ଘୁଂଚିପାରେ ମାଟ୍ରିକ ପରୀକ୍ଷା ! ବିଜେପୁର ଉପ-ନିର୍ବାଚନ ପାଇଁ ଅଡୁଆରେ ଗଣଶିକ୍ଷା ବିଭାଗ ।

40

କନକ ବ୍ୟୁରୋ : ଘୁଂଚିପାରେ ମାଟ୍ରିକ ପରୀକ୍ଷା । ବିଜେପୁର ଉପ -ନିର୍ବାଚନ ପାଇଁ ଲକ୍ଷଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ବିଜେପୁର ଉପ ନିର୍ବାଚନ ଲାଗି ବିଗୁଲ ବାଜିବା ପରେ ଅକଳରେ ପଡ଼ିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଫେବ୍ରୁଆରି ୨୩ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଛି। ଏହାର ପରଦିନ ଅର୍ଥାତ ଫେବ୍ରୁଆରି ୨୪ରେ ବିଜେପୁରରେ ଅନୁଷ୍ଠିତ ହେବ ଉପ ନିର୍ବାଚନ। ଏଥିପାଇଁ ରାଜନୈତିକ ଦଳଗୁଡିକ ପ୍ରସ୍ତୁତ ହେଉଥିବା ବେଳେ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ୬ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଆଶଙ୍କା ପ୍ରକାଶ ପାଇଛି।

ପରୀକ୍ଷା ଘୁଞ୍ଚାଯିବ କି ନାହିଁ ତାହାକୁ ନେଇ ଏବେ ମାଧ୍ୟମିକ ଶିକ୍ଷା ପରିଷଦଠାରୁ ଆରମ୍ଭ କରି ଗଣଶିକ୍ଷା ବିଭାଗ ଅଧିକାରୀଙ୍କ ନିଦ ହଜିଯାଇଛି। ପରୀକ୍ଷା ଲାଗି ହାତରେ ଆଉ ମାତ୍ର ଏକ ମାସ ଥିବାରୁ ପ୍ରସ୍ତୁତି ପ୍ରାୟତଃ ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି। ପରୀକ୍ଷା କେନ୍ଦ୍ର ଚୟନ, ପରିଚାଳନା ହବ ବି ଚିହ୍ନଟ ସରିଛି। ଏଭଳି ସ୍ଥିତିରେ ଫେବ୍ରୁଆରି ୨୪ରେ ନିର୍ବାଚନ ତାରିଖ ଘୋଷଣା ହେବା ଦ୍ୱାରା ଛାତ୍ରଛାତ୍ରୀଙ୍କ ପରୀକ୍ଷାରେ ବିଭ୍ରାଟ ହେବାର ସମ୍ଭାବନା ରହିଛି। ବିଶେଷ କରି ଫେବ୍ରୁଆରି ୨୩ରେ ହେବାକୁ ଥିବା ମାତୃଭାଷା ବିଷୟର ପରୀକ୍ଷା ଓ ପରଦିନ ଅର୍ଥାତ୍ ୨୪ରେ ହେବାକୁ ଥିବା ମଧ୍ୟମା ଓ ଷ୍ଟେଟ୍ ଓପନ୍ ସ୍କୁଲିଂ ପରୀକ୍ଷା ପ୍ରଭାବିତ ହେବା ଏକପ୍ରକାର ଥୟ। ଏଥିସହ ଫେବ୍ରୁଆରି ୨୬ରେ ଇଂରାଜୀ ବିଷୟର ପରୀକ୍ଷା ରହିଛି, ଯାହାକି ଛାତ୍ରଛାତ୍ରୀଙ୍କ ଲାଗି ଅଧିକ କଷ୍ଟକର ହୋଇଥାଏ। ୨୮ ତାରିଖ ଅର୍ଥାତ୍ ଯେଉଁଦିନ ଭୋଟ ଗଣତି ରହିଛି ସେଦିନ ତୃତୀୟ ଭାଷାର ବି ପରୀକ୍ଷା ରହିଛି। ନିର୍ବାଚନ ପ୍ରକ୍ରିୟା ଚାଲିଥିବା ସମୟରେ ପରୀକ୍ଷା ଥିବାରୁ ବିଜେପୁରର ଛାତ୍ରଛାତ୍ରୀ ପ୍ରଭାବିତ ହେବେ। ନିର୍ବାଚନ ପୂର୍ବରୁ ପ୍ରାର୍ଥୀଙ୍କ ପ୍ରଚାର ହେବାକୁ ଥିବାରୁ ତାହାର ପ୍ରଭାବ ବି ପିଲାଙ୍କ ପାଠପଢ଼ା ଉପରେ ପଡ଼ିବା ଏକପ୍ରକାର ଥୟ।

ସବୁଠାରୁ ଚିନ୍ତାର ବିଷୟ ହେଉଛି ପରୀକ୍ଷାର ସୁପରିଚାଳନା। ସ୍କୁଲଗୁଡ଼ିକରେ ହିଁ ଭୋଟ ଗ୍ରହଣ କେନ୍ଦ୍ର ହେବ। ତେଣୁ ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ଭୋଟ ଗ୍ରହଣ କେନ୍ଦ୍ରର ସୁରକ୍ଷା ବଢ଼ିବ। ତାହାକୁ ପ୍ରଶାସନକୁ ହସ୍ତାନ୍ତର କରାଯିବ। ପୁଲିସ ଅଧିକାରୀମାନେ ମଧ୍ୟ ସେଠାରେ ନିୟୋଜିତ ରହିବେ। ବିଦ୍ୟାଳୟର ଶିକ୍ଷକମାନେ ମଧ୍ୟ ନିର୍ବାଚନ କାର୍ଯ୍ୟରେନିୟୋଜିତ ହେବେ। ଯେଉଁମାନେ ବାକି ରହିବେ ସେମାନେ ଭୋଟ ଗ୍ରହଣରେ ଭାଗ ନେବେ। ତେଣୁ ପରୀକ୍ଷା ଲାଗି ଆବଶ୍ୟକ ଶିକ୍ଷକ ରହିବେ ନାହିଁ। ତେଣୁ ପରୀକ୍ଷା ପରିଚାଳନାରେ ସମସ୍ୟା ଉପୁଜିବ।

ପରୀକ୍ଷା ଓ ନିର୍ବାଚନ ଏକ ସମୟରେ ପଡ଼ିବା ନେଇ ଶିକ୍ଷାବିତମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସେମାନଙ୍କ କହିବା କଥା ହେଲା ମାଟ୍ରିକ୍ ପରୀକ୍ଷା ତାରିଖ ଆଗୁଆ ଘୋଷଣା କରାଯାଇଥିଲା। ପରବର୍ତୀ ସମୟରେ ନିର୍ବାଚନ ତାରିଖ ଘୋଷଣା ହୋଇଛି। ନିର୍ବାଚନ କମିସନ ତାରିଖ ଘୋଷଣା କରିବା ସମୟରେ ପରୀକ୍ଷା ପ୍ରତି ଦୃଷ୍ଟି ହେବାର ଆବଶ୍ୟକତା ରହିଥିଲା। କିନ୍ତୁ କେହି ବି ସେଥିପ୍ରତି ଧ୍ୟାନ ଦେଲେ ନାହିଁ। ଯେଉଁଥିପାଇଁ ପିଲାଙ୍କ ମୂଳଦୁଆ କୁହାଯାଉଥିବା ମାଟ୍ରିକ୍ ପରୀକ୍ଷା ପ୍ରଭାବିତ ହେବାର ସମ୍ଭାବନା ରହିଛି।

ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ପରୀକ୍ଷା ତାରିଖ ଘୁଞ୍ଚିବା ନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ। ମାଧ୍ୟମିକ ଶିକ୍ଷା ପରିଷଦକୁ ଦାୟିତ୍ୱ ଦିଆଯାଇଛି। ସେମାନେ ବୈଠକ କରି ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଫେବ୍ରୁଆରି ୨୩ ଓ ୨୪ରେ ହେବାକୁ ଥିବା ପରୀକ୍ଷା ପ୍ରଭାବିତ ହେବ। ୨୪ରେ ହେବାକୁ ଥିବା ମଧ୍ୟମା ପରୀକ୍ଷା ବିଜେପୁରରେ ହେବନି। ଅନ୍ୟଦିନ ପରୀକ୍ଷାରେ ବି ସେଭଳି ଅସୁବିଧା ହେବ ନାହିଁ। ଏହି ନିର୍ବାଚନମଣ୍ଡଳୀରେ ପ୍ରାୟ ଦେଢ଼ ହଜାରରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଉଥିବା ନେଇ ପ୍ରାଥମିକ ସୂଚନା ମିଳିଛି। ଯଦି ପରୀକ୍ଷା ଘୁଞ୍ଚିବ ତେବେ ତାହା ଏପ୍ରିଲ ୮ରେ ସମସ୍ତ ବିଷୟର ପରୀକ୍ଷା ଶେଷ ହେବା ପରେ ହେବ। ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦେଶକ ଜାହାନ୍ନାରା ବେଗମ୍ କହିଛନ୍ତି ଯେ ପରୀକ୍ଷା ତାରିଖ ନେଇ ଏପର୍ୟ୍ୟନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ଗୁରୁବାର ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। ଏଥିରେ ସମସ୍ତ ଅଧିକାରୀ ଉପସ୍ଥିତ ରହିବେ। ଫେବ୍ରୁଆରି ୨୩ ଓ ୨୪ରେ ହେବାକୁ ଥିବା ପରୀକ୍ଷା ଉପରେ ଆଲୋଚନା ହେବ। ସମସ୍ତ ବିଷୟକୁ ବିଚାରକୁ ନିଆଯାଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ ବୋଲି ସେ ସୂଚନା ଦେଇଛନ୍ତି।