ମୁମ୍ବାଇ କମଲା ମିଲ୍ ରେଷ୍ଟୁରାଂଟରେ ଭୟଙ୍କର ଅଗ୍ନିକାଣ୍ଡ ! ମୃତକଙ୍କ ମଧ୍ୟରୁ ଜଣେ ଓଡିଆ

39

କନକ ବ୍ୟୁରୋ :  ମୁମ୍ବାଇ କମଳା ମିଲ୍ସ କଂପାଉଣ୍ଡ ଅଗ୍ନିକାଣ୍ଡରେ ଜଣେ ଓଡିଆଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସର୍ବଜିତ ପରିଡା । ବାଲେଶ୍ୱର ନୀଳଗିରି ନରସିଂହପୁର ଗାଁର ସର୍ବଜିତ । ସର୍ବଜିତଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୁରା ଗାଁ ସ୍ତବ୍ଧ ହୋଇଯାଇଛି ।

ଗତ ରାତି ପ୍ରାୟ ସାଢ଼େ ୧୨ଟାବେଳେ ସେନାପତି ବାପତ ମାର୍ଗ ସ୍ଥିତ ୬ତାଲା ବିଶିଷ୍ଟ କୋଠାର ତୃତୀୟ ମହଲାରେ ନିଆଁ ଲାଗିଥିଲା । କୋଠା ପରିସରରେ ଥିବା ପବଗୁଡିକ ମଧ୍ୟରୁ ଗୋଟିକରେ ବିଜୁଳି ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଏଥିରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ୧୨ ଜଣ ଆହତ ହୋଇଛି । ମୃତ ବ୍ୟକ୍ତିଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ଜଣାପଡିଛି ।

ନିଆଁଟି ଏତେ ଭୟଙ୍କର ଥିଲା ଯେ ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀକୁ ନାକେଦମ ହେବାକୁ ପଡିଥିଲା । ପ୍ରାୟ ୨୪ରୁ ଅଧିକ ଦମକଳ ଗାଡି ଏହି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହି ଅଘଟଣ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟୁଇଟରେ ମୋଦି ଆହତଙ୍କ ଆରୋଗ୍ୟ କାମନା କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।