ରାଜ୍ୟ ଔଷଧ ନିଗମର ମାସ୍କ କିଣା ନେଇ ବଢିଲା ଚର୍ଚ୍ଚା । ଦୁଇଟି କମ୍ପାନୀ ଠାରୁ ଭିନ୍ନ ଭିନ୍ନ ଦରରେ କିଣା ହେଲା ମାସ୍କ । ଗୋଟିଏର ଦାମ ୯ ଟଙ୍କା ୯୦ ପଇସା, ଅନ୍ୟଟିର ଦାମ ୧୬ ଟଙ୍କା । ଦୁଇଦିନରେ ବଢ଼ିଗଲା ୬ ଟଙ୍କା ୧୦ ପଇସା । ପ୍ରଶ୍ନ ଉଠିଲା କରୋନା ମାସ୍କର ଦାମ କେତେ?

407

କନକ ବ୍ୟୁରୋ: କରୋନା ମହାମାରୀ ଭିତରେ ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ରାଜ୍ୟ ଔଷଧ ନିଗମ ପକ୍ଷରୁ ତ୍ରିସ୍ତରୀୟ ମାସ୍କ କିଣାଯାଇଛି । ହେଲେ ଏହି ମାସ୍କର ଦରକୁ ନେଇ ଏବେ ପ୍ରଶ୍ନ ଉଠିଛି । କାରଣ ଦୁଇଟି କମ୍ପାନୀରୁ ଭିନ୍ନ ଭିନ୍ନ ଦରରେ ମାସ୍କ କିଣାଯାଇଛି ।

ଏପ୍ରିଲ ୧୫ ତାରିଖରେ ହରିଆଣାର ସିଷ୍ଟୁଲା ଟୁଲିପ ପ୍ରାଇଭେଟ୍ ଲିମିଟେଡ୍ ୫ ଲକ୍ଷ ୟୁନିଟ୍ ତ୍ରିସ୍ତରୀୟ ମାସ୍କ ଦେବା ପାଇଁ ଡିଲ୍ ହୋଇଥିଲା । ଗୋଟିଏ ମାସ୍କ ପାଇଁ ଦାମ ଥିଲା ୯ଟଙ୍କା ୯୦ ପଇସା ଏବଂ ଏଥିପାଇଁ ନିଗମ ୪୯ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ କରିଥିଲା । ଏହାର ଦୁଇ ଦିନ ପରେ ଅର୍ଥାତ୍ ଏପ୍ରିଲ ୧୭ ତାରିଖରେ ତାମିଲନାଡୁର ବିଷ୍ଣୁ ଡିସପୋଜେବୁଲ୍ସ ପ୍ରାଇଭେଟ୍ ଲିମିଟେଡ୍ ଠାରୁ ୩୦ ଲକ୍ଷ ୟୁନିଟ୍ ତ୍ରିସ୍ତରୀୟ ମାସ୍କ କିଣାଯାଇଥିଲା । ଏଥିପାଇଁ ସରକାର ଖର୍ଚ୍ଚ କରିଥିଲେ ୪ କୋଟି ୮୦ ଲକ୍ଷ ଟଙ୍କା । ତେବେ ଏହି ଡିଲରେ ଗୋଟିଏ ତ୍ରିସ୍ତରୀୟ ମାସ୍କର ଦାମ ଥିଲା ୧୬ ଟଙ୍କା ।

ମାତ୍ର ଦୁଇ ଦିନରେ ବଢିଯାଇଥିଲା ମାସ୍କର ଦର । ଖାଲି ସେତିକି ନୁହେଁ ଅଧିକ ଦର ନେଉଥିବା କମ୍ପାନୀ ଠାରୁ କିଣାଯାଇଥିଲା ଅଧିକ ପରିମାଣର ମାସ୍କ । ପ୍ରଥମ କମ୍ପାନୀଠାରୁ ଦ୍ୱିତୀୟ କମ୍ପାନୀ ଗୋଟିଏ ମାସ୍କ ପିଛା ୬ ଟଙ୍କା ୧୦ ପଇସା ଅଧିକ ମୂଲ୍ୟ ନେଇଥିଲା । ପ୍ରଶ୍ନ ଉଠୁଛି, କିଣାବିକା ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ରହିଛି କି?

ଦୁଇଟି କମ୍ପାନୀରୁ ଭିନ୍ନ ଭିନ୍ନ ଦରରେ ତ୍ରିସ୍ତରୀୟ ମାସ୍କ କିଣାଯିବାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛିି । କାହିଁକି ଓ କେଉଁ ସ୍ଥିତିରେ ଅଧିକ ଟଙ୍କା ଦେଇ ମାସ୍କ କିଣାଯାଇଛି ସେନେଇ ପ୍ରଶ୍ନ ବି ଉଠିଛି । କାରଣ, ବର୍ତମାନ ସ୍ଥିତିରେ ମହାରାଷ୍ଟ୍ରର ଏକ କମ୍ପାନୀ ଗୋଟିଏ ତ୍ରିସ୍ତରୀୟ ମାସ୍କ ପିଛା ୬ଟଙ୍କା ୫୦ ପଇସାରେ ଦେବାକୁ ରାଜି ଅଛନ୍ତି । ଏପରିକି ସପ୍ତାହ ଭିତରେ ୫ ଲକ୍ଷ ୟୁନିଟ୍ ଦେବା ପାଇଁ କମ୍ପାନୀ ପ୍ରସ୍ତୁତ । ..

କରୋନା ମହାମାରୀ ଦେଖାଦେବା ପରେ ମାସ୍କର ଚାହିଦା ବୃଦ୍ଧି ପାଇଥିଲା । କୋଭିଡ୍ ଯୁଦ୍ଧରେ ସାମିଲ ହୋଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ରାଜ୍ୟ ଔଷଧ ନିଗମ ପକ୍ଷରୁ ମାସ୍କ କିଣାଯାଇଥିଲା । ତେବେ ଏହି ମାସ୍କ କିଣାରେ ଏକ ବଡ ଧରଣର ହେରଫେର ହୋଇଥିବା ଅଭିଯୋଗ ହୋଇଛି । ତେବେ ସମ୍ବାଦକୁ ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡଙ୍ଗୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତ୍ରିସ୍ତରୀୟ ମାସ୍କର ଚାହିଦା ବଢିଯିବାରୁ କେନ୍ଦ୍ର ସରକାର ତ୍ରିସ୍ତରୀୟ ମାସ୍କ ପାଇଁ ପ୍ରଥମେ ୧୦ ଟଙ୍କା ଏବଂ ପରେ ଏହାକୁ ୧୬ ଟଙ୍କାକୁ ବୃଦ୍ଧି କରିଥିଲେ । କରୋନା ସମୟରେ ଯାହା ବି କିଣାଯାଇଛି, ତାହା ଜରୁରୀକାଳୀନ କ୍ରୟାଦେଶ କମିଟିର ଅନୁମୋଦନରେ କିଣାଯାଇଛି ।