ଆତଙ୍କ ଖେଳାଉଛନ୍ତି ମନ୍ତ୍ରୀଙ୍କ ପୁଅ । ବଡ଼ ପୁଅ ଜେଲରେ ଆଉ ସାନ ପୁଅ ଗୋଡ଼ାଇ ଗୋଡ଼ାଇ ଲୋକଙ୍କୁ ହାଣିବା ଅଭିଯୋଗ ।

ବଡ଼ ପୁଅ ପରେ ବିବାଦରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ସାନ ପୁଅ ! ଜେଲରେ ସଜା କାଟୁଛି ବଡ଼ ପୁଅ ଦେବାଶିଷ ପାତ୍ର , ବାହାରେ ଲୋକଙ୍କୁ ସାନ ପୁଅ ଦେବପ୍ରିୟ ପାତ୍ର ସ୍ପଷ୍ଟ ଦିବାଲୋକରେ ବିଚ୍ ରାସ୍ତା ଉପରେ ସଂଘବଦ୍ଧ ଭାବେ ହାଣୁଥିବା ଅଭିଯୋଗ ।

1,677

କନକ ବ୍ୟୁରୋ: ବ୍ରାହ୍ମଣ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ! ଏହି ଉକ୍ତିର ଯଥାର୍ଥ ମନ୍ତ୍ରୀ ବଦ୍ରୀ ପାତ୍ରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କାରଣ ବଡ଼ ପୁଅ ପରେ ଏବେ ଏବେ ବିବାଦରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ସାନ ପୁଅ ଦେବପ୍ରିୟ ପାତ୍ର । ସଂଘବଦ୍ଧ ଭାବରେ ଜଣେ ଯୁବକଙ୍କୁ ହାଣିଥିବା ଅଭିଯୋଗ ହୋଇଛି । ତେବେ ଏନେଇ ଘସିପୁରା ଥାନାରେ ମନ୍ତ୍ରୀଙ୍କ ପୁଅ ନାଁରେ ମାମଲା ରୁଜୁ କରାଯାଇଛି । ସ୍ପଷ୍ଟ ଦିବାଲୋକରେ ବିଚ୍ ରାସ୍ତା ଉପରେ ମନ୍ତ୍ରୀ ପୁଅର ଦାଦାଗିରି ଏବଂ ସଂଘବଦ୍ଧ ଭାବେ ଆସି ଜଣେ ଯୁବକଙ୍କୁ ହାଣିବା ଏବେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି ।

ସୂଚନା ମୁତାବକ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ସାନ ପୁଅ ଦେବପ୍ରିୟ ପାତ୍ର । ରାଜନୈତକ ଶତ୍ରୁତାକୁ କେନ୍ଦ୍ରକରି ଘଷିପୁରା ଥାନା ହାତିବନ୍ଧା ନିକଟରେ ପ୍ରଶାନ୍ତ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଘଷିପୁରା ଥାନରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରଶାନ୍ତ ସାହୁ । ଅଭିଯୋଗ ଅନୁସାରେ ଦିନ ୧୨ଟାରୁ ଗୋଟିଏ ଭିତରେ ପ୍ରଶାନ୍ତ କୁମାର ସାହୁ ନାମକ ବ୍ୟକ୍ତି ବେଳବାହଳିରୁ ଗୁହାଳିଆକୁ ଯାଉଥିଲେ । ଏହି ସମୟରେ ମନ୍ତ୍ରୀଙ୍କ ପୁଅ ଦେବପ୍ରୀୟ ପାତ୍ର, ଗୁହାଳିଆର ମହରଗ ଜେନା, ମହିଆ ଜେନା, ବୟନ୍ତ ଜେନା, ଟୁକୁଣାର ପ୍ରିୟୁଶ ଦାସ ଏବଂ ଫକିରପୁର ବିଭୂତି ମହାନ୍ତି ପ୍ରମୁଖ ଖଣ୍ଡା, ଭୁଜାଲି ଏବଂ ଲୁହାରଡ ସାହାଯ୍ୟରେ ଆକ୍ରମଣ କରିଥିଲେ । ପ୍ରଥମେ ଅଶ୍ଲିଳ ଭାଷାରେ ଗାଳିଗୁଳଜ କରିବା ପରେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ନେଇ ଥାନରେ ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ପ୍ରଶାନ୍ତ ସାହୁଙ୍କୁ ଆନନ୍ଦପୁର ହସ୍ପିଟାଲରେ ଭର୍ତି କରାଯାଇଛି ।

ତେବେ ଗତ କିଛିଦିନ ତଳେ ପୂର୍ବରୁ ବଦ୍ରିଙ୍କ ବଡ଼ ପୁଅ ଦେବାଶିଷ ପାତ୍ର ଆନନ୍ଦପୁର ମୁନସିପାଲଟିର ଉପାଧ୍ୟକ୍ଷ ଓ ତାଙ୍କ ସହଯୋଗୀଙ୍କୁ ମରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ । ଯାହା ରାଜ୍ୟ ରାଜନୀତିରେ ଏକ ପ୍ରକାର ବିରୋଧୀଙ୍କୁ ଶାସକ ଦଳକକୁ ଘେରିବା ପାଇଁ ଖୋରାକ ଯୋଗାଇଥିଲା । ତେବେ ବର୍ତ୍ତମାନ ବଦ୍ରିଙ୍କ ସାନ ପୁଅର ଗୁଣ୍ଡାଗର୍ଦ୍ଦି ନେଇ ଅଭିଯୋଗ ଗଣଶିକ୍ଷାମନ୍ତ୍ରୀ ବଦ୍ରି ପାତ୍ରଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି । ଏବଂ ବଡ଼ ପୁଅ ଗିରଫ ହେବାପରେ ଯେଉଁ ବିବାଦରେ ସାମୟିକ ବ୍ରେକ୍ ଲାଗିଥିଲା ଏବେ ପୁଣି ରାଜ୍ୟ ରାଜନୀତି ଏବଂ ସ୍ଥାନୀୟ ଅଞ୍ଚଳରେ ହଟ୍ଟଚମଟ ସୃଷ୍ଟି ହୋଇଛି । କାରଣ ଗଣଶିକ୍ଷା ମନ୍ତ୍ରୀଙ୍କ ପୁଅ ଯଦି ଏଭଳି ଗୁଣ୍ଡାରାଜ କରିବେ ଏବଂ ଆଇନ ଉଲଂଘନ କରିବା ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।