ଅମିତାଭଙ୍କୁ ଦେଖିବାର ଅଜବ ନିଶା ! କ୍ଷୀର ଆଣିବା ପାଇଁ କହି ଦୁଇ ଛୁଆ ଘରୁ ବାହାରିଲେ, ମଥୁରାରୁ ଯାଇ ମୁମ୍ବାଇ ପହଞ୍ଚିଲେ ।

83

ଦେଶରେ କ୍ରିକେଟର ଏବଂ ସିନେ ତାରକାଙ୍କ ପ୍ରତି ସେମାନଙ୍କ ପ୍ରଶଂସକଙ୍କ ଭଲପାଇବା ବହୁତ ଅଧିକ ରହିଥାଏ । ଏବଂ ବିଭିନ୍ନ ସମୟରେ ଏହାର ଝଲକ ମଧ୍ୟ ଦେଖିବାକୁ ମିଳିଥାଏ । କିନ୍ତୁ ମଥୁରାର ଦୁଇଜଣ ପିଲା ନିଜ ପସନ୍ଦର ହିରୋ ବଲିଉଡର ଷ୍ଟାର ଅମିତାଭ ବଚ୍ଚନ ଏବଂ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ସହ ସାକ୍ଷାତ କରିବା ପାଇଁ ଭଲପାଇବାର ସମସ୍ତ ସୀମା ପାର କରିଦେଇଛନ୍ତି ।

ମଥୁରାର ଗୌରା ନଗର ବାସିନ୍ଦା ଜୟଦେବ ଶ୍ରୋତ୍ରିୟଙ୍କ ଦୁଇ ପୁଅ ୧୪ ବର୍ଷୀୟ ଭବେଶ କୁମାର ଏବଂ ୧୦ ବର୍ଷୀୟ ଅମନ ମଙ୍ଗଳବାର କ୍ଷୀର ଆଣିବା ବାହାନା କରି ଘରୁ ବାହାରିଥିଲେ । ଏହା ପରେ ସିଧା ବଲିଉଡ ଷ୍ଟାର ଅମିତାଭ ବଚ୍ଚନଙ୍କ ଘର ଜଲସାରେ ପହଞ୍ଚିଥିଲେ । ଏହି ଦୁଇଜଣ ପ୍ରଥମେ ନିଜ ଘର ପାଖରୁ ଅଟୋ ରିକ୍ସା ନେଇଥିଲେ ଏବଂ ରେଲୱେ ଷ୍ଟେସନରେ ପହଞ୍ଚିଥିଲେ । ଆଉ ଏହା ପରେ ସକାଳ ୮.୩୦ ମିନିଟରେ ମୁମ୍ବାଇ ଯାଉଥିବା ପଞ୍ଜାବ ମେଲ ଟ୍ରେନରେ ବସି ପରଦିନ ସକାଳେ ଛତ୍ରପତି ଶିବାଜୀ ଟର୍ମିନସରେ ଓହ୍ଲାଇଥିଲେ ।

ବୃନ୍ଦାବନର କୋତବାଲି ପ୍ରଭାରୀ କହିଛନ୍ତି ଯେ, ମୁମ୍ବାଇ ପହଞ୍ଚି ଏହି ଦୁଇ ଜଣ ଛୁଆ ସିଧା ଅମିତାଭଙ୍କ ଘର ଜଲସାରେ ପହଞ୍ଚିଥିଲେ । ତେବେ ଅମିତାଭଙ୍କ ସହ ସାକ୍ଷାତ ହେବାରେ ବିଫଳ ହେବା ପରେ ଏହି ଦୁଇ ଜଣ ବିରାଟ କୋହଲିଙ୍କ ଘରକୁ ଯିବା ପାଇଁ ଯୋଜନା କରିଥିଲେ । କିନ୍ତୁ ରାତି ହୋଇଯିବାରୁ ପୁଣି ମଥୁରା ଫେରିବାକୁ ନିଷ୍ପତି ନେଇଥିଲେ । କିନ୍ତୁ ମୁମ୍ବାଇର ବୋରୀବଲୀ ଷ୍ଟେସନରେ ଜିଆରପି ପୋଲିସ ଏହି ଦୁଇଜଣଙ୍କୁ ଧରିନେଇଥିଲା ।

ଏହି ଦୁଇଜଣ ପିଲାଙ୍କ ଠାରୁ ପୁରା କାହାଣୀ ଶୁଣିବା ପରେ ଜିଆରପି ପୋଲିସ ଅଧିକାରୀଜଣଙ୍କ ଫୋନ କରି ତାଙ୍କ ବାପାଙ୍କୁ ମୁମ୍ବାଇ ଡାକିଥିଲେ । ଏବଂ ଏହା ପରେ ଦୁଇଜଣ ନିଜ ବାପାଙ୍କ ସହ ମଥୁରା ଫେରିଆସିଥିଲେ । ଦୁଇଜଣ ଭାଇ ଘରୁ ନିଖୋଜ ହୋଇଯିବା ଘଟଣାରେ ମଥୁରା ସ୍ଥିତ ସେମାନଙ୍କ ଘରେ ଆତଙ୍କ ଖେଳିଯାଇଥିଲା । ଏପରିକି ପୁଅ ନିଖୋଜ ହୋଇଯିବା ଘଟଣାକୁ ନେଇ ପରିବାର ପକ୍ଷରୁ ସ୍ଥାନୀୟ ପୋଲିସ ଷ୍ଟେସନରେ ଏତଲା ଦାୟର କରାଯାଇଥିଲା । କିନ୍ତୁ ପୋଲିସ ସେମାନଙ୍କୁ ଖୋଜିବା ଆଗରୁ ଦୁଇ ଜଣ ମଥୁରା ଫେରିଆସିଥିଲେ ।