ମାଟ୍ରିକ୍ ପରୀକ୍ଷା ପ୍ରସ୍ତୁତି: ଏଥର ପ୍ରଶ୍ନ ପଢ଼ିବାକୁ ମିଳିବନି ଅତିରିକ୍ତ ସମୟ, ପ୍ରଶ୍ନପତ୍ର ବୁକଲେଟକୁ ପରୀକ୍ଷା ଆରମ୍ଭ ବେଳେ ହିଁ ଖୋଲି ପରୀକ୍ଷା ଦେବେ ପରୀକ୍ଷାର୍ଥୀ

408

କନକ ବ୍ୟୁରୋ: ଏବର୍ଷ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନ ପଢ଼ିବାକୁ ଆଉ ଅତିରିକ୍ତ ୧୫ମିନିଟ୍ ସମୟ ମିଳିବ ନାହିଁ। ପରୀକ୍ଷାର୍ଥୀମାନେ ପ୍ରଶ୍ନପତ୍ର ବୁକ୍ଲେଟକୁ ପରୀକ୍ଷା ଆରମ୍ଭ ସମୟ ଠିକ୍ ୧୦ଟାରେ ହିଁ ଖୋଲି ପରୀକ୍ଷା ଦେବେ। ପୂର୍ବବର୍ଷ ଭଳି ପରୀକ୍ଷା ଆରମ୍ଭର ୧୫ମିନିଟ୍ ପୂର୍ବରୁ ପ୍ରଶ୍ନପତ୍ର ବୁକ୍‌ଲେଟ୍‌ ଖୋଲି ପାରିବେ ନାହିଁ। ଚଳିତ ବର୍ଷ ପାସ୍ କରିବା ପାଇଁ ଉଭୟ ଅବ୍‌ଜେକ୍ଟିଭ୍ ଓ ସବ୍‌ଜେକ୍ଟିଭ୍‌ରେ ୧୫, ୧୫ ନମ୍ବର ରଖିବାକୁ କଡ଼ାକଡ଼ି କରାଯାଇଥିବା ବେଳେ ପ୍ରଶ୍ନ ପଢ଼ିବା ପାଇଁ ୧୫ମିନିଟ୍ ଅତିରିକ୍ତ ସମୟ କାଟି ଦେବା ପରୀକ୍ଷାର୍ଥୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।

ଆସନ୍ତା ୨୨ତାରିଖରୁ ଆରମ୍ଭ ହେଉଛି ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା(ରେଗୁଲାର, ଏକ୍ସରେଗୁଲାର), ସ˚ସ୍କୃତ ଟୋଲ(ମଧ୍ୟମା) ଓ ଷ୍ଟେଟ୍ ଓପନ୍ ସ୍କୁଲ ପରୀକ୍ଷା। ବୋର୍ଡ କେନ୍ଦ୍ରୀୟ କାର‌୍ୟ୍ୟାଳୟସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ଚାଲିଥିବା ସୁପରିଟେଣ୍ତେଣ୍ଟ, ନୋଡାଲ ସେଣ୍ଟର ସୁପରିଟେଣ୍ତେଣ୍ଟମାନଙ୍କ ଓରିଏଣ୍ଟଟେସନ୍ ପ୍ରୋଗ୍ରାମରେ ବୋର୍ଡ ପକ୍ଷରୁ ପରୀକ୍ଷା ପରିଚାଳନା ସଂପର୍କିତ ଜାରି ହୋଇଥିବା ୧୭ ପଏଣ୍ଟ ବିଶିଷ୍ଟ ଗାଇଡଲାଇନ୍ ବିଷୟରେ ସୂଚନା ଦିଆଯାଇଛି।

ଏବର୍ଷ ମାଟ୍ରିକ ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ୧୨ଟା ୩୦ରେ ଶେଷ ହେବ। କେବଳ ଗଣିତ ୧୨ଟା ୪୫ମିନିଟରେ ଶେଷ ହେବ। ମଧୢମା ଓ ଷ୍ଟେଟ୍ ଓପନ୍ ସ୍କୁଲ ପରୀକ୍ଷା ଅପରାହ୍ଣ ୨ଟାରୁ ୪ଟା ୩୦ ପର‌୍ୟ୍ୟନ୍ତ ଚାଲିବ। ଚଳିତ ବର୍ଷ ପ୍ରଶ୍ନପତ୍ର ନୋଡାଲ୍ ସେଣ୍ଟରରୁ ଯାଇ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦିନ ସକାଳ ୬ଟାରୁ ୮.୩୦ମଧ୍ୟରେ ପହଞ୍ଚିବ। ଅନୁପସ୍ଥିତ ଥିବା ପିଲାଙ୍କ ପ୍ରଶ୍ନପତ୍ର କେନ୍ଦ୍ର ସୁପରିଟେଣ୍ଡେଣ୍ଟ୍ ପାଖରେ ରଖିବେ ଓ ପରୀକ୍ଷା ଆରମ୍ଭର ୩୦ମିନିଟ୍ ପରେ ଆସିଲେ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଦେବାକୁ ପୂର୍ବଭଳି ଆଉ ସୁଯୋଗ ମିଳିବ ନାହିଁ। ପରୀକ୍ଷା ଦିନ ୨ଟା ସୁଦ୍ଧା କେନ୍ଦ୍ର ସୁପରିଟେଣ୍ଡେଣ୍ଟ୍  ଏମ୍‌ପି, ଅନୁପସ୍ଥିତ ଆଦି ସମସ୍ତ ସୂଚନା ଅନଲାଇନରେ ବୋର୍ଡ କେନ୍ଦ୍ରୀୟ କାର‌୍ୟ୍ୟାଳୟକୁ ପଠାଇବେ।

ପ୍ରଶ୍ନପତ୍ରଟି ତିନି ଲେୟାର ବିଶିଷ୍ଟ ହୋଇଥିବା ବେଳେ ପ୍ରଥମ ଗନି ବ୍ୟାଗ୍(କପଡ଼ା ବ୍ୟାଗ)କୁ କେନ୍ଦ୍ର ସୁପରିଟେଣ୍ଡେଣ୍ଟ, ଡେପୁଟୀ ସୁପରିଟେଣ୍ଡେଣ୍ଟ ଓ ଇନ୍‌ଭିଜିଲେଟରଙ୍କ ଉପସ୍ଥିତିରେ ୯ଟା ୩୦ରେ ଖୋଲାଯିବ। ଦ୍ବିତୀୟ ଲେୟାର(ପଲିଥିନ୍ ବ୍ୟାଗ୍)ଟି ପରୀକ୍ଷା ହଲରେ ଇନ୍‌ଭିଜିଲେଟର ଓ ପରୀକ୍ଷାର୍ଥୀଙ୍କ ଉପସ୍ଥିତିରେ ୯ଟା ୪୫ମିଟିଟ୍ରେ ଖୋଲାଯିବା ସହିତ ପରୀକ୍ଷାର୍ଥୀ୍ଙ୍କୁ ବଣ୍ଟନ କରାଯିବ। ପରୀକ୍ଷାର୍ଥୀମାନେ ତୃତୀୟ ଲେୟାର(ପେପର ସିଲ୍)ଟିକୁ ପରୀକ୍ଷା ଆରମ୍ଭ ସମୟ ଠିକ୍ ୧୦ଟାରେ ଖୋଲିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପୂର୍ବରୁ ଅର୍ଥାତ୍ ସକାଳ ୯ଟା ୪୫ମିନିଟରେ ପିଲାଙ୍କୁ ଓଏମଆର୍ ଫର୍ଦ୍ଦ ପ୍ରଦାନ କରାଯିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି।

ଷ୍ଟାଣ୍ଡାର୍ଡ ଓଏମଆର୍ରେ ପିଲାଙ୍କ ରୋଲ୍ ନମ୍ବର, ନାମ ଆଦି ଛାପା ଯାଇଛି। ନନ୍ ଷ୍ଟାଣ୍ଡାର୍ଡ ଓଏମ୍ଆର୍ରେ ପିଲାମାନେ ସେମାନଙ୍କ ରୋଲ୍ ନମ୍ବର, ନାମ ଆଦିକୁ ଇନ୍‌ଭିଜିଲେଟରଙ୍କ ଉପସ୍ଥିତିରେ ଲେଖିବେ। ପରୀକ୍ଷାର୍ଥୀମାନେ ଠିକ୍ ୧୦ଟାରେ କୋଶ୍ଚିନ୍-କମ୍-ଆନ୍ସର ବୁକଲେଟକୁ ଖୋଲିବାକୁ ବୋର୍ଡ ନିର୍ଦ୍ଦେଶ ପକ୍ଷରୁ ଥିବାରୁ ପରୀକ୍ଷାର୍ଥୀ ପୂର୍ବବର୍ଷ ଭଳି ଯେଉଁ ୧୫ମିନିଟ୍ ଅତିରିକ୍ତ ସମୟ ପ୍ରଶ୍ନ ପଢ଼ିବାକୁ ସମୟ ପାଉଥିଲେ ତାହା ଆଉ ପାଇବେ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଏ ସଂକ୍ରାନ୍ତରେ ବୋର୍ଡ ସଭାପତି ଡକ୍ଟର ଜାହାନ ଆରା ବେଗମ୍ ସ୍ପଷ୍ଟ କରି କହିଛନ୍ତି ଯେ, ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହେଉଥିବାରୁ ପିଲାମାନେ ଠିକ୍ ୧୦ ଟାରେ ପ୍ରଶ୍ନପତ୍ର ଖୋଲି ପରୀକ୍ଷା ଦେବେ।