ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ମାସୁଦ ଆଝାର ମୃତ? ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା, ପାକିସ୍ତାନ କରୁଛି ମନା!

555

କନକ ବ୍ୟୁରୋ : ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଭାରତର ଏକ ନମ୍ବର ଶତ୍ରୁ ଜୈସ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାରର ମୃତ୍ୟୁ  । ଏନେଇ ଜାତୀୟ ଗଣମାଧ୍ୟମ ଗୁଡିକରେ ରିପୋର୍ଟ ପ୍ରକାଶ ପାଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ଆତଙ୍କୀର ସୌଦାଗର ମାସୁଦ ଆଝାରର ମୃତ୍ୟୁ ଗତକାଲି ଇସାଲାମାବାଦରେ ଥିବା ପାକିସ୍ତାନର ଆର୍ମି ହସ୍ପିଟାଲରେ ହୋଇଛି । ତେବେ ଆନୁଷ୍ଠାନିକ ରୂପରେ ମାସୁଦ ଆଝାରର ମୃତ୍ୟୁ ହୋଇଛି କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ପାକିସ୍ତାନ ମଧ୍ୟ ମାସୁଦ ଆଝାରର ମୃତ୍ୟୁ ଖବରକୁ ଖଣ୍ଡନ କରି ଆସୁଛି । ଏପରିକି ଜୈସ-ଏ-ମହମ୍ମଦ ପକ୍ଷରୁ ମଧ୍ୟ ଏନେଇ କୌଣସି ସୂଚନା ଦିଆଯାଇନାହିଁ । ଏହାପୂର୍ବରୁ ମାସୁଦ ଆଝାର ଗୁରୁତର ରୋଗରେ ପୀଡିତ ହେବା ସହ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖବର ପାକିସ୍ତାନ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା । ତେବେ ସୋସିଆଲ ମିଡିଆ ଓ ବିଭିନ୍ନ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ମାସୁଦ ଆଝାର ବାଲାକୋଟ ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଥିବା କୁହାଯାଉଛି ।

ତେବେ ଭାରତର ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ମାସୁଦ ମରିବା ଖବର ପାକିସ୍ତାନର ଏକ ଚାଲ । କାରଣ ପୁଲୱାମା ଆକ୍ରମଣ ପରେ ଭାରତ ସମେତ ପୂରା ବିଶ୍ୱରେ ଜୈସ-ଏ-ମହମ୍ମଦ ଓ ମାସୁଦ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପାକିସ୍ତାନ ଉପରେ ଚାପ ପଡି ଆସୁଥିଲା । ତେଣୁ ଏଥିରୁ ମୁକୁଳିବା ପାଇଁ ପାକିସ୍ତାନ ମାସୁଦ ମୃତ୍ୟୁର ମିଛ ଖବର ପ୍ରଚାର କରୁଛି ବୋଲି କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ।