ବନ୍ୟା ଆସିଲେ ବଢୁଛି ଦୁର୍ଦ୍ଦଶା : ତିଆରି ସରିଛି ହେଲେ କାମରେ ଆସୁନି ନୂଆ ପୋଲ

25

mathrapur bridge issueକନକ ବ୍ୟୁରୋ : ବ୍ରାହ୍ମଣୀର ଶାଖା ନଦୀ ଖରସ୍ରୋତା। ତାକୁ ସଂଯୋଗ କରୁଛି ଗଣ୍ଡାନାଳ। ଯାହା ଉପରେ ତିଆରି ହୋଇଛି ମାର୍ଥାପୁର ପୋଲ। ଗୋଟି ଏ ନୁହେଁ କି ଦୁଇଟି ନୁହେଁ, ଏଠାରେ ରହିଛି ତିନି ତିନୋଟି ପୋଲ। ହେଲେ ନଈରେ ସାମାନ୍ୟ ବନ୍ୟା ଆସିଲେ ଅଂଚଳବାସୀ ହୋଇଯାନ୍ତି ବାହ୍ୟ ଜଗତରୁ ବିଛିନ୍ନ। ପୂର୍ବରୁ ତିଆରି ହୋଇଥିବା ଦୁଇଟି ଯାକ ପୋଲ ବନ୍ୟା ଆସିଲେ ବୁଡି ଯାଉଥିବାରୁ ୨୦୦୯ ମସିହାରେ ତିଆରି ହୋଇଥିଲା ଆଉ ଏକ ପୋଲ। ୪ କୋଟି ୯୩ ଲକ୍ଷ ୬୬ ହଜାର ଟଙ୍କା ବ୍ୟୟରେ ତିଆରି ହୋଇଥିବା ଏହି ପୋଲର ନିର୍ମାଣ କାର୍ଯ୍ୟ ପ୍ରାୟ ଦୁଇ ବର୍ଷ ତଳୁ ଶେଷ ହୋଇଛି। କିନ୍ତୁ ଏହି ନୂଆ ପୋଲର ସଂଯୋଗୀକରଣ ରାସ୍ତା ତିଆରି ହୋଇ ନଥିବାରୁ ଦୁଇ ପୁରୁଣା ପୋଲ ଉପରେ ଅସୁରକ୍ଷିତ ଭାବେ ଯାତାୟତ କରୁଛନ୍ତି ସ୍ଥାନୀୟ ବାସିନ୍ଦା।

vlcsnap-2016-08-27-17h09m15s577କେବଳ ଖପୁରିଆପଦା ପଂଚାୟତ ନୁହେଁ, ନିକଟସ୍ଥ କିମ୍ଭିରାଗାଡିଆ ଓ ମାଣତିରା ପଂଚାୟତର ପ୍ରାୟ ୧୦ ହଜାରରୁ ଅଧିକ ଲୋକ ନିର୍ଭର କରିଥାନ୍ତି ଏହି ପୋଲ ଉପରେ। ତେଣୁ ପ୍ରତିବର୍ଷ ବନ୍ୟା ଆସିଲେ ଗମନାଗମନ ସୁବିଧାରୁ ବଂଚିତ ହୋଇଥାନ୍ତି ଅଂଚଳବାସୀ। ପାଣି ଘେର ଭିତରେ ରହି ବାହ୍ୟ ଜଗତରୁ ଅଲଗା ହୋଇଯାନ୍ତି ଏହି ନଈକୂଳିଆ ଲୋକେ। ତେଣୁ ସଂଯୋଗୀକରଣ ରାସ୍ତା କାମ ଶେଷ କରି ନୂଆ ପୋଲ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା। ସେପଟେ ଖୁବ୍ ଶୀଘ୍ର ରାସ୍ତା କାମ ଶେଷ କରିବାକୁ ଉଦ୍ୟମ ଜାରି ଥିବା କହିଛନ୍ତି ଯାଜପୁର ଉପଜିଲ୍ଲାପାଳ।

ମାର୍ଥାପୁର ପୋଲ କାର୍ଯ୍ୟକ୍ଷମ ନ ହେବା ପାଇଁ ପ୍ରଶାସନିକ ସ୍ତରରେ ଅବହେଳା ହିଁ ଦାୟୀ ବୋଲି ସାଧାରଣରେ ଆଲୋଚନା ହେଉଛି।