ପରୀକ୍ଷା ଦେଉଛି କିଏ, ଛାତ୍ରଛାତ୍ରୀ ନା ବୋର୍ଡ? ମାଟ୍ରିକ ପରୀକ୍ଷା ପରିଚାଳନା ନେଇ ବୋର୍ଡର ପାରିବାପଣିଆ ଉପରେ ଉଠିଲା ପ୍ରଶ୍ନ

277

କନକ ବ୍ୟୁରୋ : ସରିଛି ପ୍ରଥମ ଦିନର ମାଟ୍ରିକ ପରୀକ୍ଷା । ରାଜ୍ୟର ୨ ହଜାର ୯୫୩ ସେଂଟରରେ ପରୀକ୍ଷା କେନ୍ଦ୍ରରେ ୫ଲକ୍ଷ ୮୭ ହଜାର ୭୨୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ତେବେ ପ୍ରଥମ ଦିନରେ ପରୀକ୍ଷା ଆରମ୍ଭରୁ ବଡ ବିଭ୍ରାଟ ଦେଖିବାକୁ ମିଳିଛି । ପରୀକ୍ଷାର୍ଥୀ ମାତୃଭାଷା ପରୀକ୍ଷା ଦେଇଥିବା ବେଳେ ପରୀକ୍ଷା ଆରମ୍ଭର ମାତ୍ର ୧୦ ମିନିଟ୍ ପରେ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ଜୟପୁର ବନ୍ଧୁ ଗାଁର ବ୍ଲକର ସରକାରୀ ସ୍କୁଲରେ ପରୀକ୍ଷା ବେଳେ ପ୍ରଶ୍ନପତ୍ର ଲିକ ହୋଇଛି । ପୁଲିସ ଅନୁପସ୍ଥିତରେ ଝରକା ପଟେ ଜଣେ ଛାତ୍ର ପ୍ରଶ୍ନପତ୍ର ବାହାରକୁ ପଠାଇଥିବା ଜଣାପଡିଛି । ଏତିକିରେ ଅଟକି ନାହିଁ ମାଟ୍ରିକ ପରୀକ୍ଷା ବିଭ୍ରାଟ । ଗୋଟିଏ ପଟେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ବେଳେ ଅନ୍ୟପଟେ ପରୀକ୍ଷା ଦେବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ନାନାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । କେଉଁଠି ଆଡମିଟ କାର୍ଡ ନ ମିଳିବାରୁ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ତ ପୁଣି କେଉଁଠି ଛାତ୍ରୀଙ୍କ ନାମ ଓ ବାପାଙ୍କ ନାମ ସମାନ ହୋଇଥିବାରୁ ପରୀକ୍ଷା ଦେଇପାରିନାହାନ୍ତି ଛାତ୍ରୀ ।

ମାଟ୍ରିକ ପରୀକ୍ଷା ଆରମ୍ଭରୁ ବିଭ୍ରାଟ । ପ୍ରଶ୍ନପତ୍ର ଭାଇରାଲ ହେବା ପରେ ମାଟ୍ରିକ ପରୀକ୍ଷା ପରିଚାଳନାକୁ ନେଇ ଅଭିଭାବକ ମାନେ ପ୍ରଶ୍ନ ଉଠାଇଥିବା ବେଳେ ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ବୋର୍ଡ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ଛାତ୍ରଛାତ୍ରୀ । ଆଡମିଟ କାର୍ଡ ନ ମିଳିବାରୁ ରାୟଗଡାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ମାଟ୍ରିକ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ଛାତ୍ରୀ । ବୋର୍ଡ କର୍ତ୍ତୃପକ୍ଷଙ୍କ ଅବହେଳା ଓ ବିଦ୍ୟାଳୟ କର୍ମଚାରୀଙ୍କ ଅବହେଳା ଯୋଗୁଁ ଆଡମିଟ୍ କାର୍ଡ ପାଇ ପାରିନାହାନ୍ତି ଗୁଣୁପୁର ଅନ୍ତର୍ଗତ ଗୁଡାରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସ୍ନିଗ୍ଧା ସାହୁ ।

ମାଟ୍ରିକ ପରୀକ୍ଷା ଦେବାକୁ ଫର୍ମ ଫିଲଅପ କରିଥିଲେ ମଧ୍ୟ ଆଡମିଟ୍ କାର୍ଡ ନ ଆସିବାରୁ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ସ୍ନିଗ୍ଧା । ଆଉ ଏହାସହ ତାଙ୍କର କ୍ୟାରିୟର ମଧ୍ୟ ଅନ୍ଧାର ଘେରକୁ ଠେଲି ହୋଇଯାଇଛି । ତେବେ ଏନେଇ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇବା ପରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ସେହିଭଳି ବାଲେଶ୍ୱରରେ ମଧ୍ୟ ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳାଯାଇଛି ସାଂଘାତିକ ଖେଳ । ଆଡମିଟ କାର୍ଡରେ ସମାନ ନାମ ଓ ସମାନ ବାପାଙ୍କ ନାମ ହୋଇଥିବାରୁ ଜଣେ ଛାତ୍ରୀଙ୍କୁ ପରୀକ୍ଷା ଦେବାରୁ ବଞ୍ଚିତ କରାଯାଇଛି । କର୍ତ୍ତୃପକ୍ଷଙ୍କ ଭୁଲ ଯୋଗୁଁ ପରୀକ୍ଷା ଦେଇପାରିନାହାନ୍ତି ମେଧାବୀ ଛାତ୍ରୀ ।

ଅନ୍ୟପଟେ ବୋର୍ଡ କର୍ତ୍ତୃପକ୍ଷଙ୍କ ଭୁଲ ଯୋଗୁଁ ପରୀକ୍ଷା ଦେବାକୁ ହନ୍ତସନ୍ତ ହୋଇଛନ୍ତି ଛାତ୍ରଛାତ୍ରୀ । ଆଡମିଟ କାର୍ଡରେ ଥିବା ପରୀକ୍ଷା ସେଣ୍ଟର ଜିଲ୍ଲା ମଧ୍ୟରେ କେଉଁଠି ନ ଥିବାରୁ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପୂର୍ବରୁ ହନ୍ତସନ୍ତ ହୋଇଛନ୍ତି । ଏଭଳି ଘଟଣା ଜୟପୁର ଅଞ୍ଚଳରୁ ଆସିଛି । ଆଡମିଟ୍ କାର୍ଡରେ ପରୀକ୍ଷା କେନ୍ଦ୍ର ସରକାରୀ ବାଳିକା ବିଦ୍ୟାଳୟ ଥିବା ବେଳେ ଜୟପୁର ଅଞ୍ଚଳରେ ଏଭଳି ପରୀକ୍ଷା କେନ୍ଦ୍ର ନଥିବା ଜାଣିବାକୁ ପାଇଥିଲେ ଅଭିଭାବକ । ଏହାପରେ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମୁଣ୍ଡରେ ଚଡକ ପଡିଥିଲା । ପରେ ପରୀକ୍ଷା କେନ୍ଦ୍ରକୁ ସିଟି ହାଇସ୍କୁଲକୁ ବଦଳି କରାଯାଇଥିବା ଜାଣିବା ପରେ ଛାତ୍ରଛାତ୍ରୀ ମାନେ ବିଳମ୍ବରେ ପହଞ୍ଚି ପରୀକ୍ଷା ଦେଇଥିଲେ । ଏପରିକି ଅନେକ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ର ନ ପାଇ ମାଟ୍ରିକ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ଏଭଳି କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ସରକାର ଖେଳୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଅଭିଭାବକ ।

ଗୋଟିଏ ପଟେ ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ର ଭାଇରାଲ ଓ ଅନ୍ୟପଟେ ବୋର୍ଡ କର୍ତ୍ତୃପକ୍ଷଙ୍କ ଭୁଲ ଯୋଗୁଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଘେରକୁ ଠେଲି ହୋଇଯାଇଛି । ତେଣୁ ବାକି ଥିବା ପରୀକ୍ଷା ଗୁଡିକୁ କିଭଳି ସୂଚାରୁରୂପେ କରାଯିବ ତାହା ଏବେ ବୋର୍ଡ କର୍ତ୍ତୃପକ୍ଷଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।