ମାସୁଦ ମୃତ ନା ଜୀବୀତ, ସସପେନ୍ସ ଜାରି ! ସାମ୍ନାକୁ ଆସିଲା ନୂଆ ତଥ୍ୟ, ମସୁଦ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇପାରେ ପାକିସ୍ତାନ

କୂଟନୈତିକ ସ୍ତରରେ ଭାରତକୁ ମିଳିବ ବଡ଼ ସଫଳତା

248

କନକ ବ୍ୟୁରୋ: ପୁଲୱାମା ହମଲାର ମାଷ୍ଟର ମାଇଣ୍ଡ ଜୈସ୍-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମାସୁଦ ଆଝାର ମୃତ ନା ଜୀବିତ, ଏନେଇ ସସପେନ୍ସ ଜାରି ରହିଛି । ମାସୁଦର ମୃତ୍ୟୁ ହୋଇଥିବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି । କେଉଁ କାରଣରୁ ତା’ର ମୃତ୍ୟୁ ହେଲା, ଏ ନେଇ କିଛି ଉଲ୍ଲେଖ କରାଯାଇନାହିଁ । ତେବେ ସେ କ୍ୟାନସରରେ ପୀଡ଼ିତ ଓ ତା’ର ଅବସ୍ଥା ଗୁରୁତର ରହିଥିଲା ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି । ସେପଟେ ମାସୁଦ ଆଝାରର ମୃତ୍ୟୁ ଖବରକୁ ଖଣ୍ଡନ କରିଛି ପାକିସ୍ତାନ ।

ମାସୁଦ ଆଝାର ଭାରତର ମୋଷ୍ଟ ୱାଂଟେଡ୍ ଆତଙ୍କବାଦୀ । ୨୦୦୧ ପାର୍ଲାମେଂଟ ଆକ୍ରମଣ ଠାରୁ ଆରମ୍ଭ କରି ପଠାନକୋର୍ଟ, ଉରି ହମଲାରେ ତା’ର ହାତ ଥିବା ଅଭିଯୋଗ ରହିଛି । ତା’ରି ଇସାରାରେ ପୁଲୱାମା ହମଲା ହୋଇଥିଲା ବୋଲି ଅଭିଯୋଗ କରି ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଥିଲା ଭାରତ । ନିକଟରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମଧ୍ୟ ସ୍ୱୀକାର କରିଥିଲେ ଯେ ମାସୁଦ ପାକିସ୍ତାନରେ ଅଛି ଓ ଭୀଷଣ ଅସୁସ୍ଥ ଥିବାରୁ ଘରୁ ବାହାରି ପାରୁନାହିଁ । ତେବେ ମାସୁଦର ମୃତ୍ୟୁ ଖବରକୁ ଜୈସ-ଏ-ମହମ୍ମଦ ପକ୍ଷରୁ ଖଣ୍ଡନ କରାଯାଇଛି ।

News Nation

ଆଉ ଏକ ଖବର ମଧ୍ୟ ସାମ୍ନାକୁ ଆସିଛି କି, ମସୁଦ ଆଝାର ଓ ଜୈସ୍ -ଏ-ମହମ୍ମଦ ଉପରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ସୂଚନା ମିଳିଛି । ଅନ୍ତର୍ଜାତୀୟ ଚାପ ଯୋଗୁଁ ପାକିସ୍ତାନ ଏପରି କରିବାକୁ ଯାଉଛି । ମସୁଦ ଆଝାରକୁ ବିଶ୍ୱ ଆତଂକବାଦୀ ତାଲିକାରେ ସାମିଲ ହେବା ନେଇ ପାକିସ୍ତାନ ଯେଉଁ ଆପତି କରିଆସୁଥିଲା, ସେଥିରୁ ହଟିଯାଇପାରେ । ଯଦି ଏପରି ହୁଏ ଏହା ଭାରତ ପାଇଁ ଏକ ବଡ଼ କୂଟନୈତିକ ସଫଳତା ବୋଲି ଗଣନା କରାଯିବ । ମସୁଦଙ୍କୁ ବିଶ୍ୱ ଆତଂକବାଦୀ ତାଲିକାରେ ସାମିଲ ସହ ତା ଉପରେ କଟକଣା ଲଗାଇବାକୁ ଦାବି କରି ପୂର୍ବରୁ ଅନେକଥର ଜାତିସଂଘରେ ପ୍ରସ୍ତାବ ଆସିଛି ।

ତେବେ ପାକସ୍ତାନର ବିରୋଧ ଓ ଚୀନର ଭିଟୋ ପାୱାର ଯୋଗୁଁ ଏହା ସମ୍ଭବ ହୋଇ ପାରି ନାହିଁ । ଗତ ସପ୍ତାହରେ ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ମସୁଦ୍ ଓ ତାର ସଂଗଠନକୁ କଳାତାଲିକା ଭୁକ୍ତ କରିବାକୁ ଜାତିସଂଘରେ ପ୍ରସ୍ତାବ ଆଣିଥିଲା । ୧୦ ବର୍ଷ ମଧ୍ୟରେ ମସୁଦକୁ ଆନ୍ତର୍ଜାତୀୟ କଳା ତାଲିକାଭୁକ୍ତ କରିବାକୁ ୪ଥର ପ୍ରସ୍ତାବ ଆସିଛି । ହେଲେ ସବୁଥର ପରି ଚୀନର ବିରୋଧ ଯୋଗୁଁ ପାରିତ ହୋଇ ପାରି ନଥିଲା । କିନ୍ତୁ ଏଥର ଚୀନ ନୀରବ ରହିଛି । ତେବେ ଆସନ୍ତା ୧୩ତାରିଖ ପର୍ଯ୍ୟନ୍ତ ପ୍ରସ୍ତାବ ନେଇ ନିଜର ମତ ରଖିପାରିବେ ଜାତୀୟ ସୁରକ୍ଷା ପରିଷଦର ସଦସ୍ୟ ରାଷ୍ଟ୍ର ।