୟରେ ବୋର୍ଡ ସଭାପତି ପ୍ରଫେସର ଡକ୍ଟର ଜାହାନ ଆରା ବେଗମ କହିଛନ୍ତି ଯେ, ପରୀକ୍ଷା ଖାତା ମୂଲ୍ୟାୟନ ଆଜି ‌ଶେଷ ହୋଇଛି। କିନ୍ତୁ ମାର୍କ ପୋ‌ଷ୍ଟିଂ ଓ ମାର୍କ ଯାଞ୍ଚ ପ୍ରକ୍ରିୟା ଆଉ ୧୫ଦିନ ଲାଗିବ । ପରେ ପରୀକ୍ଷା ଫଳ ପ୍ରକାଶ ବିଷୟରେ ନିଷ୍ପତ୍ତି ନିଆଯିବ । କିନ୍ତୁ ଇଂରାଜୀ ପରୀକ୍ଷା ବାତିଲି ହୋଇଥିବା ଓ ଓଏମଆର୍ ହଜିଥିବା ପରୀକ୍ଷାର୍ଥୀଙ୍କ ବିଷୟରେ ପରୀକ୍ଷା କମିଟିରେ ନିଷ୍ପତ୍ତି ନିଆଯିବା ପରେ ସେମାନଙ୍କ ବିଷୟରେ ଆଲୋଚନା ହେବ । କିନ୍ତୁ ଏହି ପ୍ରକ୍ରିୟା ଖୁବ୍ ଶୀଘ୍ର ହେବ ବୋଲି ସଭାପତି ଡକ୍ଟର ବେଗମ୍‌ ସୂଚନା ଦେଇଛନ୍ତି ।