ଆନ୍ଦୋଳନରେ ବସିଥିବା ଶିକ୍ଷକଙ୍କୁ ବୁଝାଇବାରେ ବିଫଳ ହେଲେ ରାଜ୍ୟ ସରକାର ! ପରୀକ୍ଷା ପରିଚାଳନା ପାଇଁ ଖୋଜୁଛନ୍ତି ବିକଳ୍ପ

51

କନକ ବ୍ୟୁରୋ : ଗତ ୧୧ଦିନ ଧରି ଆନ୍ଦୋଳନରେ ବସିଥିବା ଶିକ୍ଷକଙ୍କୁ ବୁଝାଇବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଶିକ୍ଷକଙ୍କ ସହ ବାରମ୍ବାର ଆଲୋଚନା ହୋଇଥିଲେ ହେଁ ସମାଧାନର ବାଟ ବାହାରି ପାରୁନାହିଁ । ସରକାର ଓ ଶିକ୍ଷକ, ଅଧ୍ୟାପକଙ୍କ ମଧ୍ୟରେ ଚାଲିଥିବା ଟଣାଓଟରାରେ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି । ତେବେ ଆଗକୁ ମାଟ୍ରିକ୍‌ ଓ +୨ ପରୀକ୍ଷା ଆସୁଥିବା ବେଳେ ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ଡିଗ୍ରି କଲେଜ, ଜିଲ୍ଲା ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ, ହାଇସ୍କୁଲ ଓ ପ୍ରାଥମିକ ସ୍କୁଲରେ କାର୍ଯ୍ୟରତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ପରୀକ୍ଷା ପରିଚାଳନାରେ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

matric exam reform

 

ଏନେଇ ସବୁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏଥିପାଇଁ ବିଭାଗୀୟ ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଚିଠି ଲେଖିଛନ୍ତି । ବିଭାଗ ପକ୍ଷରୁ କୁହାଯାଇଛି ଯେ, ପୂର୍ବ ନିର୍ଧାରିତ ତାରିଖ ଓ ସମୟରେ ପରୀକ୍ଷାଗୁଡ଼ିକ ଅନୁଷ୍ଠିତ ହେବ । ପରୀକ୍ଷା ପରିଚାଳନାରେ କୌଣସି ବ୍ୟତିକ୍ରମ ହେବ ନାହିଁ ।  ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷକମାନଙ୍କ ସହିତ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହୋଇଥିଲା । ମାତ୍ର ଏହା ବିଫଳ ହୋଇଥିଲା । ଆସନ୍ତା ୧୯ତାରିଖରେ ସ୍କୁଲ ଓ କଲେଜ ଶିକ୍ଷକମାନେ ପୁଣିଥରେ ମହାସମାବେଶ କରିବା ପାଇଁ ଘୋଷଣା କରିଛନ୍ତି ।

ବିଜେପୁର ଉପ ନିର୍ବାଚନ ଚାଲିଥିବାରୁ ମାର୍ଚ ୯ତାରିଖ ପୂର୍ବରୁ ଶିକ୍ଷକଙ୍କ ସମସ୍ୟାର ସମାଧାନ କରିବା ସମ୍ଭବ ନୁହେଁ ବୋଲି ରାଜ୍ୟ ସରକାରୀ ଅଧିକାରୀ ଶିକ୍ଷକଙ୍କ ମିଳିତ ମଞ୍ଚକୁ ଜଣାଇଥିଲେ । ମାତ୍ର ଏଥିପାଇଁ କୌଣସି ଲିଖିତ ପ୍ରତିଶ୍ରୁତି ଦିଆଯାଇ ନ ଥିବାରୁ ମିଳିତ ମଞ୍ଚ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା । ପୂର୍ଣ୍ଣ ଅନୁଦାନ ଆଇନ ନ ଆଣିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଥିଲା । ତେବେ ଆସନ୍ତାକାଲି ପୁଣି ଥରେ ଶିକ୍ଷକ ସଂଘ ସହିତ ଆଲୋଚନା କରିବା ଲାଗି ସରକାର ଆଗ୍ରହ ଦେଖାଇଛନ୍ତି । ଛୁଟି ସତ୍ତ୍ୱେ ସକାଳ ୮ଟା ବେଳେ ରାଜ୍ୟ ସଚିବାଳୟରେ ଏଭଳି ଆଲୋଚନା ଲାଗି ସମୟ ସ୍ଥିର ହୋଇଥିବା ସୂଚନା ମିଳିଛି ।