ବିଶ୍ୱକପ ପାଇଁ ୨୨ ଜଣିଆ ଅଫିସିଆଲ୍ସଙ୍କ ନାମ ଘୋଷଣା । ଜଣେ ଭାରତୀୟ ଅମ୍ପାୟାର ସାମିଲ ।

1,041

କନକ ବ୍ୟୁରୋ : ବିଶ୍ୱକପ ଯେତିକି ପାଖଉଛି, କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସେତିକି ବଢିବାରେ ଲାଗିଛି । ଆଉ ଏହାରି ଭିତରେ ଆଜି ୨୨ଜଣ ଅଫିସିଆଲ୍ସଙ୍କ ନାଁ ଘୋଷଣା କରିଛି ଆଇସିସି । ଅଫିସିଆଲ୍ସଙ୍କ ମଧ୍ୟରେ ରହିଛନ୍ତି ୧୬ଜଣ ଅମ୍ପାୟାର ଏବଂ ୬ଜଣ ମ୍ୟାଚ୍ ରେଫରୀ । ତେବେ ସବୁଠାରୁ ବଡ କଥା ହେଉଛି, ଏହି ୨୨ଜଣ ଅଫିସିଆଲ୍ସଙ୍କ ମଧ୍ୟରେ ଜଣେ ଭାରତୀୟ ଅମ୍ପାୟାର ମଧ୍ୟ ରହିଛନ୍ତି । ବିଶ୍ୱକପରେ ଏକମାତ୍ର ଭାରତୀୟ ଭାବେ ଅମ୍ପାୟାରିଂ କରିବେ ଏସ୍. ରବି ।

ନିକଟରେ ଆଇପିଏଲରେ ଖେଳାଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚରେ ଚର୍ଚ୍ଚାର ପରିସରକୁ ଆସିଥିଲେ ଅମ୍ପାୟାର ଏସ. ରବି । ମ୍ୟାଚର ଶେଷ ଭାଗରେ ମୁମ୍ବାଇର ବୋଲର ଲସିଥ୍ ମାଲଙ୍ଗାଙ୍କ ଏକ ନୋ ବଲକୁ ମାର୍କ କରିନଥିଲେ ଏହି ଭାରତୀୟ ଅମ୍ପାୟାର । ଯାହାକୁ ନେଇ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲିଙ୍କ ସମେତ ଅନ୍ୟ କେତେକ ଏସ.ରବିଙ୍କୁ ସମାଲୋଚନା କରିଥିଲେ ।

ଅଫିସିଆଲ୍ସ ତାଲିକା :

ମ୍ୟାଚ୍ ରେଫରୀ : କ୍ରିସ୍ ବ୍ରଡ୍, ଡେଭିଡ୍ ବୁନ୍, ଆଣ୍ଡି ପାଇକ୍ରଫ୍ଟ, ଜେଫ୍ କ୍ରୋ, ରଞ୍ଜନ ମଦୁଗଲ, ରିଚି ରିଚାର୍ଡସନ୍ ।

ଅମ୍ପାୟାର : ଏସ୍.ରବି, ଅଲିମ ଦାର, କୁମାର ଧର୍ମସେନା, ସାଇମନ୍ ଟଫେଲ୍, ମାରାଇସ୍ ଏରାସମସ୍, କ୍ରିସ୍ ଗଫାନେ, ଇଆନ ଗୋଲ୍ଡ, ରିଚାର୍ଡ ଇଲିଙ୍ଗୱର୍ଥ, ମାଇକେଲ ଗଫ, ପଲ୍ ବିଲସନ୍, ଜୋଏଲ ବିଲସନ୍, ର‌୍ୟାଡ୍ ଟକ୍କର, ପଲ୍ ରିଫେଲ୍, ବ୍ରୁସ୍ ଆକ୍ସେନଫୋର୍ଡ, ନାଇଜଲ୍ ଲାଙ୍ଗ, ରୁଚିରା ପିଲିୟାଗୁରୁଗେ ।

ସୂଚନା ଅନୁଯାୟୀ, ଆସନ୍ତା ମେ ମାସ ୩୦ ତାରିଖରୁ ଇଂଲଣ୍ଡରେ ବିଶ୍ୱକପ ଆରମ୍ଭ ହେବ । ଏହି କ୍ରିକେଟ୍ ମହାକୁମ୍ଭରେ ବିଶ୍ୱର ଶ୍ରେଷ୍ଠ ୧୦ଟି ଦଳ ସାମିଲ ହେବେ । ୪୫ ଦିନ ଧରି ଚାଲିବାକୁ ଥିବା ଏହି କ୍ରିକେଟ୍ ମହାକୁମ୍ଭରେ ମୋଟ୍ ୪୮ଟି ମ୍ୟାଚ ଖେଳାଯିବ । ଭାରତର ଅଭିଯାନ ଦକ୍ଷିଣଆଫ୍ରିକା ବିପକ୍ଷରେ ଜୁନ ୫ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ସମସ୍ତଙ୍କ ଅପେକ୍ଷା ରହିଛି ଜୁନ ୧୬ ତାରିଖକୁ । କାରଣ ଏହି ଦିନ ମୁହାଁମୁହିଁ ହେବେ ବିଶ୍ୱର ଦୁଇ ପ୍ରମୁଖ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଦଳ ଭାରତ ଏବଂ ପାକିସ୍ତାନ ।