ନେତା ଫସିଲେ, କର୍ମୀ ତାତିଲେ ! ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଗିରଫଦାରୀର ପ୍ରତିବାଦରେ ଛାତ୍ର ବିଜେଡିର ହଙ୍ଗାମା

37

କନକ ବ୍ୟୁରୋ : ସି’ ସୋର ଚିଟଫଣ୍ଡ୍ କଂପାନୀ ସହ ଟଙ୍କା କାରବାର ମାମଲାରେ ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଆଜି ଦ୍ୱିତୀୟ ଦିନରେ ଜେରା କରିଛି ସିବିଆଇ । ବିଶେଷ କରି ତାଙ୍କ ପତ୍ନୀ ଲକ୍ଷ୍ମୀବିଳାସୀ ବିଶ୍ୱାଳଙ୍କ ଆକାଉଂଟଙ୍କୁ କେଉଁ ଘରୋଇ କଂପାନୀଠାରୁ ବିପୁଳ ଟଙ୍କା ଆସିଥିଲା ଏବଂ କେଉଁ କଂପାନୀର ପରିଚାଳନା ପାଇଁ ଟଙ୍କା ନେଇଥିଲେ ସେନେଇ ଆଜି ଜେରା କରିଛି ସିବିଆଇ ।

ତେବେ କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଗିରଫଦାରୀ ପ୍ରତିବାଦରେ ତାତିଛନ୍ତି ବିଜେଡି ସମର୍ଥକ । ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟ ଆଗରେ ଛାତ୍ର ବିଜେଡି କର୍ମୀଙ୍କ ହଙ୍ଗାମାରେ ନାକେଦମ୍ ହୋଇଛି ପୁଲିସ । ଆଉ ଏହି ବିକ୍ଷୋଭ ପାଇଁ କଟକରୁ ଭୁବନେଶ୍ୱର ପହଂଚିଥିଲା ଏକ ବିଶାଳ ବାଇକ୍ ରାଲି । ସ୍ଥିତି ଅଣାୟତ ହେବା ଆଶଙ୍କା ଦେଖି ସିବିଆଇ କାର୍ଯ୍ୟାଳୟ ଆଗରେ ଜାରି ହେଲା ୧୪୪ ଧାରା । କଟକ ଜଗତପୁରରେ ବି ଦେଖିବାକୁ ମିଳିଥିଲା ଅନୁରୁପ ଚିତ୍ର । ଗିରଫଦାରୀକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଦାବି କରିବା ସହ ବିଜେଡି ସମର୍ଥକ ପୋଡ଼ିଥିଲେ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହା ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ପୋଷ୍ଟର ।

ଆଉ ଏପଟେ ଷଡଯନ୍ତ୍ର, ଠକେଇ ଏବଂ ଜାଲିଆତି ଭଳି ସଂଗୀନ ମାମଲରେ ବିଧାୟକ ପ୍ରଭାବ ବିଶ୍ୱାଳଙ୍କୁ ଗିରଫ କରିଥିବା ସିବିଆଇ, ଦ୍ୱିତୀୟ ଦିନରେ କରିଛି ମାରାଥନ ଜେରା । କେଉଁ ଘରେଇ କଂପାନୀଙ୍କ ଠାରୁ ତାଙ୍କ ପତ୍ନୀଙ୍କ ଆକାଉଂଟକୁ ବିପୁଳ ପରିମାଣର ଅର୍ଥ ଆସିଥିଲା ଏବଂ କେଉଁ କଂପାନୀର ସଠିକ୍ ପରିଚାଳନା ପାଇଁ ଟଙ୍କା ନେଇଥିଲେ ଖୋଳତାଳ କରିଛି ସିବିଆଇ ।

ଜାରି ରହିଛି ରାଜନୈତିକ ଟଚ୍ଚାଓଟରା : ପୁଣି ମୁହାଁମୁହିଁ ବିଜେଡି-ବିଜେପି
ଏହି ସମଗ୍ର ଘଟଣାରେ ବିଜେଡିକୁ ବିଜେପି ଘେରିଥିବା ବେଳେ ଆଜି ଦଳର ବିଧାୟକ ପ୍ରଦୀପ ପୁରୋହିତ, ସିଧାସଳଖ ନବୀନଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଚିଟ୍ଫଣ୍ଡର ଚେର ନବୀନ ନିବାସରୁ ସଚିବାଳୟ ଯାଏଁ ଲମ୍ବିଥିବା ସେ ଅଭିଯୋଗ କରିଛନ୍ତି । ଯାହା ଉପରେ ପ୍ରତିକ୍ରିୟା ରଖିଛନ୍ତି-ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ।

ଆଉ ଏସବୁ ଭିତରେ ପ୍ରଶ୍ନ ଉଠୁଛି-

-ଅମିତ ଶାହାଙ୍କ ଖୋଲା ଚ୍ୟାଲେଞ୍ଜର କିଛି ଦିନ ପରେ ବିଧାୟକଙ୍କୁ ଗିରଫ କରିବା କ’ଣ ଇସାରା କରୁଛି?

-ପ୍ରକୃତରେ କ’ଣ ସିବିଆଇ କାର୍ଯ୍ୟଧାରାକୁ କେନ୍ଦ୍ର ସରକାର କିମ୍ବା ବିଜେପି ପ୍ରଭାବିତ କରୁଛି?

-ଆଉ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଭିତରେ ହାଲୁକା ହୋଇଯାଇଛି କି ମୂଳ, ଚିଟ୍ଫଣ୍ଡ ପ୍ରସଙ୍ଗ ?