ମାଲକାନଗିରି ମାଟ୍ରିକ୍ ଖାତା ହଜିବା ଘଟଣାରେ ବଢୁଛି ସସପେନ୍ସ ! ପତା ମିଳୁନି କୁଆଡେ ଗଲା ଉତ୍ତର ଖାତା, କ’ଣ ହେବ ପରୀକ୍ଷାର୍ଥୀଙ୍କ ଭାଗ୍ୟ ?

99

କନକ ବ୍ୟୁରୋ : ଶନିବାର ପିଲା ପରୀକ୍ଷା ଦେଇଥିଲେ, ସୋମବାର ହୋଇଗଲା, ହେଲେ ମିଳୁନି ଓଏମଆର୍ ଉତ୍ତର ଖାତା । ମାଲକାନଗିରି ଜିଲ୍ଲା ପଡିଆ ଏସଏସଡି ସ୍କୁଲରୁ ମାଟ୍ରିକ ଉତ୍ତର ଖାତା ଗାଏବ ଘଟଣା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଛି । ପଡିଆ ବ୍ଲକ ଶିକ୍ଷା ଅଧିକାରୀଙ୍କ ଲିଖିତ ଅଭିଯୋଗକୁ ଆଧାର କରି ତନାଘନା କରୁଛି ପୋଲିସ । ସୁପେରିଟେଣ୍ଡେଂଟ, ଡେପୁଟି ସୁପେରିଟେଣ୍ଡେଂଟଙ୍କ ଠାରୁ ଆରମ୍ଭ କରି ଅବଜର୍ଭର ଓ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଡାକି ଥାନାରେ ମାରାଥନ ଜେରା କରାଯାଉଛି । ତେବେ ଶିକ୍ଷକଙ୍କ ମଧ୍ୟରେ ଆପୋସ କଳହ ଯୋଗୁଁ ଏପରି ବିଭ୍ରାଟ ହୋଇଥିବା ଅନୁମାନ କରାଯାଉଛି ।

କୁଆଡ଼େ ଗଲା ଓଏମଆର୍ ସିଟ୍ ? କ’ଣ ହେବ ୧୦୮ ପରୀକ୍ଷାର୍ଥୀଙ୍କ ଭାଗ୍ୟ ? ମାଟ୍ରିକ ପରୀକ୍ଷାକୁ ନେଇ ବିବାଦ ଥମିବାର ନାଁ ନେଉନି । ତେବେ ସବୁଠୁ ବଳିଯାଇଛି ମାଲକାନଗିରି ପଡ଼ିଆ ଏସଏସଡି ହାଇସ୍କୁଲର ବିଭ୍ରାଟ । ପରୀକ୍ଷା ଦେଇସାରିବା ପରେ ପରୀକ୍ଷାକେନ୍ଦ୍ରରୁ ସମସ୍ତଙ୍କ ଉତର ଖାତା ଉଭାନ ହୋଇଯିବା ଖବର ଯେତିକି ଆଶ୍ଚର୍ଯ୍ୟଜନକ, ସେତିକି ଚାଂଚଲ୍ୟ ମଧ୍ୟ ଖେଳାଇ ଦେଇଛି ।

ଦୁଇ ଦିନ ଧରି ଘଟଣାକୁ ଚାପି ରଖିବା ପରେ ପଡ଼ିଆ ଥାନାରେ ଏତଲା ଦେଇଛନ୍ତି ବ୍ଲକ ଶିକ୍ଷା ଅଧିକାରୀ  । ଜଣେ ଆଡିସନାଲ ଏସପି ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ଚାଲିଛି ତଦନ୍ତ । ପରୀକ୍ଷା ଦାୟିତ୍ୱରେ ଥିବା ସୁପେରିଟେଣ୍ଡେଂଟ୍, ଡେପୁଟି ସୁପେରିଟେଣ୍ଡେଂଟ, ଅବଜର୍ଭର, ପ୍ରଧାନ ଶିକ୍ଷକ ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଅଟକ ରଖିବା ସହ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଥାନାକୁ ଡାକି ମାରାଥନ ଜେରା କରୁଛି ପୁଲିସ । ଆବାସିକ ବିଦ୍ୟାଳୟ ହୋଇଥିବାରୁ ବିଦ୍ୟାଳୟର ମେସ ପରିଚାଳନା ନେଇ ଶିକ୍ଷକଙ୍କ ଭିତରେ ଗୋଷ୍ଠୀ କନ୍ଦଳ ଏହାର କାରଣ ବୋଲି ସଂଦେହ କରାଯାଉଛି ।

ଶନିବାର ଦିନ ଓ.ଏମ.ଆର ସିଟ୍ ଜରିଆରେ ପ୍ରଥମେ ଅବଜେକଟିଭ ପ୍ରଶ୍ନର ଉତର ଲେଖିଥିଲେ ଛାତ୍ରଛାତ୍ରୀ  । ପରେ ସବଜେକ୍ଟିଭ ପ୍୍ରଶ୍ନର ଉତ୍ତର ଖାତା ସଂଗ୍ରହ କରି ନୋଡାଲ ସେଂଟରରେ ଦାଖଲ କରିବା ବେଳକୁ ଓ.ଏମ.ଆର ସିଟ୍ ଗୁଡିକ ପାଇ ନଥିଲେ ବିଦ୍ୟାଳୟ କର୍ତୃପକ୍ଷ । ରଖା ଯାଇଥିବା ଡ୍ରରୁ ଗାଏବ ହୋଇ ଯାଇଥିଲା ଓ.ଏମ.ଆର ଉତର ଖାତା । ଜିଲ୍ଲା ପ୍ରଶାସନ ଓ ପଡ଼ିଆ ପୋଲିସର ତନାଘନା ପରେ ବି ଉତର ଖାତାର ପତା ମିଳିନଥିଲା ।

ଗଣିତ ପରୀକ୍ଷା ଦେଇସାରିବା ପରେ ପିଲା ଭାବିଥିଲେ ସେମାନଙ୍କ ମୁଣ୍ଡରୁ ବଡ଼ ବୋଝ ହଟିଗଲା । ହେଲେ ପରଦିନ ଯେତେବେଳେ ଜାଣିଲେ, ଅବଜେକଟିଭ ପ୍ରଶ୍ନର ଉତର ଲେଖିଥିବା ଓଏମଆର୍ ସିଟ୍ ଗାଏବ ହୋଇଯାଇଛି, ସେମାନଙ୍କ ମନରେ ଅଜଣା ଭୟ ଖେଳିଯାଇଛି । କୁହାଯାଏ, ମାଟ୍ରିକ ପରୀକ୍ଷା ହେଉଛି ଛାତ୍ର/ଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାର ପ୍ରଥମ ସୋପାନ । ତେବେ ପଡିଆ ଏସଏସଡି ହାଇସ୍କୁଲର ୧୦୮ ଜଣ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଉପରେ ବଡ଼ ପ୍ରଶ୍ନ ଚିହ୍ନ ଲାଗିଯାଇଛି ।