ଶେଷ ହେଲା ମାଟ୍ରିକା ପରୀକ୍ଷା ! ମାର୍ଚ୍ଚ ୨୦ ତାରିଖରୁ ଖାତା ଦେଖା ଆରମ୍ଭ 

37

କନକ ବ୍ୟୁରୋ : ଫେବୃଆରୀ ୨୩ରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଆଜି ଶେଷ ହୋଇଛି  । ଚଳିତବର୍ଷ ୬ ଲକ୍ଷ ୮ ହଜାର ୩୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି ।   ମାର୍ଚ୍ଚ ୨୦ ତାରିଖରେ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ । ୫୭ଟି ମୂଲ୍ୟାୟନ କେନ୍ଦ୍ରରେ  ୧୩ ହଜାର ୨୮୦ ଜଣ ଶିକ୍ଷକ ଖାତା ଦେଖିବେ । । କଡା ସୁରକ୍ଷା ବଳୟରେ ମାଟ୍ରିକ ଖାତା ଦେଖାଯିବାର ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର । ମେ ମାସରେ ମାଟ୍ରିକ ରେଜଲ୍ଟ ବାହାରିବ ।

matric exam

ସୂଚନାଯୋଗ୍ୟ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉ ହେଉ ହିଁ ବିବାଦ ସୃଷ୍ଟି ହୋଇଥିଲା । ପ୍ରଥମ ଦିନରୁ ହି ପରୀକ୍ଷାପତ୍ର ହ୍ୱାଟସଆପରେ ଭାଇରାଲ ହୋଇଥିଲା । ତେବେ ଚଳିତ ବର୍ଷ ୪ ଥର ଭାଇରାଲ୍ ହୋଇଥିଲା ମାଟ୍ରିକ୍ ପ୍ରଶ୍ନପତ୍ର। ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଘଟଣାକୁ ରୋକଠୋକ୍ ଖଣ୍ଡନ କରିଥିଲେ । କହିଥିଲେ, ପ୍ରଶ୍ନପତ୍ର ଭାଇରାଲ ନେଇ ଗୁଜବ କରାଯାଉଛି । ଏଥିରେ କୌଣସି ସତ୍ୟତା ନାହିଁ । ବଦନାମ କରିବାକୁ କେତେକ ସ୍ଥାନରେ ଏଭଳି ଚକ୍ରାନ୍ତ ହେଉଛି ବୋଲି ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ପ୍ରଥମ ଦିନ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବାରୁ କ୍ରାଇମ୍ବ୍ରାଞ୍ଚର ଦୁଇ ଜଣିଆ ଟିମ୍ ସେଠାକୁ ଯାଇ ତଦନ୍ତ କରିଥିଲେ । କିନ୍ତୁ ଏହି ଘଟଣା ପରେ ବି ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲେ ମଧ୍ୟ ତାହାର କୌଣସି ପ୍ରକାର ତଦନ୍ତ କରାଯାଇ ନାହିଁ । ଏପରିସ୍ଥଳେ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ଉଠୁଛି । ବାରମ୍ବାର ଏପରି ଘଟଣା ଘଟିଥିଲେ ମଧ୍ୟ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଇନଥିଲା ।