ରାଜ୍ୟ ସରକାରଙ୍କୁ ବଡ଼ ସଫଳତା ! ଓଡ଼ିଶାରେ ମାତୃ ମୃତ୍ୟୁ ହାର ହ୍ରାସ

39

କନକ ବ୍ୟୁରୋ : ରାଜ୍ୟରେ ମାତୃ ମୃତ୍ୟୁ ହାର ହ୍ରାସ ପାଇଛି । ୨୦୧୧/୧୩ରେ ରାଜ୍ୟରେ ମାତୃ ମୃତ୍ୟୁହାର ୨୨୨ ଥିବା ବେଳେ ୨୦୧୪/୧୬ରେ ଏହା କମି ୧୮୦ରେ ପହଞ୍ଚିଛି । ସାମ୍ପଲ ରିଜେଷ୍ଟ୍ରେସନ୍‌ ସିଷ୍ଟିମ୍‌ ବା ଏସ୍‌ଆରଏସ୍‌ରୁ ଏହି ତଥ୍ୟ ମିଳିଛି । ଜାତୀୟ ସ୍ତରରେ ମାତୃ ମୃତ୍ୟୁହାର ୩୭ପଏଣ୍ଟ ହ୍ରାସ ପାଇଥିବା ବେଳେ ଓଡ଼ିଶାରେ ଏହାର ୪୨ ପଏଣ୍ଟ କମିଥିବା ଜଣାପଡ଼ିଛି । ମାତୃ ମୃତ୍ୟୁହାର କମାଇବାରେ ଏହା ରାଜ୍ୟ ସରକାରଙ୍କ ଏହା ଏକ ବଡ଼ ସଫଳତା ।

ଦେଶରେ ମାତୃ ମୃତ୍ୟୁହାରକୁ ନଜରରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟଗୁଡ଼ିକୁ ୩ଟି ଭାଗରେ ବିଭକ୍ତ କରାଯାଇଛି । ଏମ୍ପାଓ୍ଵାର୍ଡ ଆକ୍ସନ୍‌ ଗ୍ରୁପ୍‌ ବା ଇଏଜି ଅଧୀନରେ ଓଡ଼ିଶା ସମେତ ୯ଟି ରାଜ୍ୟ ରହିଛନ୍ତି । ଏହିସବୁ ରାଜ୍ୟଗୁଡ଼ିକରେ ମାତୃ ମୃତ୍ୟୁହାର କମାଇବାରେ ଓଡ଼ିଶା ଆଗରେ ରହିଛି । ଏସ୍‌ଆରଏସ୍‌ର ତଥ୍ୟ ଅନୁଯାୟୀ, ୧ଲକ୍ଷ ଶିଶୁ ଜନ୍ମରେ ଏବେ ରାଜ୍ୟରେ ମାତୃ ମୃତ୍ୟୁହାର ୧୮୦ ରହିଛି। ଉତ୍ତରପ୍ରଦେଶ/ଉତ୍ତରଖଣ୍ଡ, ରାଜସ୍ଥାନ ଓ ଆସାମ ଭଳି ରାଜ୍ୟ ଓଡ଼ିଶା ତଳେ ରହିଛନ୍ତି ।

ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ରାଜ୍ୟରେ ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାର କମାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ କାର୍ୟ୍ୟକ୍ରମ ହାତକୁ ନିଆଯାଇଛି । ଏଥିପାଇଁ ସ୍ୱତନ୍ତ୍ର ମିସନ କାର୍ୟ୍ୟ କରୁଛି । ୧୫ଟି ଜିଲ୍ଲାରେ ଏହାକୁ କାର୍ୟ୍ୟକାରୀ କରାଯାଇଛି । ଏହାସହ ସ୍ୱାସ୍ଥ୍ୟାନୁଷ୍ଠାନରେ ପ୍ରସବ ବଢ଼ିବା ସହିତ ବିଭିନ୍ନ ଜିଲ୍ଲାରେ ପ୍ରସୂତି ଅପେକ୍ଷା ଗୃହ ନିର୍ମାଣ କରାଯାଇଛି। ଏଥିରେ ପ୍ରସୂତିଙ୍କ ବ୍ୟତିତ ତାଙ୍କ ପରିବାର ଲୋକ ରହିବାରୁ ସୁବିଧା ହୋଇଛି । ଏହାସହ ଜନନୀ ସୁରକ୍ଷା ଯୋଜନାରେ ପ୍ରସୂତିଙ୍କୁ ସହାୟତା ଦିଆଯାଉଛି । ଏସବୁ କାର୍ୟ୍ୟକ୍ରମ ରାଜ୍ୟରେ ମାତୃ ମୃତ୍ୟୁହାର କମାଇବାରେ ସହାୟକ ହୋଇପାରିଛି । ଗତକାଲି ୨୦୧୪/୧୬ ମସିହାର ରିପୋର୍ଟ ପ୍ରକାଶ ପାଇଛି । ଇତିମଧ୍ୟରେ ୨ବର୍ଷ ବିତିଗଲାଣି । ଆଗକୁ ଯେଉଁ ରିପୋର୍ଟ ପ୍ରକାଶ ପାଇବ ସେଥିରେ ମଧ୍ୟ ମାତୃ ମୃତ୍ୟୁହାର ଆହୁରି କମିବ ବୋଲି ଆଶା କରାଯାଉଛି ।