ଭାରତ ବିରୋଧରେ ବିଷ ଓଗାଳିଲା ଜୈସେ-ଏ-ମହମ୍ମଦ ମୁଖିଆ ମାସୁଦ ଅଜହର : ଅଡିଓ ଟେପ ଜାରି କରି କହିଲା, ମୋଦି ସରକାର ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ଖୁସି ଖବର

37

କନକ ବ୍ୟୁରୋ : ପୁଣି ଭାରତ ବିରୋଧରେ ବିଷ ଓଗାଳିଲା ଆତଙ୍କବାଦୀ ମସୁଦ ଅଜହର । ଏକ ନୂଆ ଅଡିଓ ଜାରି କରି ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତିଜନକ ଭାଷା ପ୍ରୟୋଗ କରିଛି ଜୈଶ ଏ ମହମ୍ମଦ ମୁଖିଆ ଅଜହର । ଯଦି ପାକିସ୍ତାନ ସରକାର ତା ଉପରୁ ସମସ୍ତ କଟକଣା ହଟାଇ ଦିଅନ୍ତି ତେବେ କଶ୍ମୀରରେ ଥିବା ତାର ଆତଙ୍କବାଦୀମାନେ ଭାରତକୁ ଉଚିତ ଶିକ୍ଷା ଦେଇ ପାରନ୍ତେ ବୋଲି ଅଡିଓରେ କହିଛି ଅଜହର । ମାତ୍ର ୬ ମାସ ପାଇଁ କଟକଣା ହଟାଇ ଦେଲେ ଭାରତକୁ ତା ଭାଷାରେ ଜବାବ ଦେବୁ ବୋଲି ଅଜହର ଧମକ ଦେଇଛି ।

ସେ ଆହୁରି ମଧ୍ୟ କହିଛି ଯେ ଭାରତ କେବଳ ଉପରେ ଉପରେ ଧମକ ଦେଉଛି କିନ୍ତୁ ସେ ନିଜେ ଭୟଭୀତ ଅବସ୍ଥାରେ ରହିଛି । ଏହା ସହ ଅଡିଓରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଟାର୍ଗେଟ୍ କରିଛି ଅଜହର । ସେ କହିଛି ଯେ ଭଲ ହୋଇଛି, ମୋଦି ଦୁର୍ନୀତି ଅଭିଯୋଗରେ ଫସିଛନ୍ତି । ଏବେ ଭାରତୀୟ ସେନାମୁଖ୍ୟଙ୍କୁ ମୋଦି ଆଗକୁ ଛାଡି ଦେଇଛନ୍ତି, ଯିଏ ପାକିସ୍ତାନକୁ ଧମକ ଦେଉଛନ୍ତି । ପାକିସ୍ତାନର ପୂରୁଣା ଭୁଲ ଯୋଗୁ ହିଁ ଭାରତ ଅଧିକ ସାହସ ଦେଖାଉଛି । କିନ୍ତୁ ଏବେ ଭାରତ ଯୁଦ୍ଧ କରିବାର ଭୁଲ କରିବ ନାହିଁ । କଶ୍ମୀରର ଜିହାଦୀମାନେ ହିଁ ଭାରତକୁ ପରାସ୍ତ କରିପାରିବେ । ସର୍ଜିକାଲ ଷ୍ଟ୍ରାଇକକୁ ନେଇ ଭାରତରେ ଚାଲିଥିବା ବିତର୍କକୁ ମଧ୍ୟ ନିଜ ଅଡିଓରେ ପ୍ରସଙ୍ଗ କରିଛି ଅଜହର ।