ଆସନ୍ତା ୨୦ତାରିଖରୁ ମାଟ୍ରିକ ଖାତାଦେଖା ! ୫୭ଟି ମୂଲ୍ୟାୟନ କେନ୍ଦ୍ର ସ୍ଥିର

31

କନକ ବ୍ୟୁରୋ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଖାତା ମୂଲ୍ୟାୟନ ଆସନ୍ତା ୨୦ତାରିଖରୁ ଆରମ୍ଭ ହେବ । ଏହି ମୂଲ୍ୟାୟନ ପାଇଁ ନିୟୋଜିତ ପରୀକ୍ଷକମାନେ ଆସନ୍ତାକାଲି ସକାଳ ୧୦ଟାରେ ମୂୂଲ୍ୟାୟନ କେନ୍ଦ୍ରରେ ରିପୋର୍ଟିଂ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି ଅପରାହ୍‌ଣ ୩ଟାରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଧ୍ୟକ୍ଷତାରେ ମଲ୍ୟାୟନ କେନ୍ଦ୍ରରେ ପ୍ରସ୍ତୁତି ବୈଠକ କରାଯିବ । ଏଥିରେ ପରୀକ୍ଷକଙ୍କ ସମେତ କ୍ୟାମ୍ପ୍‌ ଅଫିସର, କ୍ୟାମ୍ପ ସୁପରଭାଇଜର ପ୍ରମୁଖ ଉପସ୍ଥିତ ରହି ମୂଲ୍ୟାୟନ ସଂକ୍ରାନ୍ତରେ ଆଲୋଚନା କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷକ ଅନୁପସ୍ଥିତ ରହିବେ ସେକ୍ଷେତ୍ରରେ ଡିଇଓମାନେ ବିକଳ୍ପ ବ୍ୟବସ୍ଥା କରିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି ।

ଚଳିତ ବର୍ଷ ମାଟ୍ରିକ ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ(ଓପନ୍‌ ସ୍କୁଲ) ଓ ସଂସ୍କୃତ ମଧ୍ୟମା ଖାତା ଏକକାଳୀନ ମୂଲ୍ୟାୟନ କରିବାକୁ ବୋର୍ଡ ପଦକ୍ଷେପ ଗ୍ରହଣ କରିଛି । ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ରାଜ୍ୟରେ ୫୭ଟି ମୂଲ୍ୟାୟନ କେନ୍ଦ୍ର ସ୍ଥିର ହୋଇଥିବା ବେଳେ ଏଥି ପାଇଁ ମୋଟ ୧୩,୨୮୦ ଜଣ ପରୀକ୍ଷକ ନିୟୋଜିତ ହୋଇଛନ୍ତି । ମୂଲ୍ୟାୟନ ପାଇଁ ନିୟୋଜିତ ମୁଖ୍ୟ ପରୀକ୍ଷକ, ଡେପୁଟି ପରୀକ୍ଷକ, ପରୀକ୍ଷକଙ୍କ ନିଯୁକ୍ତିପତ୍ର ବିଭିନ୍ନ ହାଇସ୍କୁଲ  ୱେବସାଇଟରେ ଛଡାଯାଇଛି । ପ୍ରଧାନଶିକ୍ଷକମାନେ ସ୍କୁଲ କୋର୍ଡ ଓ ପାସ୍‌ ଓ୍ଵାର୍ଡ ବ୍ୟବହାର କରି ପରୀକ୍ଷକଙ୍କ ନିଯୁକ୍ତିପତ୍ର ଡାଉନ୍‌ଲୋର୍ଡ କରି ପରୀକ୍ଷକଙ୍କ ନିଯୁକ୍ତିପତ୍ର ସେମାନଙ୍କୁ ପ୍ରଦାନ କରିବା ସହିତ ସ୍କୁଲରୁ ରିଲିଭ୍‌ କରିଥିବା ସୂଚନା ମିଳିଛି । ଆସନ୍ତା ୨୦ତାରିଖ ସକାଳ ୯.୩୦ମିନିଟ୍‌ରୁ ମୂଲ୍ୟାୟନ ଆରମ୍ଭ ହେବାକୁ ଚୂଡ଼ାନ୍ତ ହୋଇଛି ।

ଗତବର୍ଷ ଭଳି ଏବର୍ଷ ମୂଲ୍ୟାୟନ କେନ୍ଦ୍ରରୁ ସିଧାସଳଖ ଅନ୍‌ଲାଇନ୍‌ରେ ମାର୍କ ପୋଷ୍ଟିଂ କରାଯିବାର ବ୍ୟବସ୍ଥା ହୋଇଛି । ମୂଲ୍ୟାୟନ ପାଇଁ ନିଯୁକ୍ତି ପାଇଥିବା ଡାଟା ଏଣ୍ଟ୍ରି ଅପରେଟରମାନେ ଆସନ୍ତା ୨୦ ତାରିଖ ସକାଳ ୧୦ଟାରେ ମୂଲ୍ୟାୟନ କେନ୍ଦ୍ରରେ ଯୋଗଦେବେ ବୋଲି ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହା ମଧ୍ୟରେ ବୋର୍ଡ ପକ୍ଷରୁ ସମସ୍ତ ନୋଡାଲ ସେଣ୍ଟରରୁ ପରୀକ୍ଷାଖାତା ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିଥିବା ସୂଚନା ମିଳିଛି । ମାଟ୍ରିକ୍‌ ଖାତାକୁ ୧୨ଦିନ, ମୁକ୍ତ ବିଦ୍ୟାଳୟ ଖାତାକୁ ୭ଦିନ ଓ ମଧ୍ୟମା ଖାତାକୁ ୧୦ଦିନ ମଧ୍ୟରେ ଶେଷ କରିବାକୁ ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିିଛି ।