କାହ୍ନାର ନଅରରେ ନିଆରା ଭକ୍ତ ! ଚପଲ ଜଗୁଥିବା ବୃଦ୍ଧା ମନ୍ଦିରକୁ ଦେଲେ ୫୦ଲକ୍ଷ ଟଙ୍କା

77

ଦାନ ପାଇଁ ଧନ ନୁହେଁ ମନ ଥିବା ଦରକାର । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ବୃନ୍ଦାବନର ଜଣେ ୭୦ବର୍ଷୀୟା ବୃଦ୍ଧା ମହିଳା । ମନ୍ଦିର ବାହାରେ ଭକ୍ତଙ୍କ ଚପଲ ଦେଖାରେଖା କରୁଥିବା ଏହି ମହିଳା ଜଣଙ୍କ ବାଙ୍କେ ବିହାରୀ ମନ୍ଦିରକୁ ଦାନ କରିଛନ୍ତି ୫୦ ଲକ୍ଷ ଟଙ୍କା । ହୁଏତ ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥାଇପାରେ । କିନ୍ତୁ ଭଗବାନଙ୍କ ଭକ୍ତିରେ ଲୀନ ଥିବା ଏହି ବୃଦ୍ଧାଙ୍କ ଦାନ ଏବେ ଚର୍ଚ୍ଚାର ବିଷୟ ପାଲିଟିଛି ।

କାହ୍ନାର ନଅରରେ ନିଆରା ଭକ୍ତ :
ଭଗବାନଙ୍କ କ୍ରୀଡାସ୍ଥଳୀ ବୃନ୍ଦାବନକୁ କୋଣ ଅନୁକୋଣରୁ ଭକ୍ତମାନେ ଆସିଥାନ୍ତି ଏବଂ ପରେ ସେଠାକାର ହୋଇ ରହିଯାଆନ୍ତି  । ସେମିତି ଜଣେ ଭକ୍ତ ହେଉଛନ୍ତି ଯଶୋଦା । ପ୍ରାୟ ୪୦ ବର୍ଷ ପୂର୍ବେ ସବୁକିଛି ଛାଡି କାହ୍ନାଙ୍କ ଏହି ନିଆରା ଭକ୍ତ ବୃନ୍ଦାବନ ଆସିଥିଲେ । ହେଲେ ସ୍ୱାଭିମାନୀ ଯଶୋଦା କାହା ଆଗରେ ହାତ ପତାଇନଥଲେ । ବରଂ ପରିଶ୍ରମ କରି ନିଜ ପେଟ ପୋଷିବା ପାଇଁ ଚାହୁଁଥିଲେ । ତେଣୁ ନିଜ ଆରାଧ୍ୟ ଦେବତାଙ୍କ ଦୁଆରକୁ ନିଜ ଜୀବୀକା ପାଇଁ ବାଛି ଥିଲେ । ଆଉ ମନ୍ଦିର ବାହାରେ ଭକ୍ତ ରଖି ଯାଉଥିବା ଚପଲ ଏବଂ ଯୋତା ଜଗିବା ଆରମ୍ଭ କଲେ । ଆଉ ଧୀରେ ଧୀରେ କରି ଟଙ୍କା ସଂଚିବା ଆରମ୍ଭ କଲେ ଯଶୋଦା । ଦୀର୍ଘ ୪୦ ବର୍ଷ ଭିତରେ ଯେତିକି ସଂଚୟ କରିଥିଲେ ସବୁକିଛି କାହ୍ନାଙ୍କ ପ୍ରିୟ ଗାଈମାନଙ୍କ ସେବାରେ ସମର୍ପି ଦେଲେ ।

ଅସମୟରେ ନାତୁଣୀର ମୃତ୍ୟୁ ଟାଣି ଆଣିଥିଲା ବୃନ୍ଦାବନକୁ  :
ଯଶୋଦାଙ୍କ ପ୍ରକୃତ ନାଁ ଫୁଲମତୀ ଦେବୀ । ଏବଂ ସେ ମଧ୍ୟପ୍ରଦେଶର ହୀରାଗଞ୍ଜ ଅଂଚଳର ବାସିନ୍ଦା । ତେବେ ଅସମୟରେ ନିଜ ଯବାନ ପୁଅ, ଝିଅ ଏବଂ ନାତୁଣୀର ମୃତ୍ୟୁରେ ବିଚଳିତ ହୋଇ ଭଗବାନଙ୍କ ଶରଣରେ ବୃନ୍ଦାବନ ଆସିଯାଇଥିଲେ । ଧୀରେ ଧୀରେ ସେ ଫୁଲମତୀ ଦେବୀରୁ ପାଲଟିଗଲେ ଯଶୋଦା ଦାସୀ । ତେବେ ତାଙ୍କର ଏକ ଇଛା ଥିଲା ଯେ ସେ ବୃନ୍ଦାବନରେ ଏକ ଗୌଶାଳା ତିଆରି କରି ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ଗାଈମାନଙ୍କ ସେବା କରିବେ । ଏବେ ସେ ନିଜ ଇଛା ପୂରଣ କରିପାରିଛନ୍ତି ।