ଜିହାଦୀ ସଂଗଠନକୁ ଅନୁମତି ଦିଅ, ଛଡାଇ ଆଣିବୁ କଶ୍ମୀର : ଆତଙ୍କବାଦୀଙ୍କ ଆହ୍ୱାନ

39

କନକ ବ୍ୟୁରୋ : ଆତଙ୍କବାଦୀ ଆଜହାରର ଘୋଷଣା, ଜିହାଦି ସଂଗଠନକୁ ଅନୁମତି ଦିଅ କଶ୍ମୀର ଛଡାଇ ଆଣିବୁ । ସଂଗଠନର ମାଗାଜିନରେ ପାକିସ୍ତାନ ସରକାରଙ୍କ ଉଦ୍ଦେଶ୍ୟରେ ଏଭଳି ଲେଖିଛି ଜୈସ-ଏ-ମହମ୍ମଦ ସଂଗଠନ ମୁଖ୍ୟ । ଆଜହାର କହିଛି, ଭାରତ ବିରୋଧୀ ଆକ୍ରମଣ ପାଇଁ ଜିହାଦି ସଂଗଠନଗୁଡିକୁ ପାକିସ୍ତାନ ସରକାର ଅନୁମତି ଦେଲେ କଶ୍ମୀର ଅଧିକାର କରିବା ଅସମ୍ଭବ ନୁହେଁ ।

ଆତଙ୍କବାଦୀ ସଂଗଠନ ଜୈସର ସାପ୍ତାହିକ ମାଗାଜିନ ପ୍ରଥମ ପୃଷ୍ଠାରେ ଆଜାହାର ଲେଖିଛି ‘ମୁଜାହିଦ୍ଦିନଙ୍କ ପାଇଁ ପାକିସ୍ତାନ ସରକାର ବାଟ ଖୋଲିଦେଲେ କଶ୍ମୀର ସମସ୍ୟା ଏପରିକି ସିନ୍ଧୁ ନଦୀ ଜଳ ବିବାଦର ସମାଧାନ ସବୁଦିନ ପାଇଁ ହୋଇଯାଆନ୍ତା’ । ‘୧୯୭୧ର ସବୁ ତିକ୍ତ ଅନୁଭୂତି ମଧ୍ୟ ୨୦୧୬ରେ ଖୁସିରେ ପରିଣତ ହୋଇପାରନ୍ତା’ । ‘୧୯୯୦ରେ କଶ୍ମୀରରେ ଜିହାଦ ପରେ ଅନେକ ମାତ୍ରାରେ ପରିବର୍ତନ ଆସିଛି’ । ‘ଜିହାଦ ଫଳରେ ଭାରତ ଏକ ସାପରୁ ଜିଆକୁ ରୂପାନ୍ତରିତ ହୋଇସାରିଛି’ ।

ଆଜହାରର ଏହି ଆଲେଖ୍ୟ ପିକିସ୍ତାନ ସରକାରଙ୍କ ଆତଙ୍କବାଦୀ ସଂଗଠନ ସହ ଭିତିରି ସଂପର୍କକୁ ଉଜାଗର କରିଛି । ୧୯୯୪ର ଶେଷ ଭାଗରେ କଶ୍ମୀରରେ ରହି ଆତଙ୍କବାଦୀ ସଂଗଠନ ଚଳାଉଥିଲା ମୌଲାନା ମାସୁଦ ଆଜହାର । ସେହିବର୍ଷ ଫେବ୍ରୁଆରୀରେ ତାକୁ ଜେଲ ହାଜତକୁ ପଠାଇ ଦେଇଥିଲେ ଭାରତ ସରକାର । ହେଲେ ୧୯୯୯ରେ କାନ୍ଦାହାର ବିମାନ ଅପହରଣ ପରେ ଆଜହାରକୁ ମୁକ୍ତ କରିବାକୁ ବାଧ୍ୟ ହୋଇଥିଲେ । ଏହାପରଠାରୁ ପାକିସ୍ତାନରେ ରହି ଭାରତ ବିରୋଧୀ ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ର କରିଆସୁଛି ମାସୁଦ ଆଜହାର ।