ମାଟ୍ରିକ୍ ପରୀକ୍ଷାରେ କଡ଼ାକଡ଼ି ହେବ କପି ଧରା : ସ୍କୁଲଠାରୁ ୧୦ କି.ମି. ଦୂରରେ ହେବ ପରୀକ୍ଷା କେନ୍ଦ୍ର

57

କନକ ବ୍ୟୁରୋ : ମାଟ୍ରିକ୍‌ ପରୀକ୍ଷାରେ କପି ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦେଶ ଦେଇଛନ୍ତି । ଫେବ୍ରୁଆରି ୨୩ରୁ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଏହାପୂର୍ବରୁ ପରୀକ୍ଷା ପରିଚାଳନା, କପି ରୋକିବା, ପ୍ରଶ୍ନପତ୍ର ଓ ଉତ୍ତର ଖାତାର ସୁରକ୍ଷା ନେଇ ଆଜି ମୁଖ୍ୟ ଶାସନ ସଚିବ ଭିଡିଓ କନ୍‌ଫେରେନ୍ସିଂ ମାଧ୍ୟମରେ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହ ଆଲୋଚନା କରିଛନ୍ତି । ନୋଡାଲ ସେଣ୍ଟର, ପରୀକ୍ଷା କେନ୍ଦ୍ର ଏବଂ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକର ସୁରକ୍ଷା ବଢ଼ାଇବାକୁ କୁହାଯାଇଛି । ନିୟମ ଅନୁଯାୟୀ ନିରାପତ୍ତା ବ୍ୟବସ୍ଥା ଯୋଗାଇ ଦେବାକୁ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଛନ୍ତି । ଏଥିସହ ପରୀକ୍ଷା କେନ୍ଦ୍ରରେ କପି ବନ୍ଦ କରିବା ପାଇଁ ସମସ୍ତ ନିୟମର କଡ଼ାକଡ଼ି ଅନୁପାଳନ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି । ଚଳିତ ବର୍ଷ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ପରୀକ୍ଷା ନିରୀକ୍ଷକ ଭାବେ ନିୟୋଜିତ ନ କରିବାକୁ ନିଷ୍ପତ୍ତି ହୋଇଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ ଯେ ଚଳିତବର୍ଷ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ନିଜ ବିଦ୍ୟାଳୟରେ ପରୀକ୍ଷା ଦେବେ ନାହିଁ । ବିଦ୍ୟାଳୟଠାରୁ ୧୦ କି.ମି. ଦୂରତା ମଧ୍ୟରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଏବର୍ଷ ୬,୦୮,୦୫୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥିରେ ମାଧ୍ୟମିକ ଶିକ୍ଷା ପରିଷଦର ୫,୯୦,୩୬୦, ରାଜ୍ୟ ମୁକ୍ତ ବିଦ୍ୟାଳୟର ୧୩,୯୭୮ ଓ ମଧ୍ୟମାର ୩,୭୧୫ ଛାତ୍ରଛାତ୍ରୀ ରହିଛନ୍ତି । ଏଥର ୨୯୧୯ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ପରୀକ୍ଷା ପରିଚାଳନା ପାଇଁ ୩୦୨ଟି ନୋଡାଲ ସେଣ୍ଟର ହୋଇଛି । ସାରା ରାଜ୍ୟରେ ୫୭ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ପ୍ରତି କେନ୍ଦ୍ର ବିଷୟରେ ପରିଷଦର ଓ୍ଵବସାଇଟ୍‌ରେ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ଆଡମିଟ୍‌ କାର୍ଡ ବି ଓ୍ଵବସାଇଟ୍‌ରେ ପଠାଯାଇଛି । ଏଥିସହ ପିଲାଙ୍କୁ ଛାପା ଆଡମିଟ୍‌ କାର୍ଡ ବିଦ୍ୟାଳୟଗୁଡ଼ିକୁ ଆଜିଠାରୁ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ବିଜେପୁରରେ ହେଉଥିବା ଉପନିର୍ବାଚନ ଲାଗି ବରଗଡ଼ ଜିଲ୍ଲାରେ ମାତ୍ର ୭ଟି ପରୀକ୍ଷା କେନ୍ଦ୍ରରେ ୧୩ଟି ନିର୍ବାଚନ ବୁଥ୍‌ ହୋଇଛି । ସେଠାରେ ପରୀକ୍ଷା କିଭଳି ସୁପରିଚାଳିତ ହେବ ସେ ସମ୍ପର୍କରେ ଶ୍ରୀ ମହାପାତ୍ର ବରଗଡ଼ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଅବଗତ କରାଇଥିଲେ ।

matric exam reform

ପରିଷଦର ସଭାପତି ଜାହାନାରା ବେଗମ୍‌ କହିିଲେ ଚଳିତବର୍ଷ ପ୍ରତି ବିଷୟରେ ୫୦ ମାର୍କର ଅବଜେକ୍ଟିଭ୍ ପ୍ରଶ୍ନୋତ୍ତର ନିମନ୍ତେ ଓଏମ୍‌ଆର୍‌ ସିଟ୍‌ ବ୍ୟବହାର କରାଯିବ । ଅବିଶିଷ୍ଟ ୫୦ ମାର୍କ ଲାଗି ନିର୍ଦ୍ଧାରିତ ସ୍ଥାନ ଥିବା ପ୍ରଶ୍ନ ତଥା ଉତ୍ତର ଖାତା ଯୋଗାଇ ଦିଆଯିବ । ପ୍ରତି ଓଏମ୍‌ଆର୍‌ ସିଟ୍‌ରେ ବାର୍‌କୋର୍ଡ ନମ୍ବର ରହିବ । ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ଓ ଉତ୍ତର ଖାତା ରଖାଯିବ । ପରୀକ୍ଷାର ଦିନକ ପୂର୍ବରୁ ସେଠାରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଯିବ। ପ୍ରଶ୍ନପତ୍ର ଓ ଉତ୍ତର ଖାତା ନେବା ଆଣିବା ସମୟରେ କଡ଼ା ନିରାପତ୍ତା ବ୍ୟବସ୍ଥା କରିବା ଲାଗି ମୁଖ୍ୟ ଶାସନ ସଚିବ ଶ୍ର୍ରୀ ପାଢ଼ୀ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦେଶ ଦେଇଛନ୍ତି । ଏହି ବୈଠକରେ ପୁଲିସ ଆଇଜି ଅମିତାଭ୍‌ ଠାକୁର, ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ନିହାର ରଞ୍ଜନ ମହାନ୍ତି, ସମ୍ପାଦକ ରାମାଶିଷ ହାଜରାଙ୍କ ସମେତ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଏଥିରେ ଉପସ୍ଥିତ ଥିଲେ ।